Home Top News ଚୋରା ବାଇକ୍ କିଣିଥିବା ଯୁବକ ସମେତ ବାଇକ୍ ଲୁଟେରା ଗ୍ୟାଙ୍ଗର ୫ ଗିରଫ, ବାଲେଶ୍ୱର ଓ...

ଚୋରା ବାଇକ୍ କିଣିଥିବା ଯୁବକ ସମେତ ବାଇକ୍ ଲୁଟେରା ଗ୍ୟାଙ୍ଗର ୫ ଗିରଫ, ବାଲେଶ୍ୱର ଓ ଭଦ୍ରକ ଜିଲାରୁ ଚୋରା ୧୬ ବାଇକ୍ ଜବତ

66

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ପୁଲିସ୍ ଏକ ଚୋରି ମୋଟର ସାଇକେଲ୍ ଲୁଟେରାର ସନ୍ଧାନ କରିବାକୁ ଯାଇ ବଡଧରଣର ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି। ଏବଂ ଏହି ଗ୍ୟାଙ୍ଗ ନିକଟରୁ ୧୬ଟି ବାଇକ୍ ଜବତ କରିବା ସହ ଏଥିରେ ସଂପୃକ୍ତ ୪ ଜଣ ଚୋର ଓ ଜଣେ ଚୋରା ବାଇକ୍ କିଣିଥିବା ଲୋକ ସମେତ ୫ ସମୁଦାୟ ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲା ଏସ୍‌ଡିପିଓ ପ୍ରଭାସ ରଂଜନ ପାଲ। ଶ୍ରୀ ପାଲ ଦେଇଥିବା ତଥ୍ୟ ମୂଳେ ଗତ ୧ ତାରିଖ ଦିନ ରାତିରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ପଠାଣମହଲା ଗ୍ରାମନିବାସୀ ସେକ୍ ଇନାୟାତୁଲ୍ଲା ଗ୍ରାମାଞ୍ଚଳ ଥାନାରେ ଦେଇଥିବା ଅଭିଯୋଗ ପତ୍ର ଅନୁସାରେ ସେ ଭଦ୍ରକାଳୀ ମନ୍ଦିର ପରିସରରେ ହୋଇଥିବା ଘୋଡା ମେଳନ ଦେଖିବାକୁ ଯାଇଥିବାବେଳେ ତାର ଓଡି-୨୨ଏଚ-୪୬୭୪ ନମ୍ବରର ବାଜାଜ୍ ସିଟି ୧୦୦ ମୋଟର ସାଇକେଲ୍‌ଟି ଚୋରି ହୋଇଥିଲା। ଏ ସଂପର୍କରେ ଅଭିଯୋଗ ପାଇ ଗ୍ରାମାଞ୍ଚଳ ଥାନା ପକ୍ଷରୁ ଅନୁସନ୍ଧାନ ଜାରି ରହିଥିବାବେଳେ ତିହିଡି ଥାନା ଅଧୀନସ୍ଥ ତାଳପଦା ଗ୍ରାମନିବାସୀ ୰ ଧନେଇ ବେହେରାର ପୁତ୍ର ଚନ୍ଦନ (୨୨) ଏହି ଚୋରିରେ ସଂପୃକ୍ତ ଥିବାର ଜାଣିବାକୁ ପାଇଥିଲା। ଇତିମଧ୍ୟରେ ପୁଲିସ୍ ତା ଉପରେ ନଜର ରଖିଥିବାବେଳେ ଗତକାଲି ଗୁଜିଦରଡା ଅଂଚଳରୁ ଗିରଫ କରିବା ପରେ ତାର ଘରୁ ଚୋରି ବାଇକ୍‌ଟି ସହ ୩ଟି ଚୋରା ବାଇକ୍ ଜବତ ହୋଇଥିଲା।

ପରେ ତଦନ୍ତ ସମୟରେ ଚନ୍ଦନର ବୟାନ ମୂଳେ ବାଲେଶ୍ୱର ଜିଲା ରୁପ୍‌ସା ଥାନା ଅଧୀନସ୍ଥ ଆଗିରିଆ ଗ୍ରାମନିବାସୀ ମନ୍ମଥ ଗିରିଙ୍କ ପୁତ୍ର ସୁବ୍ରତ ଓରଫ ପଚା ଓରଫ ବାବୁ (୨୨), ଏହି ଥାନା ନିବାସୀ ପୁରଡିଆ ଗ୍ରାମର କାଶୀନାଥ ରାଉଳଙ୍କ ପୁତ୍ର ବାବୁଲା (୩୦), ସାବରଙ୍ଗ ଥାନା ନିବାସୀ ବାଲିବିଲି ଗ୍ରାମର ବାବାଜୀ ମଲ୍ଲିକଙ୍କ ପୁତ୍ର ଶିବପ୍ରସାଦ (୨୪) କୁ ଗିରଫ କରାଯାଇ ରୁପ୍‌ସା, ବସ୍ତା, ବାଲେଶ୍ୱର, ବାଲେଶ୍ୱର ଟାଉନ୍‌, ଭଦ୍ରକ ଗ୍ରାମାଞ୍ଚଳ ଥାନା, କଷାଫଳ ମେରାଇନ୍ ଥାନା ଏରିଆରୁ ଚୋରି ହୋଇଥିବା ସମୁଦାୟ ୧୬ଟି ମୋଟର ସାଇକେଲ୍‌କୁ ଜବତ କରିବା ସହ ଏକ ଚୋରା ମୋଟର ସାଇକେଲ୍ କିଣିଥିବା ତିହିଡି ଥାନା ଅଧୀନସ୍ଥ ଦୋଳସାହି-ଗାଜିପୁର ନିବାସୀ ଗୋପବନ୍ଧୁ ମହାନ୍ତିଙ୍କ ପୁତ୍ର ଛୁଆପୁଅ ଓରଫ ବିଶ୍ୱରଂଜନ (୨୭) କୁ ମଧ୍ୟ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ ରୁପ୍‌ସା ଥାନା ଅଂଚଳର ବାବୁ ଓରଫ ସୁବ୍ରତ ଓ ବାବୁଲା ଦୁଇଜଣ କୁଖ୍ୟାତ ଲୁଟେରା ବୋଲି ଜଣାପଡିଛି। ଏମାନଙ୍କ ନାମରେ ବାଲେଶ୍ୱର ଓ ଭଦ୍ରକ ଅଂଚଳରେ ୧୮ ରୁ ଉର୍ଦ୍ଧ୍ୱ କେଶ୍ ଥିବାର ଜଣାପଡିଛି। ଏ ସମସ୍ତ ୫ ଜଣଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.