Home ଜିଲ୍ଲା ପରିକ୍ରମା ଘଟଣାର ରଫାନାମା ପରେ ବି ଧୁଷୁରୀ ଥାନା ପୁଲିସ୍ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଛି, ଆବେଦନକାରୀଙ୍କୁ ଭୁଲ୍...

ଘଟଣାର ରଫାନାମା ପରେ ବି ଧୁଷୁରୀ ଥାନା ପୁଲିସ୍ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଛି, ଆବେଦନକାରୀଙ୍କୁ ଭୁଲ୍ ଆରଟିଆଇ ତଥ୍ୟ, ନ୍ୟାୟ ନମିଳିଲେ ଆମରଣ ଅନଶନ ଚେତାବନୀ

38

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୁର୍ନୀତିକୁ ରୋକିବା ଦିଗରେ ସରକାର ସୂଚନା ଅଧିକାର ଆଇନ୍ ପ୍ରଣୟନ କରିଛନ୍ତି । କିନ୍ତୁ ଭଦ୍ରକ ଜିଲାର ଖୋଦ୍ ଜିଲା ପୁଲିସ୍ ପ୍ରଶାସନ ଏହି ଆଇନ୍‌କୁ କିଭଳି ଖାମଖିଆଲି ମନୋଭାବ ନେଇ ଜଣେ ଆବେଦନକାରୀଙ୍କୁ ଭୁଆଁ ବୁଲାଇଛନ୍ତି, ତାହା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏହି ସୂଚନା ଅଧିକାର ଆଇନ୍ ମୂଳେ ଭୁଲ୍ ତଥ୍ୟ ପାଇଥିବା ଧୁଷୁରୀ ଥାନା ଅଧୀନସ୍ଥ ଲେଙ୍କାସାହି ଗ୍ରାମନିବାସୀ ଆବେଦନକାରୀ ସନାତନ ଦାସଙ୍କ ପତ୍ନୀ ଶୋଭାବତୀ ଆଜି ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲିଙ୍କ ଠାରେ କରିଥିବା ଅଭିଯୋଗ ମୂଳେ ତାଙ୍କର ସ୍ୱାମୀଙ୍କ ପୈତୃକ ସଂପତ୍ତିରେ ପୁରୁଷାନୁକ୍ରମେ ଚଳାଚଳ କରିଆସୁଛନ୍ତି । ଉକ୍ତ ଇଜ୍‌ମାଲି ସଂପତ୍ତିର ୩/୧ ଅଂଶକୁ ଈଶ୍ୱରପୁର ନିବାସୀ ଉଗ୍ରସେନ ମଳିକ ବେଆଇନ୍ ଭାବେ ଖରିଦ କରିଛନ୍ତି । ଯାହାର ଦଲିଲ୍ ଭୁଲ୍ ଥାଇ ନାମଜାରୀ ପଟ୍ଟା ମଧ୍ୟ ତ୍ରୁଟିଯୁକ୍ତ ରହିଛି । ଉକ୍ତ ବ୍ୟକ୍ତି ତାଙ୍କ ସ୍ୱାମୀ ସନାତନଙ୍କ ପୂର୍ବ ପୁରୁଷଙ୍କ ସମାଧିକୁ ମଧ୍ୟ ବେଆଇନ୍ ଭାବେ ଦଲିଲ୍ କରିଛନ୍ତି । ଯେଉଁଥିରେ କାହାରି ଦସ୍ତଖତ ନାହିଁ । ମାତ୍ର ସଂପୃକ୍ତ ବୃକ୍ତି ବଳପୂର୍ବକ ଉକ୍ତ ସ୍ଥାନକୁ ଜୋରଜବରଦସ୍ତ ଦଖଲ କରି ଚଳାଚଳ କରୁଛନ୍ତି । ଏହାର ପ୍ରତିବାଦ କରିବାକୁ ଯାଇ ସନାତନଙ୍କ ପରିବାର ଆକ୍ରୋଶର ଶୀକାର ହେଉଛନ୍ତି । ଏଣୁ ଏହାର ପ୍ରତିବାଦରେ ଶୋଭାବତୀ ଧୁଷୁରୀ ଥାନାରେ ଉଗ୍ରସେନ ମଳିକ ଓ ତାଙ୍କ ପତ୍ନୀ ଓ ପୁତ୍ରଙ୍କ ନାମରେ ଅଭିଯୋଗ କରିବା ପରେ ପୁଲିସ୍ ଉଭୟଙ୍କୁ ଡକାଇ ଏକ ଆପୋଷ ସମାଧାନ ମାଧ୍ୟମରେ ଘଟଣାର ରଫାନାମା କରିଥିଲେ ।

ମାତ୍ର ଉଗ୍ରସେନଙ୍କ ପରିବାର ପୁଲିସ୍ ନିକଟରେ ରଫାନାମାରେ ଦସ୍ତଖତ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପୂର୍ବପରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ବେଆଇନ୍ ସଂପତ୍ତିରେ ହସ୍ତକ୍ଷେପ କରିଥିଲେ । ଏପରିକି ଏହାର ପ୍ରତିବାଦ କରିବାକୁ ଯାଇ ଶୋଭାବତୀଙ୍କ ସ୍ୱାମୀ ଓ ନାବାଳିକା କନ୍ୟା ସେମାନଙ୍କ ଦ୍ୱାରା ନିର୍ଯ୍ୟାତିତ ହୋଇଥିଲେ । ଏ ସଂପର୍କରେ ଥାନାରେ ଅଭିଯୋଗ କଲେ ମଧ୍ୟ ସ୍ଥାନୀୟ ପୁଲିସ୍ ଓଲଟି ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡାଇବାକୁ ଯାଇ ଶୋଭାବତୀଙ୍କ ସ୍ୱାମୀଙ୍କୁ ଫୋନ୍‌ରେ ବିଭିନ୍ନ ଧମକ ଚମକ ଦେଇ ଥାନାକୁ ଡକାଇଥିଲେ । ଏହି ଘଟଣାରେ ଶୋଭାବତୀଙ୍କ ସ୍ୱାମୀ ସନାତନ ଧୁଷୁରୀ ଥାନା ପୁଲିସ୍ ସେମାନଙ୍କ ଅଭିଯୋଗ ମୂଳେ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ତାହାର ସମସ୍ତ ତଥ୍ୟ ସୂଚନା ଅଧିକାର ମୂଳେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ସୂଚନା ଅଧିକାରୀଙ୍କୁ ଗତ ତା ୦୭.୦୬.୨୩ ରିଖରେ ମାଗିଥିଲେ । ମାତ୍ର ଆଶ୍ଚର୍ଯ୍ୟର ବିଷୟ ସଂପୃକ୍ତ ସୂଚନା ଅଧିକାରୀ ତାଙ୍କୁ ମାସକ ମଧ୍ୟରେ ଯେଉଁ ତଥ୍ୟ ଦେଇଛନ୍ତି, ତାହା କାସିନ୍ଦପୁର ଅଂଚଳର ଅନ୍ୟ ଏକ ଜମିଜମା ମୋକଦ୍ଦମାର ରଫାନାମାର ତଥ୍ୟ ଅଟେ । ଏଣୁ ପୁଲିସ୍ ପ୍ରଶାସନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯେଉଁଭଳି ଭାବେ ସନାତନଙ୍କୁ ଭୁଲ୍ ସୂଚନା ଅଧିକାର ତଥ୍ୟ ଦେଇ ବିଭ୍ରାନ୍ତ କରାଇଛି, ସେଥିରେ ସେ ମାନସିକ ଭାବେ ଆଘାତ ପାଇଛନ୍ତି । ଏଣୁ ଜିଲା ଆରକ୍ଷୀ ଅଧୀକ୍ଷକ ସମସ୍ତ ଘଟଣାର ଏକ ନିରପେକ୍ଷ ତଦନ୍ତ କରି ଆବେଦନକାରୀଙ୍କୁ ଆସନ୍ତା ୨୫ ତାରିଖ ସୁଦ୍ଧା ପ୍ରକୃତ ତଥ୍ୟ ପ୍ରଦାନରେ ସହାୟକ ହେବା ସହ ନ୍ୟାୟ ନଦେଲେ ଆସନ୍ତା ୨୬ ତାରିଖରେ ସେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବାର ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.