Home Top News ଗଣମାଧ୍ୟମ ଜରିଆରେ ରାଜନୀତି କରିବାର ଯୁଗ ଶେଷ !

ଗଣମାଧ୍ୟମ ଜରିଆରେ ରାଜନୀତି କରିବାର ଯୁଗ ଶେଷ !

140

ଯୁଗ ଥିଲା ଗଣମାଧ୍ୟମ ରାଜନୀତିରେ ଗୋଟିଏ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା। ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଓ ମାଲିକଙ୍କର ଗୋଟିଏ ସ୍ୱତନ୍ତ୍ର ପରିଚୟ ଥିଲା। ନିରପେକ୍ଷ ସାମ୍ବାଦିକତା ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା ସମାଜରେ। ମାତ୍ର ଆଜି ଏହି ସତ୍ୟତା ଅନେକାଂଶରେ ଲୋପ ପାଇବାକୁ ବସିଲାଣି। ସାଧାରଣ ଜନତାଟିଏ କହି ପାରୁଛି ଅମୁକ ଗଣମାଧ୍ୟମ ଏଇ ରାଜନୈତିକ ଦଳର ପୃଷ୍ଟପୋଷକତା କରୁଛି, ଅନ୍ୟ ଗଣମାଧ୍ୟମ ଆଉ ଗୋଟିଏ ରାଜନୈତିକ ଦଳର ପୃଷ୍ଟପୋଷକତା କରୁଛି। ନିରପେକ୍ଷତାର ଆଉ ପ୍ରତିଛବି ଦେଖିବାକୁ ମିଳୁନାହିଁ। ସ୍ୱାର୍ଥବାଦୀ ଗଣତନ୍ତ୍ର ଆଜି ବିଭିନ୍ନ ରାଜନୈତିକ ଦଳର ହାତର ଖେଳନା ସାଜିଛି।

ଆମ ରାଜ୍ୟର ଅବସ୍ଥା ମଧ୍ୟ ସେଇଆ। ଭିନ୍ନ ଭିନ୍ନ ପ୍ରତିଷ୍ଠିତ ଗଣମାଧ୍ୟମ ଅନେକ ସମୟରେ ନିଜର ବିହିତ ସ୍ୱାର୍ଥ ହାସଲ ନିମନ୍ତେ ଶାସକ ଦଳ ହେଉ ବା ବିରୋଧି ଦଳ ହେଉ ସେମାନଙ୍କ ହାତ ବାରିସି ସାଜି ନିରପେକ୍ଷତାକୁ ଜଳାଞ୍ଜଳୀ ଦେଇ ଥିବାର ନଜିର ରହିଛି। ନିଜ ନିଜର ଗଣମାଧ୍ୟମକୁ ଆୟୁଧ କରି ବ୍ୟକ୍ତିଗତ ଓ ରାଜନୈତିକ ସ୍ୱାର୍ଥ ହାସଲ କରିବା ଏକ ଆୟୁଧ ପାଲଟି ଯାଇଛି। ଏହାର କିଛି ଉଦାହରଣ ଆମେ ଏଠାରେ ପରିପ୍ରକାଶ କରିବାକୁ ଚାହୁଁଛୁ।

ଗତ କିଛି ଦିନ ହେଲା ଶାସକ ବିଜୁ ଜନତା ଦଳର ଦୁଇ ଜଣ ବରିଷ୍ଠ ସଦସ୍ୟ ସେମାନଙ୍କ ଦୈନିକ ଖବରକାଗଜ ମାଧ୍ୟମରେ ସରକାରଙ୍କୁ ଶାଣିତ ଆକ୍ରମଣ କରି ଚାଲିଛନ୍ତି। ଗୋଟିଏ ହେଉଛି “ସମ୍ବାଦ’ ଓ ଅନ୍ୟଟି ହେଉଛି “ପ୍ରଜାତନ୍ତ୍ର’। ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ହେଉଛନ୍ତି ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ବିଧାୟକ ଏବଂ ପ୍ରଜାତନ୍ତ୍ର ହେଉଛି କଟକ ସାଂସଦ ଭତ୍ତୃହରୀ ମହତାବଙ୍କର। ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଓଡିଶାର ଆଧୁନିକ ସଂବାଦ ପତ୍ରର ଭୀଷ୍ଣ ପିତାମହ ବୋଲି କୁହାଯାଏ। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍‌କର ସେ ଜାମାତା। ଜଣେ ଉଚ୍ଚକୋଟୀର ସଂପାଦକ ହିସାବରେ ଓଡିଶାରେ ତାଙ୍କର ଯଥେଷ୍ଟ ଖ୍ୟାତି ରହିଛି। ମାତ୍ର ଜଣେ ରାଜନେତା ହିସାବରେ ସେ ଏତେଟା ସଫଳତା ହାସଲ କରି ନାହାଁନ୍ତି। ପ୍ରଥମେ ସେ ଭାରତୀୟ ଜନତା ପାର୍ଟୀରେ ଭୁବନେଶ୍ୱରରୁ ନିର୍ବାଚନ ଲଢିଥିଲେ। ପରାଜୟ ବରଣ କରିଥିଲେ। ତା ପରେ ୧୯୯୫ ମସିହାରେ ରାଜ୍ୟରେ କଂଗ୍ରେସ ସରକାର ଆସିଲା ଓ ତାଙ୍କ ଶଶୁର ଜାନକୀ ବଲ୍ଲଭ ପଟ୍ଟନାୟକ ତୃତୀୟ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସୌମ୍ୟ ବାବୁ ଭାରତୀୟ ଜନତା ପାର୍ଟୀକୁ ବାୟ ବାୟ କରି କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ ସାଂସଦ ବନିଥିଲେ। ମାତ୍ର ୧୩ ମାସ ଭିତରେ କେନ୍ଦ୍ରରେ ବାଜପେୟୀ ସରକାରର ପତନ ଘଟିଲା ଓ ସୌମ୍ୟ ବାବୁଙ୍କର ସାଂସଦ ପଦ ଚାଲିଗଲା। ଏହା ପରଠାରୁ ସେ କଂଗ୍ରେସ ଦଳରୁ ଲଗାତାର ନିର୍ବାଚନ ଲଢିଆସୁଥିଲେ ମଧ୍ୟ ବିଜୟର ସ୍ୱାଦ ଆଉ ଚାଖି ପାରିଲେ ନାହିଁ। ରାଜ୍ୟରେ ନୂତନ କରି ଗଠିତ ବିଜୁ ଜନତା ଦଳର ପ୍ରାର୍ଥି ପ୍ରସନ୍ନ ପାଟଶାଣୀଙ୍କଠାରୁ ସେ ନିର୍ବାଚନ ହାରି ଚାଲିଲେ। ପରିସ୍ଥିତି ଏପରି ହେଲା ଯେ ସେ ସାଂସଦ ମୋହ ତ୍ୟାଗ କରି ବିଧାୟକ ହେବା ଆଶାରେ ଖଣ୍ଡପଡା ନିର୍ବାଚନମଣ୍ଡଳୀକୁ ମୁହାଁଇଲେ। ସେଠି ମଧ୍ୟ ସମାନ ଅବସ୍ଥା। ଲଗାତାର ପରାଜୟ। ଖଣ୍ଡପଡା ହେଉଛି ବିଜୁ ଜନତା ଦଳର ଗଡ। ତେଣୁ ସେଠାରୁ କଂଗ୍ରେସ ଟିକଟରୁ ଜିତିବା ସୌମ୍ୟଙ୍କ ପାଇଁ ମୁସ୍କିଲ ହୋଇ ପଡିଲା। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଜୟଦେବ ଜେନା ଓଡିଶା ପ୍ରଦେଶ କଂଗ୍ରେସର ସଭାପତି ହେଲେ। ପଟ୍ଟନାୟକ ପରିବାର ସହିତ ତାଙ୍କର ଯତିପାତ ଠିକ ନ ପଡିବାରୁ ସୌମ୍ୟଙ୍କୁ କଂଗ୍ରେସ ଦଳରୁ ବହିସ୍କାର କରାଗଲା। ଏହାପରେ ସୌମ୍ୟରଂଜନ ପଟ୍ଟନାୟକ ଗଠନ କଲେ ନୂତନ ରଜନୈତିକ ଦଳ ଆମ ଓଡିଶା। ଏହା ଏକ ଉତ୍ତମ ପଦକ୍ଷେପ ବୋଲି ସେତେବେଳେ ରାଜନୈତିକ ପଣ୍ଡିତମାନେ ମତବ୍ୟକ୍ତ କରିଥିଲେ। ଆମ ଓଡିଶା ଟିକଟରେ ୨୦୧୪ ମସିହାରେ ସୌମ୍ୟ ବାବୁ ଖଣ୍ଡପଡା ନିର୍ବାଚନକୁ ଓହ୍ଲାଇଲେ। ମାତ୍ର ଅଳ୍ପ ବ୍ୟବଧାନରେ ପରାଜୟ ବରଣ କଲେ। ଏହା ପରେ ପ୍ରବଳ ମହତ୍ୱାକାଂକ୍ଷୀ ସୌମ୍ୟ ବାବୁ ଆଉ ସମ୍ଭାଳି ପାରିଲେ ନାହିଁ। ସେ ଅନୁଭବ କରି ସାରିଥିଲେ ଯେ ଓଡିଶାରେ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ବିନା ଅନ୍ୟଗତି ନାହିଁ। ବିଭିନ୍ନ ପ୍ରକାର ଯୋଗସୁତ୍ର ଲଗାଇ ନିଜର ଗଣମାଧ୍ୟମ, ଆମ ଓଡିଶା ଦଳ ସବୁ କିଛି ସମର୍ପି ଦେଲେ ବିଜୁ ଜନତା ଦଳ ପାଖରେ। ବିଜୁ ଜନତା ଦଳ ଟିକଟରେ ରାଜ୍ୟସଭା ସାଂସଦ ହେଲେ। ତା ପରେ ଆସିଲା ୨୦୧୯ ସାଧାରଣ ନିର୍ବାଚନ। ଯେହେତୁ ଲଗାତାର ଭାବରେ ଖଣ୍ଡପଡା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ହାରି ଆସୁଥିଲେ ତେଣୁ ଏହି ଆସନରୁ ଥରୁଟିଏ ବିଧାୟକ ହେବା ପାଇଁ ସେ ଜୋରସୋର ଉଦ୍ୟମ ଚଳାଇଲେ। ସଫଳ ମଧ୍ୟ ହେଲେ। ସେହି ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକଙ୍କର ଆର୍ଶୀବାଦରୁ ସେ ଖଣ୍ଡପଡା ବିଧାୟକ ହେଲେ। ଏ ସମସ୍ତ ତଥ୍ୟକୁ ଯଦି ଆମେ ବିଶ୍ଳେଷଣ କରିବା ତେବେ ଗୋଟିଏ କଥା ସ୍ପଷ୍ଟ ଅନୁମେୟ ଯେ ସୌମ୍ୟ ବାବୁଙ୍କର ନିଜସ୍ୱ ରାଜନୈତିକ ପତିଆରା ଓଡିଶାରେ ନାହିଁ। ବିଜୁ ଜନତା ଦଳରେ ଯୋଗ ଦେବା ସମୟରେ ସେ କଣ ଜାଣି ନଥିଲେ ଯେ ଓଡିଶାରେ ପ୍ରଶାସନିକ ପ୍ରାର୍ଦୁଭାବ ରହିଛି ? ବିଜୁ ଜନତା ଦଳର ସାଂସଦ, ମନ୍ତ୍ରୀ, ବିଧାୟକ ସମସ୍ତେ ପ୍ରଶାସନିକ ଶାସନ ଦ୍ୱାରା କବଳିତ। ତେଣୁ ଏବେ ନିଜର ଖବରକାଗଜର ସଂପାଦକୀୟ ପୃଷ୍ଟାରେ ଯେଉଁ ତଥ୍ୟ ଉପସ୍ଥାପନ କରୁଛନ୍ତି ତାହା ବ୍ୟକ୍ତିଗତ ସ୍ୱାର୍ଥର ପରିଭାଷା ବୋଲି ରାଜ୍ୟବାସୀ ହୃଦୟଙ୍ଗମ କରୁଛନ୍ତି।

ଆଉ ଜଣେ ବିଜୁ ଜତା ଦଳର ତୁଙ୍ଗ ନେତା ହେଲେ କଟକ ସାଂସଦ ଭତ୍ତୃହରୀ ମହତାବ। ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ହରେକୃଷ୍ଣ ମହତାବଙ୍କର ସେ ହେଲେ ପାଳିତ ପୁତ୍ର। ପ୍ରଜାତନ୍ତ୍ର ଖବରକାଗଜ ତାଙ୍କ ମାଲିକାନାରେ ଚାଲିଛି। ବିଜୁ ଜନତା ଦଳର ଜଣେ ପ୍ରାଥମିକ ସଦସ୍ୟ ହିସାବରେ ତାଙ୍କୁ ଗଣାଯାଏ। କଟକ ନିର୍ବାଚନମଣ୍ଡଳୀରୁ ବିଜେଡି ଟିକେଟରେ ୬ ଥର ସାଂସଦ ହୋଇ ସାରିଛନ୍ତି ସେ। ୨୦୧୯ ସାଧାରଣ ନିର୍ବାଚନରେ ଶେଷ ମୁହୁର୍ତ୍ତରେ ତାଙ୍କୁ ବିଜେଡି ଟିକଟ ଦିଆଯାଇଥିଲା। ଏହାର କାରଣ ମଧ୍ୟ ସମସ୍ତଙ୍କୁ ଉଣା ଅଧିକେ ଜଣା। ବିଜୁ ଜନତା ଦଳ ଓ ସରକାର କିପରି ଚାଲିଛି ସେ ସଂପୂର୍ଣ୍ଣ ଭାବରେ ଅବଗତ। ତେଣୁ ହଠାତ ଶାସନ କ୍ଷମତା ଉପରେ ପ୍ରହାର କରିବାର ଯଥାର୍ଥତା କଣ ତାହା ରଜ୍ୟବାସୀ ବୁଝିପାରୁ ନାହାଁନ୍ତି। ସରକାରୀ କଳର ଅପବ୍ୟବହାର ବିରୁଦ୍ଧରେ ସ୍ୱର ଉତୋଳନ କରିବା ଜଣେ ଦାୟିତ୍ୱ ସଂପନ୍ନ ସାଂସଦ ଓ ସାଂବାଦିକ ଭାବରେ ଏମାନଙ୍କର ଗୁରୁ ଦାୟିତ୍ୱ ରହିଛି। ମାତ୍ର ବୁଦ୍ଧିଜୀବୀଙ୍କ ପ୍ରଶ୍ନ ସେ ଏତେ ଦିନ ଧରି କାହିଁକି ଚୁପ ରହିଥିଲେ ? ଅତୀତରେ ବହୁ ତୁଙ୍ଗ ନେତା ନବୀନଙ୍କ ବିରୁଦ୍ଧରେ ଯାଇ ନିଜର ରାଜନୈତିକ କ୍ୟାରିୟରର ପରିସମାପ୍ତି କରି ସାରିଛନ୍ତି। ଓଡିଶାରେ ଆଜିକା ଦିନରେ ଶାସନ ବ୍ୟବସ୍ଥା ଯେପରି ଚାଲିଛି ତା ବିରୁଦ୍ଧରେ ସ୍ୱର ଉତୋଳନ କରିବାର ଯଥାର୍ଥତା ରହିଛି। ସୌମ୍ୟ ବାବୁ ଓ ଭତ୍ତୃହରୀ ବାବୁଙ୍କର ପଦକ୍ଷେପ ଯଥାର୍ଥ ମାତ୍ର ଏହାର ଦୀର୍ଘସ୍ଥାୟୀ ସବୁଠାରୁ ବଡ ପ୍ରଶ୍ନ।

ପ୍ରିୟରଂଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.