Home ଜିଲ୍ଲା ପରିକ୍ରମା ଗାନ୍ଧି ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ପୁସ୍ତକ ଲୋକାର୍ପଣ ଓ ସମୀକ୍ଷା , ଗାନ୍ଧୀ ହତ୍ୟା ଏକ...

ଗାନ୍ଧି ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ପୁସ୍ତକ ଲୋକାର୍ପଣ ଓ ସମୀକ୍ଷା , ଗାନ୍ଧୀ ହତ୍ୟା ଏକ ସୁପରିକଳ୍ପିତ ଷଡଯନ୍ତ୍ରର ଅଂଶ ବିଶେଷ ଥିଲା

17

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଭଦ୍ରକ ଆନୁକୁଲ୍ୟରେ ଆମେରିକୀୟ ଲେଖକ ଜେମ୍‌ସ ଡବ୍ଲ୍ୟୁ ଡଗଲାସ୍‌ଙ୍କ ପୁସ୍ତକ ‘ଗାନ୍ଧୀ ଆଣ୍ଡ ଦି ଅନ୍‌ସ୍ପିକେବଲ୍ : ହିଜ୍ ଫାଇନାଲ ଏକ୍ସପେରିମେଣ୍ଟ ଉଇଥ୍ ଟ୍ରୁଥ୍‌’ର ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟଙ୍କ ଦ୍ୱାରା କରାଯାଇଥିବା ଓଡ଼ିଆ ଭାବାନୁବାଦ ପୁସ୍ତକ ‘ଗାନ୍ଧୀ ହତ୍ୟାର ଅକୁହା କଥା’ର ଲୋକାର୍ପଣ ଓ ସମୀକ୍ଷା ସମାବେଶ ଭଦ୍ରକ ନୂଆବଜାର ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସମାବେଶରେ ମୁମ୍ବାଇର ପ୍ରଖ୍ୟାତ ସର୍ବୋଦୟ କର୍ମୀ ଓ ଗାନ୍ଧୀବାଦୀ ଅର୍ଥଶାସ୍ତ୍ରୀ ପ୍ରେରଣା ଦେଶାଇ, ପ୍ରଖ୍ୟାତ୍ ଶିକ୍ଷାବିତ୍‌, ଇତିହାସକାର, ଲବ୍ଧ ପ୍ରତିଷ୍ଠିତ ଲେଖକ ଓ ସ୍ତମ୍ଭକାର ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ, ବିଶିଷ୍ଟ ଗାନ୍ଧୀବାଦୀ ପ୍ରବକ୍ତା ଡା. ବିଶ୍ୱଜିତ୍ ରାଏ ଓ ସମୀକ୍ଷକ ପ୍ରଫେସର ବଳରାମ ମିଶ୍ର ଯୋଗ ଦେଇ ଉକ୍ତ ପୁସ୍ତକର ସମୀକ୍ଷା ଓ ଆଲୋଚନା କରିଥିଲେ । ଆଲୋଚକଙ୍କ ମତରେ ଗାନ୍ଧୀ ହତ୍ୟା ଏକ ସୁପରିକଳ୍ପିତ ଷଡଯନ୍ତ୍ରର ଅଂଶ ବିଶେଷ ଥିଲା । ଗାନ୍ଧୀଜୀଙ୍କ ଉପରେ ଦକ୍ଷିଣ ଆଫ୍ରିକାରେ ୨ଥର ଓ ଭାରତରେ ୬ ଥର ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଭାରତରେ ଗାନ୍ଧୀଜୀଙ୍କ ଉପରେ କରାଯାଇଥିବା ସମସ୍ତ ଆକ୍ରମଣ ହିନ୍ଦୁତ୍ୱବାଦୀମାନଙ୍କ ଦ୍ୱାରା କରାଯାଇଥିଲା । ୧୯୪୮ ଜାନୁଆରୀ ୨୦ ତାରିଖରେ ଗାନ୍ଧୀଜୀଙ୍କ ଉପରେ ଯେଉଁ ଆକ୍ରମଣ ହୋଇଥିଲା ଉକ୍ତ ବୋମା ଆକ୍ରମଣ ପରେ ନାଥୁରାମ ଗଡ଼ସେ ଓ ନାରାୟଣ ଆପ୍‌ତେ ଖସିଯିବାକୁ ସକ୍ଷମ ହୋଇଥିଲେ ମଧ୍ୟ ମଦନଲାଲ ପାହୱା ଧରା ପଡ଼ିଯାଇଥିଲା । ମଦନଲାଲ ପାହୱା ପୁଲିସ ପାଖରେ ତାର ସାଥିମାନଙ୍କ ସମ୍ପର୍କରେ ସୂଚନା ଦେଇଥିଲେ ମଧ୍ୟ ପୁଲିସ ନାଥୁରାମ ଗଡ଼ସେ ଓ ନାରାୟଣ ଆପ୍‌ତେଙ୍କୁ ଗିରଫ ନକରିବା ଯୋଗୁଁ ସେମାନେ ଜାନୁଆରୀ ୩୦ ତାରିଖରେ ଗାନ୍ଧୀଜୀଙ୍କୁ ହତ୍ୟା କରିବାକୁ ସକ୍ଷମ ହୋଇଥିଲେ । ପ୍ରଶାସନ ପକ୍ଷରୁ ମଧ୍ୟ ରାଷ୍ଟ୍ରପିତାଙ୍କ ପାଇଁ କୌଣସି ବିଶେଷ ସୁରକ୍ଷାର ବନ୍ଦୋବସ୍ତ କରା ନଯିବାରୁ ନାଥୁରାମ ଗଡ଼ସେ ଅତି ନିକଟରୁ ଗୁଳି କରିବାକୁ ସକ୍ଷମ ହୋଇଥିଲା । କିଛି ସତ୍ୟ ବହୁ ଲୋକଙ୍କୁ ଜଣାଥିଲେ ମଧ୍ୟ ପ୍ରକାଶ କରି ପାରନ୍ତି ନାହିଁ । ଯେଉଁମାନେ ଉକ୍ତ ଅକଥନୀୟ ସତ୍ୟକୁ ପ୍ରକାଶ କରିଥାନ୍ତି ସେମାନେ ଆତତାୟୀର ଶିକାର ହୋଇଥାନ୍ତି । ଏହି କ୍ରମରେ ଯୀଶୁଖ୍ରୀଷ୍ଟଙ୍କ ଠାରୁ ଆରମ୍ଭ କରି ସକ୍ରେଟିସ, କେନେଡି, ମାର୍ଟିନ ଲୁଥରକିଙ୍ଗ, ମାଲ୍‌କମ୍ ଏକ୍ସ, ପାଟ୍ରିକ୍ ଲୁଲୁମ୍ବା, ଆଇଜାକ ରବିନ ଆଦିଙ୍କ ନାମ ଅନ୍ୟତମ ବୋଲି ବକ୍ତାମାନେ ଆଲୋଚନା ବେଳେ ପ୍ରକାଶ କରିଥିଲେ । ଉକ୍ତ ସଭାରେ ପ୍ରଫେସର ଝରଣା ପଟ୍ଟନାୟକ ପୌରୋହିତ୍ୟ କରିଥିଲା ବେଳେ ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ସମ୍ପାଦକ ତୁଷାରକାନ୍ତି ମହାନ୍ତି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଅଧ୍ୟାପକ ନାସିର ବକ୍ସ ଧନ୍ୟବାଦ ଅର୍ପଣ କରିଥିଲେ । ଲଲାଟେନ୍ଦୁ ମହାନ୍ତି ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ଏସ୍‌.ଏମ୍ ଫାରୁକ, ପ୍ରକାଶଜ୍ୟୋତି ମହାକୁଡ, ଳକ୍ଷ୍ମୀକାନ୍ତ ବାରିକ, ପବନ ଶର୍ମା, ସୁଧାକର ରାଉତ, ବୈଲୋଚନ ବେହୁରିଆ, ଗାନ୍ଧି ବାଳାଶ୍ରମର ସମ୍ପାଦକ ଅଶୋକ ଦାସ ସହଯୋଗ କରିଥିଲେ । ପ୍ରଜ୍ଞାଶ୍ରୀ ଦାସ ପ୍ରାରମ୍ଭିକ ସଂଗୀତ ଗାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.