Home ଜିଲ୍ଲା ପରିକ୍ରମା ଗାଁରେ ବୁଲି ଶିକ୍ଷକ ପାଠ ପଢାଉଛନ୍ତି

ଗାଁରେ ବୁଲି ଶିକ୍ଷକ ପାଠ ପଢାଉଛନ୍ତି

128

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ବଦଳାଇ ଦେଇଛି ପାଠପଢା। ବିଦ୍ୟାଳୟର ଚାରିକାନ୍ଥ ମଧ୍ୟରେ ପାଠ ପଢୁଥିବା ପିଲାମାନେ ଏବେ ସ୍କୁଲ ଛାଡି ଗାଁ ଦାଣ୍ଡ, ମନ୍ଦିର ପିଣ୍ଡା ନଚେତ୍ ଗଛମୂଳରେ ବସି ପାଠ ପଢୁଥିବା ବେଳେ ଶିକ୍ଷକମାନେ ଗାଁ ଗାଁ ବୁଲି ସେମାନଙ୍କୁ ପାଠ ପଢାଉଛନ୍ତି। କରୋନା ମହାମାରୀ ଯୋଗୁଁ ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦେଇଥିବାବେଳେ ପିଲାମାନଙ୍କୁ ପାଠ ପଢାଇବା ଲାଗି ଆଶ୍ରମ ସ୍କୁଲ ଗୁଡିକ ପକ୍ଷରୁ ଏହି ବ୍ୟବସ୍ଥା ଆପଣେଇ ନିଆଯାଇଛି। ଭଦ୍ରକ ଜିଲା ତିହିଡି ବ୍ଲକ୍ରେ ଥିବା ଦହପାଣିଆ ହାଇସ୍କୁଲ ଏବଂ କାନପୁର ଆଶ୍ରମ ସ୍କୁଲରେ ଏହି ଘଟଣା ଦେଖିବାକୁ ମିଳିଛି। କରୋନା ଯୋଗୁଁ ସରକାର ସ୍କୁଲ ଗୁଡିକୁ ବନ୍ଦ କରିଦେବା ପରେ ଆଶ୍ରମ ସ୍କୁଲର ଶିକ୍ଷକମାନେ ଆଶ୍ରମ ସ୍କୁଲ ସଂଲଗ୍ନ ଗାଁ ବୁଲି ବୁଲି ପିଲାଙ୍କୁ ପାଠ ପଢାଉଛନ୍ତି। ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କେନ୍ଦ୍ରୀୟ ଲର୍ଣ୍ଣିଂ ମେଟେରିଆଲକୁ ବିଭିନ୍ନ ହ୍ୱାଟସଫ ଗ୍ରୁପ୍ ଜରିଆରେ ଛାତ୍ର ଛାତ୍ରୀଙ୍କୁ ଯୋଗାଇ ଦିଆଯାଇଥିବା ବେଳେ ପିଲାଙ୍କୁ ମୋବାଇଲ୍ ଅଡିଓ ଭିଜୁଆଲ ମାଧ୍ୟମରେ ଶିକ୍ଷକମାନେ ଗାଁ ଗାଁ ବୁଲି ପାଠ ପଢାଉଛନ୍ତି। ସରକାରଙ୍କ ଆଦିବାସୀ / ହରିଜନ ଉନ୍ନୟନ ବିଭାଗ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଛି ଏହି ପାଠ୍ୟକ୍ରମ। କାନପୁର ଆଶ୍ରମ ସ୍କୁଲରେ ପ୍ରାୟ ୩ ଶହ ଛାତ୍ରଛାତ୍ରୀ ଥିବାବେଳେ ୪ ଜଣ ଶିକ୍ଷକ ନିୟୋଜିତ ହୋଇଛନ୍ତି। ତେବେ କରୋନା କଟକଣା ଯୋଗୁଁ ସରକାର ଗତ ଅପ୍ରେଲ ମାସ ୨୬ ତାରିଖ ଠାରୁ ଏହି ଆଶ୍ରମ ସ୍କୁଲ ଗୁଡିକ ବନ୍ଦ କରିଦେଇ ପିଲାଙ୍କୁ ସେମାନଙ୍କ ଘରକୁ ପଠାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାଫଳରେ ପିଲାମାନଙ୍କ ପାଠପଢା ଗୁରୁତର ଭାବେ ପ୍ରଭାବିତ ହେବାରୁ ବିଭାଗ ପକ୍ଷରୁ ହ୍ୱାଟସଫ ଗ୍ରୁପ୍ ଜରିଆରେ ଅଡିଓ-ଭିଜୁଆଲ ମାଧ୍ୟମରେ ପାଠ ପଢାଇବାକୁ ନିର୍ଦ୍ଦେଶ ଦେଇଥିଲେ। ପିଲାମାନଙ୍କୁ ଏହି ପାଠ୍ୟକ୍ରମ ବିଷୟରେ ଅଧିକ ଜ୍ଞାନ କୌଶଳ ଯୋଗାଇ ଦେବାକୁ ଶିକ୍ଷକମାନଙ୍କୁ ଗାଁ ଗାଁ ବୁଲି ଏଥିପାଇଁ ପିଲାମାନଙ୍କୁ ପାଠ ପଢାଇବାକୁ କୁହାଯାଇଛି। କାନପୁର ଆଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକ ସରୋଜ ବିଶ୍ୱାଳଙ୍କ କହିବା ଅନୁଯାୟୀ ସ୍କୁଲରେ ପାଠ ପଢାଉଥିବା ୪ ଜଣ ଶିକ୍ଷକ ଏବେ ପାଖଆଖ ୫ଟି ଗାଁରେ ଦିନକୁ ଅନ୍ତତପକ୍ଷେ ୨/୩ ଟି କ୍ଲାସ୍ ସହିତ ସପ୍ତାହକୁ ନିହାତି ଭାବେ ୭ଟି କ୍ଲାସ ନେଇ ପିଲାମାନଙ୍କୁ ପାଠ ପଢାଉଛନ୍ତି। ପାଠ୍ୟକ୍ରମର ଅଗ୍ରଗତି ନେଇ ବିଭାଗୀୟ ଅଧିକାରୀମାନେ ନିୟମିତ ଭାବେ ଗାଁ ଗାଁ ବୁଲି ଉଭୟ ଛାତ୍ର ଏବଂ ଅଭିଭାବକଙ୍କ ସହ ମତ ବିନିମୟ କରୁଛନ୍ତି। ଯାହାକି ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଉତ୍ତମ ଶିକ୍ଷା ବାତାବରଣ ସୃଷ୍ଟି କରିଥିବା କଥା ପ୍ରଧାନ ଶିକ୍ଷକ କହିଛନ୍ତି। ପିଲାମାନଙ୍କୁ ଅନଲାଇନ୍ ପାଠପଢା ସହିତ କରୋନା ସଚେତନତା କରାଯାଇ ପାରୁଛି ବୋଲି ସହକାରୀ ଶିକ୍ଷୟିତ୍ରୀ ସୁସ୍ମିତା ମଲ୍ଲିକ ଏବଂ ଶିକ୍ଷୟିତ୍ରୀ ବନିତା ପଣ୍ଡା କହିଛନ୍ତି। ଅନ୍ୟପକ୍ଷରେ ସ୍କୁଲ ବନ୍ଦ ସମୟରେ ଆଦିବାସୀ ଏବଂ ହରିଜନ ବର୍ଗର ପିଲାଙ୍କ ପାଠପଢା ସକାଶେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ମେଟରସିଫ ପାଠ୍ୟକ୍ରମ ପରିସ୍ଥିତି ସ୍ୱାଭାବିକ ନହେବା ଯାଏ ଚାଲୁରହିବ ବୋଲି ବ୍ଲକ୍ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଜ୍ଞାନେନ୍ଦ୍ର ସାମଲ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.