Home ଓଡ଼ିଶା ଚଳିବା ପାଇଁ ଲୋକଙ୍କୁ ସିଧାସଳଖ ଅର୍ଥ ଦିଆଯାଉ – ନିରଞ୍ଜନ ପଟ୍ଟନାୟକ

ଚଳିବା ପାଇଁ ଲୋକଙ୍କୁ ସିଧାସଳଖ ଅର୍ଥ ଦିଆଯାଉ – ନିରଞ୍ଜନ ପଟ୍ଟନାୟକ

205

ଭୁବନେଶ୍ୱର ୧୬/୫ (ଓଡ଼ିଆ ପୁଅ) – ଆତ୍ମ ନିର୍ଭର ଭାରତ ପାଇଁ ସରକାର ପ୍ରତିଦିନ ପ୍ୟାକେଜ୍ ଘୋଷଣା କରୁଛନ୍ତି। ଏହା ଏକ ଋଣ ବିକ୍ରି ବିଜ୍ଞାପନ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଜି ପ୍ରେସ୍ ବାର୍ତ୍ତା ମାଧ୍ୟମରେ କହିଛନ୍ତି। ସେ ଆହୁରି କହିଛନ୍ତି ପ୍ରତିଦିନ କିଛି ପ୍ରଚାର କରିବା ହେଲା ଏହାର ଆଭିମୁଖ୍ୟ। ଯେତିକି ପ୍ୟାକେଜ୍ ଅର୍ଥ ମନ୍ତ୍ରୀ ପ୍ରକାଶ କରିଛନ୍ତି ସେଥିରୁ ମୋର ମନେହୁଏ ୯୦ ରୁ ୯୫ ପ୍ରତିଶତ ଭାଗ ଋଣ ଓ ୫ ରୁ ୧୦ ପ୍ରତିଶତ ଭାଗ ସାହାଯ୍ୟ। ସରକାର ନିଜେ କହିଛନ୍ତି ୮ କୋଟି ପ୍ରବାସୀ ଶ୍ରମିକ ଅଛନ୍ତି। ଏତଦ୍‌ବ୍ୟତୀତ ସହର ଓ ଗାଁ ଗଣ୍ଡାରେ କିଛି ଲୋକ ବିନା ରେସନ କାର୍ଡଧାରୀ ଅଛନ୍ତି। ଏହି ଲୋକଙ୍କୁ ମୁଣ୍ଡପିଛା ମାସକୁ ୫ କେଜି ଚାଉଳ ଓ ପରିବାର ପିଛା ୧ କେଜି ଡାଲି ୨ ମାସ ଦେବାପାଇଁ ନିଷ୍ପତି କରିଛନ୍ତି। ଏହିପରି ବ୍ୟକ୍ତିଙ୍କର ୧୦ କେଜି ଚାଉଳ ଓ ୨ କେଜି ଡାଲିରେ ଦୁଃଖ ଯିବକି? ୨ ମାସ ହେଲା ରୋଜଗାର ନାହିଁ, ଦୁଃଖ ଦୁର୍ଦ୍ଦଶାରେ ରାସ୍ତାରେ ପଡିଛନ୍ତି। ଏହା କି ପ୍ରକାର ସାହାଯ୍ୟ? ୨୦୦୬ ମସିହାରୁ ଏନ୍‌ଡିଆରଏଫ୍ ଆଇନ୍‌ରେ ଏହା ଲିପିବଦ୍ଧ ଅଛି ଯେ, ଦୁର୍ବିପାକ ସମୟରେ ସବୁଲୋକଙ୍କୁ ମାଗଣାରେ ସାହାଯ୍ୟ କରିବା ପାଇଁ। ଯେଉଁଦିନ ଠାରୁ ତାଲା ବନ୍ଦ କଲେ ସେହିଦିନ ଠାରୁ ସରକାର ସାହାଯ୍ୟ ଦେବା ନ୍ୟାୟୋଚିତ ଥିଲା, ଏହା ସାଧାରଣ ଲୋକଙ୍କ ଅଧିକାର। ଏହା କଲେ ନାହିଁ କାହିଁକି? ଜନସାଧାରଣଙ୍କୁ ଦୁଃଖ ଦୁର୍ଦ୍ଦଶାକୁ ଠେଲି ଦେଲେ। ମଧ୍ୟବିତ ପରିବାରମାନେ ୨ ପ୍ରତିଶତ କମ୍ ସୁଧରେ ଘର ଋଣ କରିପାରିବେ। ବର୍ତମାନ ମଧ୍ୟବିତ ପରିବାରଙ୍କ ପାଖରେ ଅର୍ଥ ନାହିଁ କି ଚାକିରି ନାହିଁ। ଘର ଋଣ କରିବେ କିପରି? ଏ ଆଇନ୍ ମଧ୍ୟ ନୂଆ ନୁହେଁ। ଏହା ୨୦୧୭ ମସିହାରୁ ପ୍ରଚଳନ କରାଯାଇଛି। ରାସ୍ତାକଡ ଦୋକାନୀ ଯେଉଁମାନେ କି ପରିବା ବିକ୍ରି କରୁଛନ୍ତି, ଚା, ପାନ, ଦହିବରା, ଗୁପ୍‌ଚୁପ୍ ଇତ୍ୟାଦି ବିକ୍ରି କରୁଛନ୍ତି, ଏମାନଙ୍କ ପାଖରେ ଖାଇବାକୁ ନାହିଁ, ଋଣ କିପରି କରିବେ। ଟଙ୍କା ସାହାଯ୍ୟ କରିବା ମନୋବୃତି ଥିଲେ ସିଧାସଳଖ ଲୋକମାନଙ୍କୁ ୫୦୦୦ ରୁ ୭୫୦୦ ପର୍ଯ୍ୟନ୍ତ ଅର୍ଥ ସାହାଯ୍ୟ କରି ସିଧା ବ୍ୟାଙ୍କ ଖାତାରେ ଜମା କରନ୍ତୁ। ତାହେଲେ ସେମାନେ ଚଳିବେ, ବ୍ୟବସାୟ କରିବେ ଓ ଟଙ୍କା ସରକ୍ଲୁଲେସନ ହେବ। ଏହାଦ୍ୱାରା ଅର୍ଥନୀତିରେ କିଛି ଉନ୍ନତି ପାଇଁ ପ୍ରଭାବ ପଡିବ। ସରକାରଙ୍କୁ ଅନୁରୋଧ ଲୋକଙ୍କୁ ଆଉ ଟୋପି ନ ଚଢାଇ, ଲାଠି ନମାରି କିପରି ବଂଚି ରହିବେ ତା ପାଇଁ ସୁଚିନ୍ତିତ ବ୍ୟବସ୍ଥା କରନ୍ତୁ। ନଚେତ୍‌୍ ଅବସ୍ଥା ଆହୁରି ଭୟାନକ ହେବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.