Home ଓଡ଼ିଶା ଚାହିଦା ଅନୁଯାୟୀ ପିଆଜ ଉତ୍ପାଦନ ଓ ସଂରକ୍ଷଣ କ୍ଷେତ୍ରରେ ସରକାର ବିଫଳ ପ୍ରତିକାର ଦାବିରେ କିଷାନ...

ଚାହିଦା ଅନୁଯାୟୀ ପିଆଜ ଉତ୍ପାଦନ ଓ ସଂରକ୍ଷଣ କ୍ଷେତ୍ରରେ ସରକାର ବିଫଳ ପ୍ରତିକାର ଦାବିରେ କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

945

ଭୁବନେଶ୍ୱର, ତା ୨/୧୨ (ଓଡ଼ିଆ ପୁଅ) – ସାଧାରଣ ଲୋକଙ୍କ ପଖାଳ ସାଙ୍ଗକୁ ପିଆଜ ଦୈନନ୍ଦିନର ଖାଦ୍ୟ। ପିଆଜ କିଲୋ ୮୦ରୁ ୯୦ ଟଙ୍କା। ଫଳରେ ସାରା ରାଜ୍ୟରେ ଖାଉଟି ହନ୍ତସନ୍ତ। ପିଆଜର ଦର ହୁ ହୁ ହୋଇ ବଢ଼ିଚାଲିଥିବା ବେଳେ ସରକାର ଏହାର ଦୃଢ଼ ମୁକାବିଲା ଓ ବଜାର ଦର ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, ସୁଧିର ପରିଛା, ଜତି ପ୍ରଧାନ, ଚୈତରାମ ନାଏକ, ସନ୍ତୋଷ ସାହୁ, କୃଷ୍ଣ ଚନ୍ଦ୍ର ନେପାକ, ବୃନ୍ଦାବନ ଖଟେଇ, ସୁବାଷ ରାଉତ, ଗୋବିନ୍ଦ ମିଶ୍ର, ସୁବୋଧ ବେହେରା, ସୁଧାକର ସାହୁ, ବସନ୍ତ ମହାରଣା, ଉମେଶ ସାହୁ ପ୍ରମୁଖ ବିଭିନ୍ନ ଜିଲ୍ଲାର କିଷାନ କଂଗ୍ରେସ କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି। ଆଜି ଏହି ମର୍ମରେ ପିଆଜ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ତୁରନ୍ତ ଏକ ବିଧିବଦ୍ଧ ବ୍ୟବସ୍ଥା କରିବା ଦାବିରେ ପିସିସି କିଷାନ କଂଗ୍ରେସ ପକ୍ଷରୁ ଓଡ଼ିଶାର ରାଜ୍ୟପାଳଙ୍କ ନିକଟକୁଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ପିଆଜ ଏକ ଅର୍ଥକରୀ ଫସଲ। ଓଡ଼ିଶାର ସବୁ ଅଞ୍ଚଳରେ ପ୍ରାୟ ପିଆଜ ଚାଷ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ରାଜ୍ୟ ପାଇଁ ବାର୍ଷିକ ୪ ଲକ୍ଷ ଟନ୍ ପିଆଜର ଚାହିଦା ରହିଛି। କିନ୍ତୁ ପିଆଜ ଉତ୍ପାଦନ ସମୟରେ ସଠିକ୍ ଭାବରେ ସଂରକ୍ଷଣ କରିବା ଏବଂ ଚାହିଦା ଅନୁଯାୟୀ ଉତ୍ପାଦନ ବୃଦ୍ଧି କରିବା ଦିଗରେ ବିଜେଡ଼ି ସରକାର ତାର ୨୦ ବର୍ଷ ଶାସନ କାଳରେ ଅଦ୍ୟାବଧି କୌଣସି ଏକ ଦୀର୍ଘମିଆଦୀ ଯୋଜନା କାର୍ଯ୍ୟକାରୀ କରି ନାହାନ୍ତି। ଫଳରେ ପିଆଜ ପାଇଁ ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ରାଜ୍ୟଗୁଡ଼ିକ ଉପରେ ବାରମ୍ବାର ଓଡ଼ିଶା ରାଜ୍ୟକୁ ନିର୍ଭର କରିବାକୁ ପଡ଼ୁଛି। ରାଜ୍ୟରେ ପ୍ରାୟ ୮୦ ହଜାର ହେକ୍ଟରରୁ ଅଧିକ ଜମିରେ ପ୍ରତି ହେକ୍ଟରରୁ ୧୨ ଟନ୍ ହିସାବରେ ପିଆଜ ଚାଷ କରାଯାଇ ବାର୍ଷିକ୧୦ଲକ୍ଷ ଟନ୍ରୁ ଉର୍ଦ୍ଧ ପିଆଜ ଉତ୍ପାଦନ କରାଯାଇ ପାରିବ ଏବଂ ରାଜ୍ୟ ତାର ଚାହିଦା ମେଣ୍ଟାଇବା ସହିତ ବାହାର ରାଜ୍ୟକୁ ପିଆଜ ରପ୍ତାନୀ କରାଗଲେ ଚାଷୀ ଲାଭବାନ ହୋଇ ପାରିବେ। କିନ୍ତୁ ରାଜ୍ୟ ସରକାର କାଗଜ କଲମରେ ୩୫ ହଜାର ହେକ୍ଟରରେ ପିଆଜ ଚାଷ କରାଯାଇ ବାର୍ଷିକ ସାଢ଼େ ତିନି ଲକ୍ଷ ଟନ୍ ପିଆଜ ଉତ୍ପାଦନ କରୁଥିବା ଦର୍ଶାଉଥିବା ବେଳେ ଏହି ସବୁ ପିଆଜକୁ ଚାଷୀଙ୍କଠାରୁ କିଣିବା ଓ ସଂରକ୍ଷଣ କରିବାରେ ବିଫଳ ହୋଇଛନ୍ତି। ଯାହାର ଫାଇଦା ପଡ଼ୋଶୀ ଛତିଶଗଡ଼ ବ୍ୟବସାୟୀମାନେ ପାଉଛନ୍ତି। ଓଡ଼ିଶାର ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର, ବରଗଡ଼, ଫୁଲବାଣୀ, କୋରାପୁଟ, ଦେବଗଡ଼ ଅନୁଗୋଳ ପ୍ରଭୃତି ଜିଲ୍ଲାଗୁଡ଼ିକରେ ଉତ୍ପାଦିତ ପ୍ରଚୁର ଓଲି ପିଆଜ ଓ ଗଞ୍ଜାମ, ନୟାଗଡ଼ ଭଳି ଅନ୍ୟ ଜିଲ୍ଲାଗୁଡ଼ିକରେ ଦେଶୀ ପିଆଜ ଉତ୍ପାଦନ କରି ଚାଷୀ ଗୁରୁତର କ୍ଷତି ସହୁଛନ୍ତି। ପିଆଜ ଉତ୍ପାଦନ ପାଇଁ ରାଜ୍ୟରେ ଯଥେଷ୍ଟ ସୁଯୋଗ ରହିଥିବା ବେଳେ ଚାଷୀଙ୍କୁ ଠିକଣା ସମୟରେ ବିହନ, ଅତ୍ୟାଧୁନୀକ ଜ୍ଞାନ କୌଶଳ, ପିଆଜ ସଂରକ୍ଷଣ ଏବଂ ବିକ୍ରିବଟା ପାଇଁ ମଣ୍ଡି ବ୍ୟବସ୍ଥା କରାଯାଇ ନାହିଁ। ପିଆଜ ସମସ୍ୟାର ସମାଧାନ ପାଇଁ ବିଗତ ୩ ବର୍ଷ ତଳେ ଆଳୁ ମିଶନ ପରି ପିଆଜ ମିଶନ ଗଠନ କରାଗଲା। ସରକାରଙ୍କ ବିଚିତ୍ର ନୀତି ଓ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁ ରାଜ୍ୟରେ ପିଆଜର ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଛନ୍ତି। ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ପିଆଜ ଉତ୍ପାଦନ ଅଞ୍ଚଳ ବଢ଼ାଇବା ସହିତ ସଂରକ୍ଷଣ ବ୍ୟବସ୍ଥା ଓ ଚାଷୀଙ୍କୁ ପିଆଜ ଉତ୍ପାଦନ ଓ ସାଇତା ଗୃହ ବାବଦରେ ୯୦ ପ୍ରତିଶତ ସରକାରୀ ରିହାତି, ପିଆଜ ମଣ୍ଡି ସ୍ଥାପନ ଓ ପିଆଜ ଉତ୍ପାଦନ ଓ ବିକ୍ରୟ ଚାଷୀ ସଂଘ ଗଠନ କରିବା ଦାବିରେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କ ହସ୍ତକ୍ଷେପ ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.