Home ଜିଲ୍ଲା ପରିକ୍ରମା ଗଛ ଡ଼ାଳ ପଡ଼ି ରାଜମିସ୍ତ୍ରୀଙ୍କ ଅକାଳ ବିୟୋଗ

ଗଛ ଡ଼ାଳ ପଡ଼ି ରାଜମିସ୍ତ୍ରୀଙ୍କ ଅକାଳ ବିୟୋଗ

53

ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ବଉଳସାହି ଗ୍ରାମର କୁଶଳୀ ରାଜମିସ୍ତ୍ରୀ ନରୋତ୍ତମ ରାଉତ(୬୫)ଙ୍କ ଉପରେ ଗଛ ଡାଳ ଖସି ପଡିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ଗତ ୩ ଦିନ ଧରି ସମଗ୍ର ବନ୍ତ ବ୍ଲକରେ ଲଘୁଚାପ ଜନିତ ବର୍ଷା ହେବା ସହ ପବନ ଯୋଗୁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡିଥିବା ଖବର ମିଳିଛି । ଏପରିପେକ୍ଷୀରେ ଟିଲୋ ବଉଳସାହି ଗ୍ରାମର ନରୋତ୍ତମ ରାଉତ ସବୁଦିନ ପରି ସକାଳୁ ନିତ୍ୟକର୍ମ ସାରି ନିକଟସ୍ଥ ମନ୍ଦିରକୁ ପୂଜା କରିବାକୁ ଯାଉଥିବା ବେଳେ ରାସ୍ତା ପାଶ୍ୱର୍ରେ ଥିବା ଏକ ଆମ୍ବ ଡାଳ ତାଙ୍କ ଉପରେ ଖସି ପଡିଥିଲା । ଫଳରେ ସେ ରାସ୍ତା ଉପରେ ଅଚେତ ହୋଇ ପଡିଥିଲେ । ଗ୍ରାମବାସୀ ଦେଖି ତାଙ୍କ ଘରକୁ ଖବର ଦେବା ପରେ ଘର ଲୋକେ ପହଞ୍ôଚ ତାଙ୍କୁ ସଙ୍ଗେ ସଙ୍ଗେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମକୁ ଅଣାଯାଇଥିଲା । ଶବାଧାର ନିକଟରେ ତାଙ୍କର ସ୍ତ୍ରୀଙ୍କ ସମେତ ଦୁଇ ପୁଅ, ବୋହୂ, ତିନି ଝିଅ, ଜ୍ୱାଇଁ ଓ ନାତିନାତୁଣୀ ଉପସ୍ଥିତ ଥିଲେ ।

ଖବର ପାଇ ସ୍ଥାନୀୟ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ପୂର୍ବତନ ସରପଞ୍ଚ ନିହାରିକା ରାଉତ, ସମାଜସେବୀ ଇଂ.ଲକି ମାଷ୍ଟର ସ୍ୱାଇଁ, ଅବସରପ୍ରାପ୍ତ ଫାର୍ମାସିଷ୍ଟ ଉଦୟନାଥ ପଣ୍ଡା, ରମାକାନ୍ତ ପାଣିଗ୍ରାହୀ, ଦେବଦତ୍ତ ଜଗତଜିତ୍ ଜେନା, କୃଷ୍ଣ ଚନ୍ଦ୍ର ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ôଚ ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରା ଯାଇଥିବା ବେଳେ ବଡ଼ ପୁଅ ଧର୍ମେନ୍ଦ୍ର ମୁଖାଗ୍ନି ଦେଇଥିଲେ । ସେ ଜଣେ ସରଳ, ଧର୍ମପରାୟଣ ଓ ପରୋପକାରୀ ବ୍ୟକ୍ତି ଥିଲେ । ଦୀର୍ଘ ୪୫ ବର୍ଷ ଧରି ସେ ବହୁ ଅଭାବ ଭିତରେ ରହି ରାଜମିସ୍ତ୍ରୀ କାର୍ଯ୍ୟ କରି ନିଜର ପରିବାର ପ୍ରତିପୋଷଣ କରିବା ସହିତ ଭାଇ ମାନଙ୍କୁ ମଣିଷ କରିଥିଲେ । ପ୍ରତି ବର୍ଷ ଟିଲୋ ଗଡଚଣ୍ଡୀସ୍ଥିତ କପାଳୀ ନଦୀକୂଳରେ ତାଙ୍କ ପ୍ରଚେଷ୍ଟାରେ ୫ ଦିନ ଧରି ଗୀତା ଯଜ୍ଞ ଆୟୋଜିତ ହୋଇଆସୁଥିଲା । ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.