ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଅଞ୍ଚଳରେ ରୋଗପୋକ ଆକ୍ରାନ୍ତ ଚଳିତ ଖରିଫ ଧାନଚାଷ ଅନୁଧ୍ୟାନ କରିଛନ୍ତି କୃଷି ବୈଜ୍ଞାନିକ ଦଳ । ଗୁରୁବାର ଏହି ବୈଜ୍ଞାନିକ ଦଳ ଲୁଣପଦୀ, ପାଟୁଳୀ, ସମସମା ଦୌଲତପୁର, ତେସିଙ୍ଗା, ମିଟୁଆଣୀ, ନେରଡା ଆଦି କ୍ଷତିଗ୍ରସ୍ତ ଧାନଚାଷ ଅନୁଧ୍ୟାନ କରିଥିଲେ । ଭୁବନେଶ୍ୱର କେନ୍ଦ୍ରୀୟ ସମନ୍ୱିତ କୀଟ ପରିଚାଳନା କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ତଥା ରୋଗପୋକ ବିଶେଷଜ୍ଞ ଡଃ ରାଜେନ୍ଦ୍ର ପ୍ରଧାନ, କ୍ଷେତ୍ର ଅଧିକାରୀ ଓ ରୋଗପୋକ ବିଶେଷଜ୍ଞ ଅରିନ୍ଦମ୍ ବାନାର୍ଜୀ, ଓଡିଶା କୃଷି ବିଶ୍ୱବିଦ୍ୟାଳୟ ଅଧିନରେ ପରିଚାଳିକ ରାଣୀତାଲ ଆଞ୍ଚଳିକ କୃଷି ଗବେଷଣାକେନ୍ଦ୍ର ରୋଗପୋକ ବିଶେଷଜ୍ଞ ବୈଜ୍ଞାନିକ ଡଃ ଉମାଶଙ୍କର ନାୟକ, ସ୍ଥାନୀୟ ଗୋଷ୍ଠୀ କୃଷି ଅଧିକାରୀ ସୁଦିପ୍ତା ପଣ୍ଡା, ଗ୍ରାମ୍ୟ କୃଷି କର୍ମଚାରୀ ଆଶିଷ କୁମାର ରାଉତ, ଗୀତାଞ୍ଜଳୀ ପତି ପ୍ରମୁଖ ଧାନରେ ଲାଗିଥିବା ମାଟିଆଗୁଣ୍ଡିପୋକ, ଧଳାପିଠିଆପୋକ, ପତ୍ରମୋଡାପୋକ, କାଣ୍ଡବିନ୍ଧାପୋକ, ମହିଷା ଓ ପତ୍ରପୋଡା ରୋଗ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ସ୍ଥାନୀୟ ପାଣିପାଗରେ ଏହି ସମସ୍ତ ରୋଗପୋକର ଦମନ ପାଇଁ ସ୍ୱତନ୍ତ୍ର କୀଟନାଶକ ଦ୍ରବ୍ୟର ପ୍ରୟୋଗ ଓ ମାତ୍ରା ବିଧି ସମ୍ପର୍କରେ ସ୍ଥାନୀୟ କୃଷି ଅଧିକାରୀ, କର୍ମଚାରୀ ଓ ଚାଷୀମାନଙ୍କୁ ଅବଗତ କରିଥିଲେ । ରୋଗପୋକର ଦମନ ପାଇଁ ସଦ୍ୟ ପଦକ୍ଷେପର କାର୍ଯ୍ୟକାରୀତା ସମ୍ପର୍କରେ ଦୈନନ୍ଦିନ ରିପୋର୍ଟ ପ୍ରଦାନ ପାଇଁ ଜିଲ୍ଲା କୃଷି ଅଧିକାରୀ ଶ୍ରୀଧର ଦାସ ବ୍ଲକ କୃଷି କାର୍ଯ୍ୟାଳୟ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।