Home ଜିଲ୍ଲା ପରିକ୍ରମା ଛତାବର-ନିଳୋକ ପୂର୍ତ୍ତ ରାସ୍ତା ଶୋଚନୀୟ, ତୁରନ୍ତ ନିର୍ମାଣ ପାଇଁ ଜିଲାପାଳଙ୍କୁ ବିଜେପିର ଦାବିପତ୍ର

ଛତାବର-ନିଳୋକ ପୂର୍ତ୍ତ ରାସ୍ତା ଶୋଚନୀୟ, ତୁରନ୍ତ ନିର୍ମାଣ ପାଇଁ ଜିଲାପାଳଙ୍କୁ ବିଜେପିର ଦାବିପତ୍ର

12

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୬ କିମି ଦୈର୍ଘ୍ୟ ବିଶିଷ୍ଟ ଛତାବର-ନିଳୋକ ପୂର୍ତ୍ତ ବିଭାଗ ରାସ୍ତାରେ କୌଣସି ଆଖିଦୃଶିଆ କାର୍ଯ୍ୟ ହୋଇନାହିଁ । ରାସ୍ତାର ଉଭୟ ପାଶ୍ୱର୍ର କେତେକ ସ୍ଥାନରେ ପ୍ରଶସ୍ତିକରଣ ପାଇଁ ପକାଯାଉଥିବା ମାଟି ସବୁ ସ୍ଥାନରେ ମଧ୍ୟ ପଡିନାହିଁ । ରାସ୍ତାର ଅବସ୍ଥା ଏଭଳି ଶୋଚନୀୟ ହୋଇପଡିଛି ଯେ ଯାନବାହନ ଚଳାଚଳ ବିପଦଜନକ ହୋଇପଡିଛି । ବର୍ଷାଋତୁ ବିତିବାର ମାସ ପରେ ବି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ତ ଦୂରର କଥା, ବିଭିନ୍ନ ସ୍ଥାନରେ ହୋଇଥିବା ଗାଢ ଗୁଡିକର ମରାମତି ପାଇଁ ସଂପୃକ୍ତ ଠିକାଦାର ମଧ୍ୟ ଦୃଷ୍ଟି ଦେଉନାହାଁନ୍ତି । ଫଳରେ ଭଣ୍ଡାରିପୋଖରୀ ବ୍ଲକ୍‌ର ଏହି ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ରାସ୍ତାଟି ଏବେ ଶୋଚନୀୟ ହୋଇପଡିଥିବାରୁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ସ୍ଥାନୀୟ ଅଂଚଳର ଲକ୍ଷାଧିକ ଲୋକ ଓ ପ୍ରତିଦିନ ଯାତାୟତ କରୁଥିବା ଶହ ଶହ ସଂଖ୍ୟାର ଯାନବାହନ ଚାଳକ ମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ୧୬ନଂ ଜାତୀୟ ରାଜପଥର ଛତାବର ଠାରେ ସଂଯୁକ୍ତ ଏହି ରାସ୍ତା ଉଭୟ ଯାଜପୁର ଓ କେନ୍ଦୁଝର ଜିଲା ସହ ସଂଯୋଗକାରୀ ରାସ୍ତା ଭାବେ ପରିଚିତ ହୋଇଥିବାବେଳେ ମଂଜୁରରୋଡ୍ ରେଳଷ୍ଟେସନ, ନାଆମୀ ମହାବିଦ୍ୟାଳୟ, ନିଳୋକ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ, ଜନସାଧାରଣ ଯାତାୟତ ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି ।

ରାସ୍ତା ନିର୍ମାଣ ପୂର୍ବରୁ ସୂଚନା ଫଳକ ମଧ୍ୟ ଲଗାଯାଇନଥିବାରୁ ଏହି ରାସ୍ତା କେତେ ଅର୍ଥ ବ୍ୟୟ ଅଟକଳରେ କେବେ ଶେଷ ହେବ ସେ ନେଇ ସର୍ବସାଧାରଣ ଜାଣିପାରୁନାହାଁନ୍ତି । ରାସ୍ତାଟିର ବିଭିନ୍ନ ସ୍ଥାନରେ ଖାଲଖମା ସହ ଗେଟି ଉଠିଥିବାରୁ ହାଲୁକା ଚାରିଚକିଆ ଯାନ, ବାଇକ୍ ଆଦି ଯାତାୟତ କଷ୍ଟକର ହୋଇପଡୁଥିବାରୁ ବିଭିନ୍ନ ସମୟରେ ଛୋଟବଡ ଦୁର୍ଘଟଣା ମଧ୍ୟ ଘଟୁଛି । ଏଥିପାଇଁ ରାସ୍ତା ନିର୍ମାଣ କାର୍ଯ୍ୟକୁ ତ୍ୱରିତ ଗତି ଦେବା ପାଇଁ ଆଜି ଭାରତୀୟ ଜନତା ପାର୍ଟି,ଭଣ୍ଡାରିପୋଖରୀ ଶାଖାର ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀ ନାରାୟଣ ଧଳଙ୍କ ନେତୃତ୍ୱରେ ଦଳର ବିଧାନସଭା ସଂଯୋଜକ ପ୍ରକାଶ ମହାପାତ୍ର, ଜିଲା ସଂପାଦିକା ତପସ୍ୱିନୀ ମହାପାତ୍ର, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଣବ ରାଉତ, ରୁକ୍ମଣୀ ଦାସ, ସୁରେସ ଦାସ, ପ୍ରଦୀପ ପାଢୀ, ପ୍ରଦ୍ରୁମ୍ନ ସେନାପତି, ତରଣୀସେନ ପଣ୍ଡା, କୈଳାସ ସାହୁ, ଶୁଭ୍ରଜିତ୍ ପଣ୍ଡା, ରମାକାନ୍ତ ବାରିକ ପ୍ରମୁଖ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଶାନ୍ତନୁ ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ଅତିରିକ୍ତ ଜିଲାପାଳ ଶ୍ରୀ ମହାନ୍ତି ତୁରନ୍ତ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିବାର ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.