Home ଓଡ଼ିଶା ଚୋରା ଚାଲାଣ ବେଳେ ଜାଇଲୋ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ସହ ଜଣେ ଗିରଫ

ଚୋରା ଚାଲାଣ ବେଳେ ଜାଇଲୋ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ସହ ଜଣେ ଗିରଫ

102

ସମ୍ବଲପୁର, ୨୪/୬ (ଓଡ଼ିଆ ପୁଅ) ସମ୍ବଲପୁର ଜିଲ୍ଲା ରେଂଗାଲି ଥାନା ପୋଲିସ କୋରାପୁଟ ଇଲାକାରୁ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଏହା ଝାରସୁଗୁଡ଼ା ବାଟ ଦେଇ ରାଜ୍ୟ ବାହାରକୁ ବେଆଇନ ଭାବେ ପଠାଯାଉଥିଲା। ଏହି ଧରପକଡ଼ ବାବଦରେ ସୂଚନା ଦେଇ ସଦର ଏସଡ଼ିପିଓ ଭବାନୀ ଶଙ୍କର ଉଦଗାତା କହିଛନ୍ତି ଯେ, ଗତକାଲି ଅପରାହ୍ନରେ କୋରାପୁଟରୁ ଏକ ରୁପେଲି ରଂଗର ଜାଇଲୋ ଗାଡ଼ି (ଓଆର ୦୫ ଏନ ୨୨୨୨)ରେ ସମ୍ବଲପୁର ବାଟ ଦେଇ ଝାରସୁଗୁଡ଼ାକୁ ଗଞ୍ଜେଇ ନିଆଯାଉଥିବା ଖବର ପାଇ ଠେଲକୁଲି ଥାନା ଅଧିକାରୀ ସୁରୁବାବୁ ଛତ୍ରିଆଙ୍କ ନେତୃତ୍ୱରେ ଅନ୍ୟ ଅଧିକାରୀ ମାନେ ଦଶ ନମ୍ବର ରାଜ୍ୟ ରାଜପଥର ଗୁରୁପାଲି ଛକ ଠାରେ ନାକାବନ୍ଦୀ କରିଥିଲେ। ଏହି ସମୟରେ ଉକ୍ତ ଜାଇଲୋ ଆସିବା କ୍ଷଣି ପୋଲିସ ଦଳ ଏହାକୁ ଅଟକାଇ ଖାନତଲାସ କରିଥିଲେ। ଖାନତଲାସ ବେଳେ ଏହି ଗାଡ଼ିରେ ରଖାଯାଇଥିବା ଦୁଇଟି ପ୍ଲାଷ୍ଟିକ ବ୍ୟାଗରେ ଯଥା କ୍ରମେ ପଚାଶ କେଜି ଓ ତେପନ କେଜି ଗଞ୍ଜେଇ ଠାବ କରାଯାଇଥିଲା। ଏହା ବାଦ ଗାଡ଼ିର ଚାଳକ ଗଂଗାଧର (୨୮)ଙ୍କ ଠାରୁ ଯାଂଚ ବେଳେ ଏକ ମୋବାଇଲ ଫୋନ ସହିତ ଏକ ଏୟାର ବ୍ୟାଗରେ ରଖିଥିବା ନଗଦ ଛବିଶ ଶହ ଟଙ୍କା ଜବତ କରାଯାଇଥିଲା। ଗାଡ଼ି ଚାଳକର ଘର କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅଂଚଳରେ ବୋଲି ଜଣାପଡ଼ିଛି। ବ୍ୟବହୃତ ଗାଡ଼ି ଅନ୍ୟ ଜଣଙ୍କ ନାମରେ ପଞିକୃତ ହୋଇଥିବା ତଦନ୍ତ ବେଳେ ଜଣାପଡ଼ିଛି। ରେଂଗାଲିର ଅତିରିକ୍ତ ତହସିଲଦାର ପ୍ରଦୀପ କୁମାର ବେହେରାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ, ମହିନ୍ଦ୍ରା ଜାଇଲୋ ଗାଡ଼ି, ମୋବାଇଲ ଫୋନ ଆଦି ସାମଗ୍ରୀ ଜବତ କରାଯାଇଥିଲା। ମାମଲା ବାବଦରେ ଥାନାର କେସ ସଂଖ୍ୟା. ୯୩/୨୦୧୯ ମୂଳେ ଏନଡ଼ିପିଏସ ଆଇନର ବିଭିନ୍ନ ଧାରାରେ ମୋକଦ୍ଦମା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଥିବା ଶ୍ରୀ ଉଦଗାତା ସୂଚନା ଦେଇଛନ୍ତି। ଜବତ ଗଞ୍ଜେଇର ବଜାର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ। ଆଜି ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ। ଏହି ଖାନତଲାସରେ ଥାନାର ଏସଆଇ ସୁଦୀପ୍ତା ରାଉତରାୟ, ହାବିଲଦାର ସୁଭାଷ ଚନ୍ଦ୍ର ମାଝୀ, ଫଗୁ ଓରାମ, ହରିପାଲ ସିଂହ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.