Home ଜିଲ୍ଲା ପରିକ୍ରମା ଗଦି-ଘଣ୍ଟେଶ୍ୱର-ପଞ୍ଚୁଟିକ୍ରୀ ରାସ୍ତା ବିପର୍ଯ୍ୟସ୍ତ , ସରକାର ଓ ସ୍ଥାନୀୟ ରାଜନେତାଙ୍କ ଇଚ୍ଛାଶକ୍ତିର ଅଭାବ ସାଜିଛି ଏହାର...

ଗଦି-ଘଣ୍ଟେଶ୍ୱର-ପଞ୍ଚୁଟିକ୍ରୀ ରାସ୍ତା ବିପର୍ଯ୍ୟସ୍ତ , ସରକାର ଓ ସ୍ଥାନୀୟ ରାଜନେତାଙ୍କ ଇଚ୍ଛାଶକ୍ତିର ଅଭାବ ସାଜିଛି ଏହାର ବାଧକ

91

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ଓ ଚାନ୍ଦବାଲି ବ୍ଲକ୍‌ରେ ଥିବା ୧୨ ଟି ପଂଚାୟତର ମୁଖ୍ୟ ସଂଯୋଗୀକରଣ ରାସ୍ତା ଭାବେ ପରିଚିତ ଗଦି ଘଣ୍ଟେଶ୍ୱର ପଞ୍ଚୁଟିକ୍ରୀ ମୁଖ୍ୟ ରାସ୍ତାଟି ସଂପ୍ରତି ବିପର୍ଯ୍ୟସ୍ତ ହୋଇପଡିଛି । ପ୍ରତିବର୍ଷ ମରାମତି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ତାହା ଯେଉଁ ଅବସ୍ଥାକୁ ସେହି ଅବସ୍ଥାରେ ରହିଛି । ଲୋକେ ଏହି ରାସ୍ତାକୁ ଠିକାଦାର, ରାଜନେତା ଓ ବିଭାଗୀୟ ପଦାଧିକାରୀମାନଙ୍କ ନେଉଟିଆ କିଆରିର ଆଖ୍ୟା ଦେଇଛନ୍ତି । ଏବେ ମରାମତି ଅଭାବରୁ ଭୁଷୁଡି ଯାଉଛି ରାସ୍ତାର ଭୌଗୋଳିକ ସ୍ଥିତି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ କୁହୁଳୁଥିବାବେଳେ ରାଜନେତା ଓ ବିଭାଗୀୟ ପଦାଧିକାରୀଙ୍କ ଅଣଦେଖା ଯୋଗୁଁ ସଂପ୍ରତି ଯାତାୟତରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି । ସାଧାରଣ ଲୋକେ ରାସ୍ତା ଦେଇ ଯାତାୟତ କରିବା ବଡ କଷ୍ଟକର ହୋଇଥିବାବେଳେ ବାଇକ୍‌, ଅଟୋ ଏପରିକି ଆମ୍ବୁଲାନ୍ସଟିଏ ମଧ୍ୟ ଅଧାବାଟରେ ଅଟକି ଯାଉଛି । ରାସ୍ତା ମଧ୍ୟରେ ଖାଲଖମା ଲୋକଙ୍କୁ ମରଣଯନ୍ତା ଆଡକୁ ଟାଣି ନେଉଛି । ଗଦି ବଜାରରୁ ଗଭେଇପୋଖରୀ ମଧ୍ୟରେ ୨୨ ରୁ ଅଧିକ ସ୍ଥାନରେ ବିଶାଳ ଖାଲଖମା ସୃଷ୍ଟି ହୋଇଛି । ଏବଂ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ପ୍ରତିବାଦ, ଧର୍ମଘଟ ଏପରିକି ରାସ୍ତାରେ ଧାନ ରୋଇବା ଆଦି ଅଭିନବ କାର୍ଯ୍ୟକ୍ରମ କରି ପ୍ରଶାସନର ନିଦ ହଜେଇ ଦେଇଥିଲେ ବି ନାମକୁ ମାତ୍ର ମରାମତି ଆଳରେ ଗ୍ରାମ୍ୟ ଉନ୍ନୟନ ବିଭାଗରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ନାମରେ ହଡପ ଚାଲିଛି । ବିଗତ ୬ ମାସ ଧରି ଏହି ରାସ୍ତା ଅବସ୍ଥା ଖରାପ ଆଡକୁ ଗତି କରୁଥିବାବେଳେ ବିଭାଗୀୟ ଅଧିକାରୀମାନେ କେବଳ କ୍ଷେତ୍ରୀୟ ତଦନ୍ତରେ ନିଜ କାର୍ଯ୍ୟ ସୀମିତ ରଖିଛନ୍ତି । ଏହି ଅଂଚଳରେ ସାମାନ୍ୟ ବର୍ଷା ହେଲେ କେଇଘଣ୍ଟା ଯାତାୟତ ଠପ୍ ହୋଇଯାଇଥାଏ । ଗଦି ବଜାରସ୍ଥିତ ବ୍ୟାଙ୍କ ନିକଟରେ ଆଣ୍ଠୁଏ ପାଣି ଜମୁଥିବା ବେଳେ ବରଦା, ଜାମଯୋଡି ଛକ ଓ ନରେନ୍ଦ୍ରପୁର, ଗଭେଈ ପୋଖରୀ ଛକ ଆଦି ବିଭିନ୍ନ ସ୍ଥାନରେ ବହୁ ଖାଲଖମା ସୃଷ୍ଟି ହୋଇଛି । ଯାହାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି । ଯଦି ଆଗାମୀ ଦିନରେ ଏହି ରାସ୍ତାର ମରାମତି ନହୁଏ, ତେବେ ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟହେବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.