Home ଜିଲ୍ଲା ପରିକ୍ରମା ଗରିବଙ୍କ ଉନ୍ନତି ପାଇଁ ସମବାୟ ଏକ ପ୍ରକୃଷ୍ଟ ମାଧ୍ୟମ, ୭୦ତମ ସର୍ବ ଭାରତୀୟ ସମବାୟ ସପ୍ତାହ...

ଗରିବଙ୍କ ଉନ୍ନତି ପାଇଁ ସମବାୟ ଏକ ପ୍ରକୃଷ୍ଟ ମାଧ୍ୟମ, ୭୦ତମ ସର୍ବ ଭାରତୀୟ ସମବାୟ ସପ୍ତାହ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ମହୋତ୍ସବ

29

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମବାୟ ବ୍ୟବସ୍ଥା ସଶକ୍ତ ହେଲେ ଜନତାଙ୍କ ଅର୍ଥନୀତି ସୁଦୃଢ଼ ହେବ । ଯେଉଁ ଦେଶର ସମବାୟ ଯେତେ ସଫଳ ସେ ଦେଶର ଗରିବ ଜନସାଧାରଣଙ୍କ ଆର୍ଥିକ ସମ୍ବଳ ସେତେ ପରିପୁଷ୍ଟ । ଦିନେ କେବଳ କୃଷି, ମତ୍ସ୍ୟ, ପ୍ରାଣୀ ସମ୍ପଦ ବିଭାଗ ଭିତରେ ସୀମିତ ଥିବା ଆମ ରାଜ୍ୟର ସମବାୟ ବ୍ୟବସ୍ଥାକୁ ଆଜି ପଞ୍ଚାୟତ ରାଜ, ମିଶନ ଶକ୍ତି, ତନ୍ତବାୟ ଆଦି କ୍ଷେତ୍ର ସହିତ ସାମିଲ କରାଯାଇ ବ୍ୟାପକ କରାଯାଇ ପାରିଛି । ସାମାଜିକ ଅର୍ଥନୀତିରେ ସମବାୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ସମବାୟ ଜରିଆରେ ଚାଷୀ, ମୁଲିଆ, ଗରିବ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନା, ସୁବିଧା, ସୁଯୋଗ,ସବସିଡ଼ି ଆଦି ସେମାନଙ୍କ ନିଟକରେ ପହଞ୍ଚାଇବା ପାଇଁ ପ୍ରଚାର, ପ୍ରସାର ଅପରିହାର୍ଯ୍ୟ । ସମବାୟ ବ୍ୟବସ୍ଥା ସଂପୃକ୍ତ ଅଧିକାରୀ, କର୍ମଚାରୀ, ଜନ ପ୍ରତିନିଧି ହିତାଧିକାରୀ ଆଦିଙ୍କ ପାରସ୍ପରିକ ସହଭାଗୀତାରେ ସମବାୟର ବିଜୟ ସମ୍ଭବ । ୭୦ ତମ ସର୍ବ ଭାରତୀୟ ସମବାୟ ସପ୍ତାହ ପାଳନ ଉପଲକ୍ଷେ ଭଦ୍ରକ ଜିଲ୍ଲାସ୍ତରୀୟ ମହୋତ୍ସବ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ସମବାୟର ଜନ୍ମ, ଇତିହାସ, ଲମ୍ବା ଯାତ୍ରା ଓ ସଫଳତା ଦିଗରେ ଆଲୋକପାତ କରିବା ସହିତ ସମବାୟ ଧାରାର କାର୍ଯ୍ୟନ୍ୱୟନ ଓ ଉପଯୋଗିତା ସମ୍ବନ୍ଧରେ ଏହି ମତାମତ ପ୍ରକାଶ କରିଥିଲେ । ନଭେମ୍ବର ୧୪ରୁ ଆରମ୍ଭ ହୋଇଥିବା ସମବାୟ ସପ୍ତାହ ପାଳନ ଅବସରରେ ଶହିଦ୍ ସ୍ମୃତି ଭବନରେ ଭଦ୍ରକ ଜିଲ୍ଲା ପ୍ରଶାସନ ଓ ସମବାୟ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଉପସହକାରୀ ନିବନ୍ଧକ ବାଲେଶ୍ୱର ଖଣ୍ଡ ଗଜେନ୍ଦ୍ର ପଣ୍ଡା, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଫେସର ଅଟଳ ବିହାରୀ ନାୟକ ଯୋଗଦେଇଥିଲେ ।

ଉପସହକାରୀ ନିବନ୍ଧକ ସତ୍ୟପ୍ରକାଶ ସେଠୀ ମଞ୍ଚ ପରିଚାଳନା କରିଥିଲେ । ବରେଣ୍ୟ ଅତିଥିଭାବେ ବାଲେଶ୍ୱର ଭଦ୍ରକ ସମବାୟ ବ୍ୟାଙ୍କର ସଭାପତି ଗଣେଷ ମହାପାତ୍ର, ସମ୍ପାଦକ ଅଶୋକ କୁମାର ଦାସ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନାରାୟଣ ଚନ୍ଦ୍ର ଉପାଧ୍ୟାୟ, ସହକାରୀ କୃଷି ନିର୍ଦ୍ଦେଶକ ଶ୍ରୀଧର ଦାସ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରକାଶ ଚନ୍ଦ୍ର ନାୟକ, ଭଦ୍ରକ ସହକାରୀ ନିବନ୍ଧକ ପ୍ରାଚୀତା ଜେନା ପ୍ରମୁଖ ଯୋଗ ଦେଇଥିଲେ । ନିରୀକ୍ଷକ ମୃତ୍ୟୁଞ୍ଜୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଯୋଗେନ୍ଦ୍ର ଘଡ଼େଇ, କଲେଇ ସେବା ସମବାୟ ସଭାପତି ମଳୟ କୁମାର ଜେନା ପ୍ରମୁଖ ମଧ୍ୟ ବକ୍ତବ୍ୟ ରଖିଥିଲେ । ବକ୍ତୃତା ଓ ରଚନା ପ୍ରତିଯୋଗିତାରେ ବରିଷ୍ଠ ଓ କନିଷ୍ଠ ବିଭାଗର ୧୩ଜଣ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରକାଶଜ୍ୟୋତି ମହାକୁଡ଼, ରମେଶ ଚନ୍ଦ୍ର ଭାରତୀ, ଦାଶରଥି ଜେନା, ନିରଞ୍ଜନ ଦାସ ପ୍ରମୁଖଙ୍କ ସହ ଜିଲ୍ଲାରେ ବିଭିନ୍ନ ସମବାୟ ସମିତିର ସଭାପତି ଓ ନିର୍ଦ୍ଦେଶକ, ସମ୍ପାଦକ ଓ କର୍ମଚାରୀ, ସାଧାରଣ ଚାଷୀ ସଦସ୍ୟ, ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବ ଓ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.