Home ଓଡ଼ିଶା ଚତୁର୍ଥ ଦିନରେ ବିରଳା ଟାୟାର୍ସ ଶ୍ରମିକଙ୍କ ଧାରଣା : କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟସ୍ଥତାରେ ତ୍ରିପାକ୍ଷିକ ବୈଠକ –...

ଚତୁର୍ଥ ଦିନରେ ବିରଳା ଟାୟାର୍ସ ଶ୍ରମିକଙ୍କ ଧାରଣା : କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟସ୍ଥତାରେ ତ୍ରିପାକ୍ଷିକ ବୈଠକ – ମାସକର ଦରମା ପ୍ରଦାନ ସହ ଉତ୍ପାଦନ ଆରମ୍ଭ ପାଇଁ ପରାମର୍ଶ

66

ବାଲେଶ୍ୱର, ୨୩ା୮(ଓଡ଼ିଆ ପୁଅ/ଅଭୟ ଦାସ): ବକେୟା ୮ ମାସର ଦରମା ପ୍ରଦାନ ତଥା ଅନ୍ୟାନ୍ୟ ଦାବି ନେଇ ବିରଳା ଟାୟାର୍ସ ଫାଟକ ସମ୍ମୁଖରେ ଚାଲିଥିବା ଶ୍ରମିକ ଧାରଣା ଶନିବାରଦିନ ଚତୁର୍ଥ ଦିନରେ ପହଞ୍ଚିଛି। ଶ୍ରମିକଙ୍କ ସମେତ ସେମାନଙ୍କ ପରିବାର ବର୍ଗ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ତେବେ ଶ୍ରମିକଙ୍କ ସମସ୍ୟାର ଆଶୁ ସମାଧନ ପାଇଁ ଦ୍ୱିତୀୟ ଦିନରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଧାରଣାସ୍ଥଳକୁ ଯାଇ ଦ୍ୱିପାକ୍ଷିତ ଆଲୋଚନା ଉଦ୍ୟମ କରି ବିଫଳ ହେବା ଓ ତାଙ୍କ ଉପସ୍ଥିତିରେ ଉତ୍ତେଜିତ ଶ୍ରମିକ ଭାରପ୍ରାପ୍ତ ଶ୍ରମ ଅଧିକାରୀଙ୍କୁ ମାଡ଼ ମାରିବା ବିବାଦ ପରେ ଶନିବାର ଅଣ୍ଟା ଭିଡ଼ିଥିଲେ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ସେ ଧାରଣାରତ ଶ୍ରମିକ ଓ ଶିଳ୍ପାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସୁସ୍ଥ ବାତାବରଣ ସୃଷ୍ଟି ପାଇଁ ଉଦ୍ୟମ କରିଥିଲେ। କାରଖାନା ଏଡମିନଷ୍ଟ୍ରେସନ କାର୍ଯ୍ୟାଳୟରେ ଆୟୋଜିତ ବୈଠରେ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କ ସମେତ କେତେକ ଶ୍ରମିକନେତା ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଶ୍ରମିକଙ୍କ ବକେୟା ଦରମା ପ୍ରଦାନ ସାଙ୍ଗକୁ ସୁସ୍ଥ ବାତାବରଣ ମଧ୍ୟରେ ଉତ୍ପାଦନ ଆରମ୍ଭ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଶ୍ରମିକଙ୍କ ପକ୍ଷରୁ ଅତିକମ୍‌ରେ ୪ ମାସର ଦରମା ପ୍ରଦାନ ସହ ଉତ୍ପାଦନ ଆରମ୍ଭ ପାଇଁ ଦାବି କରାଯାଇଥିବା ବେଳେ କମ୍ପାନି କର୍ତ୍ତୃପକ୍ଷ ମାତ୍ର ଗୋଟିଏ ସପ୍ତାହର ପେମେଣ୍ଟ ଦେବାକୁ ରାଜି ହୋଇଥିଲେ। ଦୀର୍ଘ ସମୟର ଆଲୋଚନା ପରେ ମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଗୋଟିଏ ମାସର ଦରମା ଦୁଇ କିସ୍ତିରେ ପ୍ରଦାନ ପାଇଁ କର୍ତ୍ତୃପକ୍ଷ ଯଦିଚଃ ରାଜି ହୋଇଥିଲେ, ତେବେ କମ୍ପାନିର କୋଲକାତାସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ଅନୁମୋଦନ ପରେ ଏନେଇ ଉଚିତ ପଦକ୍ଷେପ ନିଆଯିବ ବୋଲି ପ୍ରତିନିଧିମାନେ କହିଥିଲେ। ଏହି ବୈଠକରେ କୌଣସି ପକ୍କା ନିର୍ଯ୍ୟାସ ବାହାରି ନଥିଲେ ମଧ୍ୟ ଖୁବଶୀଘ୍ର ଶ୍ରମିକଙ୍କ ସମସ୍ୟା ସମାଧାନ ନେଇ ମନ୍ତ୍ରୀ ଓ ଶିଳ୍ପାନୁଷ୍ଠାନ କର୍ତ୍ତୃପକ୍ଷ ଆଶାବାଦୀ ଥିବା ଜଣାପଡ଼ିଛି। ତେବେ ବାଲେଶ୍ୱରର ଏକମାତ୍ର ବୃହତ ଶିଳ୍ପାନୁଷ୍ଠାନର ପୁନରୁତ୍ଥାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ଶିଳ୍ପମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ବି ଆଗରୁ ଚିଠି ଲେଖିଥିବା ନେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ମାତ୍ର ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ବେଳେ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆପାତତଃ କିଛି ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.