Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ବ୍ଲକ୍‌ରେ ମିଳିତ ଜନ ଶୁଣାଣି ଶିବିର, ୨୦୨ ଅଭିଯୋଗ ଆଗତ

ଚାନ୍ଦବାଲି ବ୍ଲକ୍‌ରେ ମିଳିତ ଜନ ଶୁଣାଣି ଶିବିର, ୨୦୨ ଅଭିଯୋଗ ଆଗତ

15

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ମାସର ଶେଷ ସୋମବାରରେ ଚାନ୍ଦବାଲି ବ୍ଲକ୍ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଏସ୍‌.ପି. ବରୁଣ ଗୁଣ୍ଟୁପାଲ୍ଲି ଏହି ଶିବିରରେ ଯୋଗ ଦେଇ ସମୁଦାୟ ୨୦୨ ଜଣଙ୍କ ଠାରୁ ଅଭିଯୋଗ ଶୁଣିଥିଲେ । ସେଥି ମଧ୍ୟରେ ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଅଭିଯୋଗ ୧୫୦ଟି ଓ ଗ୍ରାମ ସମସ୍ୟା ସମ୍ବନ୍ଧୀୟ ୫୨ ଟି ଅଭିଯୋଗ ଥିଲା । ରେଡ଼କ୍ରସ୍ ସମ୍ବନ୍ଧୀୟ ଜଣେ ଆବେଦନକାରୀଙ୍କୁ ଚିକିତ୍ସା ବାବଦ ୩ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଭଦ୍ରକ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ଚାନ୍ଦବାଲି ବି.ଡ଼ି.ଓ. ଜ୍ୟୋତି ବିକାଶ ଦାସ ପ୍ରମୁଖ ଏହି ଶିବିରରେ ଯୋଗ ଦେଇ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ଉକ୍ତ ବ୍ଲକ୍ ଓ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ମଧ୍ୟ ଏହି ଶିବିରରେ ଉପସ୍ଥିତ ରହି ଜନାଭିଯୋଗ ସବୁ ର ସମାଧାନ ପାଇଁ ଆବଶ୍ୟକ ମତେ ଜିଲ୍ଲାପାଳଙ୍କ ଠାରେ ତଥ୍ୟ ରଖିଥିଲେ ଡେପୁଟୀ କଲେକ୍ଟର ରାଜୀବ ହାଁସଦା ଅଭିଯୋଗ ଉପସ୍ଥାପନା ଓ ସାଧାରଣ ବିବିଧ ବିଭାଗର କର୍ମଚାରୀ ଲିସାରାଣୀ ରାଉତ ଅଭିଯୋଗ ପଞ୍ଜିକରଣରେ ସହଯୋଗ କରିଥିଲେ । ଆଗତ ଅଭିଯୋଗ ସବୁ ମଧ୍ୟରେ ସର୍ବାଧିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ରେସନ କାର୍ଡ଼ ଆଦି ସମ୍ବନ୍ଧୀୟ ଥିଲା । ସରକାରୀ ନିୟମ ମୁତାବକ ଅଭିଯୋଗ ସବୁର ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.