Home ଜିଲ୍ଲା ପରିକ୍ରମା ଗୋଚର ଜମିରେ ଗୃହ ନିର୍ମାଣ ଓ ଅଙ୍ଗନୱାଡ଼ି କେନ୍ଦ୍ର , ପ୍ରଶାସନିକ ଉଦାସିନତା ବିରୋଧରେ ପୁଣି...

ଗୋଚର ଜମିରେ ଗୃହ ନିର୍ମାଣ ଓ ଅଙ୍ଗନୱାଡ଼ି କେନ୍ଦ୍ର , ପ୍ରଶାସନିକ ଉଦାସିନତା ବିରୋଧରେ ପୁଣି ମହିଳାଙ୍କ ଧାରଣା

81

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୋଚର ଜମିରୁ ତୁରନ୍ତ ମିଶନ ଶକ୍ତି ପକା ଘର ଉଛେଦ, ଭୂମିହୀନ ପରିବାରକୁ ଘରଡିହ ପଟ୍ଟା ଯୋଗାଇବା, ଗୋଚର ଜମିରେ ବେଆଇନ ନିର୍ମାଣକୁ ଅନୁମତି ଦେଇଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ହରିଜନ ଆଦିବାସୀଙ୍କୁ ମୋ କୁଡ଼ିଆ, ବିଜୁ ପକ୍କା ଘର ଯୋଗାଇଦେବା, ଭୂମୀହୀନ ପିଲାଙ୍କ ଗ୍ରାମୀଣସ୍ତରରେ ସର୍ଭେ କରାଯାଇ ଜାତିଗତ ପ୍ରମାଣ ପତ୍ର ଯୋଗାଇ ଦେବାକୁ ଚାଷୀ ମୁଲିଆ ସଂଘର ଜିଲ୍ଲା ସଂପାଦକ ସୁଶାନ୍ତ ଜେନା ଦାବି କରିଛନ୍ତି । ପ୍ରକାଶ ଥାଉକି ବାଉଦପୁର ଠାରେ ବେଆଇନ ଭାବେ ଗୋଚର ଜମିରେ ଚାଲିଛି ମିଶନ ଶକ୍ତି ଗୃହ ନିର୍ମାଣ । ଏହାକୁ ବିରୋଧ କରି ପୂର୍ବରୁ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ୫ଟି ସଚିବଙ୍କ ନିକଟରେ ଅଭିଯୋଗ କରାଯାଇଛି । ଏପରିକି ଚଳିତ ମାସ ୧୧ତାରିଖ ଭଦ୍ରକ ବ୍ଳକ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟ ବନ୍ଦ ଦାବିରେ ବହୁ ସଂଖ୍ୟକ ମହିଳା ଧାରଣା ଦେଇଥିଲେ । ଗୋଷ୍ଠି ଉନ୍ନୟନ ଅଧିକାରୀ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଇତିମଧ୍ୟରେ ୭ଦିନ ବିତିଯାଇଛି । କିନ୍ତୁ କାର୍ଯ୍ୟବନ୍ଦ ହୋଇ ନାହିଁ । ବରଂ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଏହାର ପ୍ରତିବାଦରେ ଆଜି ପ୍ରଗତୀଶୀଳ ମହିଳା ମଞ୍ଚ ଭଦ୍ରକ ବ୍ଲକ କମିଟି ପକ୍ଷରୁ ଚାଷୀ ମୂଲିଆ ସଂଘର ଜିଲ୍ଲା ସଂପାଦକ ସୁଶାନ୍ତ ଯେନାଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ମହିଳା ପୁଣି ଭଦ୍ରକ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ସୂଚନା ଅନୁଯାୟୀ ଭଦ୍ରକ ବ୍ଲକ ବାଉଦପୁର ପଞ୍ଚାୟତର ଏହି ମୌଜା, ୪୦୬ ଖାତାର ଖସଡ଼ା-୮୯୬ରେ ୧୪ ଡିସିମିଲ ଜମି ଗୋଚର କିସମର । ଏଠାରେ ଏବେ ଏକ ମିଶନ ଶକ୍ତି ଗୃହ ନିର୍ମାଣ ଚାଲିଛି । ସ୍ଥାନୀୟ ଅଞ୍ଚଳର ଗୃହପାଳିତ ପଶୁ ଚରିବାକୁ ଚାରଣଭୂମୀର ଅଭାବ ଦେଖା ଦେଇଛି । ଫଳରେ ଗୃହ ପାଳିତ ପଶୁ ରଖିଥିବା ମାଲିକମାେନେ ଏବେ ପଶୁଙ୍କ ଚରିବା ପାଇଁ ଦୁଶ୍ଚିନ୍ତାରେ ରହିଛନ୍ତି । ଅତୀତରେ ଭୂମିହୀନଙ୍କୁ ଜମି ପଟ୍ଟା ଯୋଗାଇବାକୁ ଆବେଦନ କରିଥିଲେ ହେଁ, ଗୋଚର ଜମି କାହାକୁ ମିଳିବ ନାହିଁ ବୋଲି ତହସିଲଦାର କହୁଥିବାବେଳେ, ଏବେ କେଉଁ ଆଇନ ବଳରେ ଏକ ଗୋଚର ଜମିରେ ଏହା ଚାଲିଛି ବୋଲି ଶ୍ରୀ ଯେନା ପ୍ରଶ୍ନ କରିଛନ୍ତି । ଏହି ଧାରଣା କାର୍ଯ୍ୟକ୍ରମରେ ପ୍ରମିଳା ଯେନା, ନିରୂପମା ଯେନା, ବାସନ୍ତୀ ଯେନା, କୁନି ଯେନାଙ୍କ ସମେତ ବହୁ ମହିଳା ସାମିଲ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.