Home ଜିଲ୍ଲା ପରିକ୍ରମା ଛତାବରରୁ ୬୩୨ ଲିଟର ଚୋରା ପିଡିଏସ୍ କିରୋସିନି ଜବତ : ଖସିଗଲା ଚୋରା ବେପାରୀ

ଛତାବରରୁ ୬୩୨ ଲିଟର ଚୋରା ପିଡିଏସ୍ କିରୋସିନି ଜବତ : ଖସିଗଲା ଚୋରା ବେପାରୀ

92

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ଯୋଗାଣ ନିରୀକ୍ଷକ ରେବତୀ ସିଂ ନାୟକ ରାମଚନ୍ଦ୍ରପୁର ପଂଚାୟତର ଛତାବର ଛକ ନିକଟ ରାମଚନ୍ଦ୍ରପୁର ଗ୍ରାମର ବଙ୍ଗୀୟ ଚୋରା ବେପାରୀଙ୍କ ଘରୁ ୬୩୨ ଲିଟର ଚୋରା କିରୋସିନି ଜବତ କରିଛନ୍ତି। ଜିଲା ଅତିରିକ୍ତ ଯୋଗାଣ ଅଧିକାରୀ ମାନସ ରଂଜନ ମହାପାତ୍ର, ମାଜିଷ୍ଟ୍ରେଟ୍ ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ସ୍ୱାଇଁ ଓ ପୁଲିସ୍ ସହାୟତାରେ କିରୋସିନି ଚୋରା ବେପାରୀ ଆଶୁତୋଷ ଦାସଙ୍କ ବାସଗୃହରେ ଚଢାଉ କରିଥିଲେ। ଗୃହ ବାହାରେ କିଛି ପରିମାଣର କିରୋସିନି ମିଳିଥିବା ବେଳେ ଗୃହ ଭିତରେ ଚାବି ପଡିଥିବା ବହୁ ପରିମାଣର କିରୋସିନି ଥିବା ସୂଚନା ମିଳିଥିଲା। ଫଳରେ ମାଜିଷ୍ଟ୍ରେଟଙ୍କ ସହାୟତାରେ ଚାବି ଭଙ୍ଗାଯାଇ କିରୋସିନି ଜବତ କରାଯାଇଥିଲା। ସେଥିମଧ୍ୟରୁ ୩ ଲିଟର କିରୋସିନି ପରୀକ୍ଷା ପାଇଁ ପଠାଇବା ସହ ସ୍ଥାନୀୟ ଡିଲର ଦିବାକର ସେନାପତିଙ୍କ ଜିମାରେ ଜବତ କିରୋସିନି ରଖାଯାଇଛି। ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରାଯାଇ ଯୋଗାଣ ବିଭାଗ ହେପାଜତକୁ ଅଣାଯାଇଛି। ପରୀକ୍ଷା ରିପୋର୍ଟ ହସ୍ତଗତ ହେବା ପରେ ଫୌଜଦାରୀ ମାମଲା ରୁଜୁ ହେବ ବୋଲି ଯୋଗାଣ ନିରୀକ୍ଷକ ଶ୍ରୀ ସିଂ ସୂଚନା ଦେଇଛନ୍ତି। ଅସାଧୁ ଡିଲରମାନେ ପିଡିଏସ୍ କିରୋସିନିକୁ ବାଟମାରଣା କରି ଚୋରା ବେପାରୀଙ୍କୁ ବିକ୍ରୟ କରିଦେଉଛନ୍ତି। ବ୍ୟବସାୟିକ ଭିତ୍ତିରେ ଡିଲରମାନଙ୍କ ଠାରୁ ହାସଲ କରିଥିବା କିରୋସିନିକୁ ଡିଜେଲରେ ରୂପାନ୍ତରିତ କରିବା ଉଦ୍ଦେଶ୍ୟରେ ମହଜୁଦ କରି ରଖିଥିବା ଆଶୁତୋଷ ଦାସଙ୍କ ଘର ଓ ବାଡିରୁ କିରୋସିନି ଜବତ ହେବା ଏହା ଚଳିତ ବର୍ଷ ଦ୍ୱିତୀୟ ଘଟଣା। ଏହି ବଙ୍ଗୀୟ ଯୁବକ ଗତ ମାର୍ଚ୍ଚ ୧୭ ତାରିଖରେ ଯୋଗାଣ ନିରୀକ୍ଷକଙ୍କ ହାତରେ ଧରାପଡିଥିଲା। ଏଥିସହ ୫୬ ଲିଟର ଚୋରା ପିଡିଏସ୍ କିରୋସିନି ଜବତ କରାଯାଇ ଫୌଜଦାରୀ ମାମଲା ରୁଜୁ କରାଯାଇଥିଲା। ଅନୁରୂପ ଭାବେ ସେହି ଅଂଚଳରେ ଜନୈକ ବଙ୍ଗୀୟ ଯୁବକ ଭୂତିଆରେ ଅନ୍ୟ ସ୍ଥାନୀୟ ଯୁବକ ସହ ମିଶି ଶହ ଶହ ଲିଟର ଚୋରା କିରୋସିନିକୁ ଡିଜେଲରେ ରୂପାନ୍ତରିତ କରି ଡାହାଲା ଅଂଚଳର ଆନ୍ତଃରାଜ୍ୟ କିରୋସିନି ଚୋରା ବେପାରୀଙ୍କୁ ହସ୍ତାନ୍ତର କରୁଥିବା ନିତିଦିନିଆ ଘଟଣା। ଏହି କାରବାରରେ ଥାନାର ପୃଷ୍ଠପୋଷକତା ଜଣାଶୁଣା କଥା ହୋଇଥିବାବେଳେ ସ୍ଥାନୀୟ ଅଂଚଳର କେତେକ କୁଜିନେତା ରାଜନୈତିକ ଭାବେ ପ୍ରୋତ୍ସାହନ ଦେଉଥିବା ଜଣାଯାଇଛି। ଛଅବର୍ଷ ପୂର୍ବେ ପୂର୍ବତନ ଥାନା ଇନ୍ସିପେକ୍ଟର ଜ୍ଞାନ ମିଶ୍ର ଚୋରା ଭୂତିଆ ବେପାରୀ ଦ୍ୱୟଙ୍କୁ ଗିରଫ କରି ଜେଲ୍ ପଠାଇବା ସହ ପ୍ରାୟ ୪୦୦ ଲିଟର କିରୋସିନି ଜବତ କରିଥିଲେ। ଏହାପରେ ଥାନା ପକ୍ଷରୁ ମାସିକିଆ ବ୍ୟବସ୍ଥା କରାଯାଇ ଆଉ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.