Home Top News ଖରସ୍ରୋତାରେ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଆନ୍ଦୋଳନକାରୀ – ପୋଲିସ ମୁହାଁମୁହିଁ, ୧୪୪ଧାରା ଅଞ୍ଚଳକରେ...

ଖରସ୍ରୋତାରେ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଆନ୍ଦୋଳନକାରୀ – ପୋଲିସ ମୁହାଁମୁହିଁ, ୧୪୪ଧାରା ଅଞ୍ଚଳକରେ ପଶି ଆନ୍ଦୋଳନକାରୀ ପିଟିଲେ ଏସ୍‌ଡିପିଓଙ୍କୁ

52

କେନ୍ଦ୍ରାପଡ଼ା ୧୩ ଅଗଷ୍ଟ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) କେନ୍ଦ୍ରାପଡା ଜିଲ୍ଲାର ରାଜକନିକାର ଭାରିଗଦାସ୍ଥିତ ଖରସ୍ରୋତା ନଦୀରୁ ଭଦ୍ରକ ଜିଲ୍ଲାକୁ ପାଣି ନେବାକୁ ନେଇ କୁହୁଳୁ ଥିବା ଜନ ଅସନ୍ତୋଷ ଗୁରୁବାର ତ୍ରୀବ୍ରରୂପ ଧାରଣ କରିଛି। ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ୩ଦିନ ଧରି ଲାଗି ରହିଥିବା ଜନ ଅସନ୍ତାଷ ଉଗରୂପ ଧାରଣ କରିଛି। ଜିଲ୍ଲା ପ୍ରଶାସନ ଯେଉଁ ଅଞ୍ଚଳରେ ୧୪୪ ଧାରା ଜାରି କରିଥିଲା ସେହି ଅଞ୍ଚଳକୁ ଧସେଇ ପସିଥିଲେ ଆନ୍ଦୋଳନକାରୀ। ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ୧୪୪ ଧାରାକୁ ଅବମାନନା କରି ଆନ୍ଦୋଳନକାରୀମାନେ ପ୍ରକଳ୍ପ ନିର୍ମାଣ ପାଇଁ ଆସିଥିବା କମ୍ପାନୀର କେତେକ ମେସିନ, ଗାଡି ଓ ଆସବାବପତ୍ରକୁ ଭଙ୍ଗାରୂଜି ଦେଇଥିଲେ। ଏଥିସହ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସନ୍ଧ୍ୟାରାଣୀ ବେଉରାଙ୍କୁ ମଧ୍ୟ ଆନ୍ଦୋଳନକାରୀମାନେ ମାଡ଼ମାରି ଆହତ କରିଦେଇଥିଲେ। ଘଟଣା ସ୍ଥଳରେ ମୃତୟନ ହୋଇଥିବା ପୋଲିସ ଅଧିକାରୀ ଓ ୧୧ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଥିଲେ ମଧ୍ୟ ନୀରବଦ୍ରଷ୍ଟା ସାଜିଥିବାର ଦେଖାଯାଇଥିଲା। ପୋଲିସ ଆନ୍ଦୋଳନକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଫଳରେ ଆନ୍ଦୋଳନକାରୀ ସଂପୃକ୍ତ ନିର୍ମାଣ କମ୍ପାନୀ ଉପରେ ରାଗ ସୁଝାଇଥିଲେ। ଘଟଣାସ୍ଥଳ ଠାରୁ ପ୍ରାୟ ଏକଶହ ମିଟର ଦୂରରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଏସ୍‌ପି ସନ୍ଦୀପ ସମ୍ପଦ ମଡ଼କର ଥିଲେ ସୁଧା ସେମାନେ କେବଳ ନୀରବ ହୋଇ ବସିରହିଥିଲେ। ଆନ୍ଦୋଳନକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାହସ କରି ନଥିଲେ। ଆନ୍ଦୋଳନକାରୀଙ୍କ ନେତୃତ୍ୱ ନେଇଥିଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ପୂର୍ବତନ ବିଧାୟକ ଦୋଳ ଗୋବିନ୍ଦ ନାୟକ, ଜିଲ୍ଲା ବିଜେପି ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ଖରସ୍ରୋତା ବଞ୍ଚାଓ କମିଟିର ସଭାପତି ଦୁୁର୍ଯ୍ୟୋଧନ ମହାନ୍ତି, ସମ୍ପାଦକ ବିଧାନ ଦାସ ଓ ଶରତ ରାଉତ ପ୍ରମୁଖ। ରାଜକନିକାର ଦୁଇଟି ପଞ୍ଚାୟତ ଭାରିଗଦା ଓ ବରୁଣାଡିଆ, ଆଳି ବ୍ଲକର ବାଳକାଟିରେ ୧୪୪ ଜାରି କରାଯାଇଥିଲେ ମଧ୍ୟ ତାହାକୁ ଆନ୍ଦୋଳନକାରୀ ଖାତିର କରି ନ ଥିଲେ। ଦେବେନ୍ଦ୍ର ଶର୍ମା ଓ ଅନ୍ୟାନ୍ୟ ନେତୃୃବୃନ୍ଦଙ୍କ ସହ ଆନ୍ଦୋଳନକାରୀମାନେ ଘଟଣା ସ୍ଥଳକୁ ଆସି ୧୪୪ ଧାରାକୁ ଉଲଙ୍ଘନ କରିଥିଲେ। ଆନ୍ଦୋଳନକାରୀ କମ୍ପାନୀର ଗାଡିମୋଟରକୁ ଭଙ୍ଗାରୁଜା କରୁଥିବା ସମ୍ପର୍କରେ ଖବର ପ୍ରଶାସନ ଓ ପୋଲିସର ଼ ବରିଷ୍ଠ ଅଧିକାରୀମାନେ ପାଇଥିଲେ ସୁଦ୍ଧା ଜୀବନ ବିକଳରେ କେହି ଘଟଣା ସ୍ଥଳକୁ ଯାଇ ନଥିଲେ। ଆଜି ପୂର୍ବାହ୍ଣ ପ୍ରାୟ ୧୦ଟାରୁ ୩ ହଜାରରୁ ଅଧିକ ଆନ୍ଦୋଳନକାରୀମାନେ ପ୍ରକଳ୍ପ ସ୍ଥଳକୁ ଯିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ପୋଲିସ ସେମାନଙ୍କୁ ବାରିକେଡ ଦେଇ ଅବରୋଧ କରି ରଖିଥିଲା। ଦୀର୍ଘ ୨ ଘଣ୍ଟା ପର୍ଯ୍ୟନ୍ତ ଆନ୍ଦୋଳନକାରୀଙ୍କୁ ପୋଲିସ କଟକ-ଚାନ୍ଦବାଲି ରାସ୍ତାର ବରୁଣାଡିହା ରାସ୍ତାରେ ଅଟକ ରଖିଥିଲା। କିନ୍ତୁ ଆନ୍ଦୋଳନକାରୀ ଆବାଳ ବୃଦ୍ଧ ବନିତା ଚର୍ତୁପାଶ୍ୱର୍ରୁ ପ୍ରକଳ୍ପ ସ୍ଥଳକୁ ଯିବା ପାଇଁ ତଥା ନିଜର ମା ଖରସ୍ରୋତା ନଦୀକୁ ବଞ୍ଚାଇବା ପାଇଁ ପ୍ରକଳ୍ପ ସ୍ଥଳକୁ ଧସେଇ ପଶିଥିଲେ। ତେଣୁ ପୋଲିସ ସେମାନଙ୍କୁ ଅଟକାଇବାରେ ସକ୍ଷମ ହୋଇ ନଥିଲା। ଆନ୍ଦୋଳନକାରୀ କମ୍ପାନୀର ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ କରିଥିଲେ। ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ୧୦ରୁ ଅଧିକ ଥାନାର ଅଧିକାରୀ, କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓଙ୍କ ସମେତ ୧୩ ପ୍ଲାଟୁନ୍ ପୋଲିସ ଫୋର୍ସ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ। ନଦୀ ପାଶ୍ୱର୍ରୁ କାଳେ ଆନ୍ଦୋଳନକାରୀ ପ୍ରକଳ୍ପ ସ୍ଥଳକୁ ପ୍ରବେଶ କରି ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବେ ସେ ଆଶଙ୍କାରେ ଓଡ୍ରାଫ ଟିମ୍ ମଧ୍ୟ ମୁତୟନ ହୋଇଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ମେଗା ଇନ୍‌ଫ୍ରାଷ୍ଟ୍ରକଚର ପ୍ରାଇଭେଟ୍ ଲିମିଟେଡ୍ ଖରସ୍ରୋତା ନଦୀରୁ ଜଳ ଭଦ୍ରକକୁ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ସହ ୮୫୨ କୋଟି ଟଙ୍କାର ଚୁକ୍ତି କରିଛି। ଅପରପକ୍ଷରେ ଅଞ୍ଚଳର ଲୋକମାନେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ଏହି ପାଣି ନେଇ ଆଦାନୀକୁ ବିକିବେ। ଭଦ୍ରକ ଜିଲ୍ଲାବାସୀଙ୍କୁ ପାନୀୟ ଜଳ ଯୋଗାଇଦେବାକୁ କହି ଭୁଆଁ ବୁଲାଉଛନ୍ତି। ଯଦି ଏଠାରୁ ପାଣି ନିଆଯାଏ ତେବେ ଖରସ୍ରୋତା ନଦୀର କିଛି ଦୂରରେ ଏକ ବ୍ୟାରେଜ ନିର୍ମାଣ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଥିଲେ। ଯେପର୍ଯ୍ୟନ୍ତ ବ୍ୟାରେଜ ନିର୍ମାଣ ହୋଇ ନାହିଁ ସେ ପର୍ଯ୍ୟନ୍ତ ପାଣି ଦିଆଯିବ ନାହିଁ ବୋଲି ଆନ୍ଦୋଳନକାରୀ କହିଛନ୍ତି। ଆନ୍ଦୋଳନକାରୀ ନାରା ଦେଇଥିଲେ ଖରସ୍ରୋତାରେ ଯେତିକି ଜଳ ପ୍ରବାହିତ ହେଉଛି ତାହା ଆମ ପାଇଁ ପର୍ଯ୍ୟାପ୍ତ ନୁହେଁ। ଏହି ନଦୀ ଯୋଗୁଁ ଆମ ଜିଲ୍ଲାର ଚାଷ କାର୍ଯ୍ୟ ସମ୍ଭବ ହେଉଛି। ତଥାପି ଚାଷ କାର୍ଯ୍ୟ ପାଇଁ ଜଳ ପର୍ଯ୍ୟାପ୍ତ ହେଉନାହିଁ। ତେଣୁ ଆମ ଜିଲ୍ଲାରେ ଚାଷୀମାନେ ଜଳ ସଙ୍କଟର ସମ୍ମୁଖୀନ ହେଉଥିବା ବେଳେ କ’ଣ ପାଇଁ ଆମେ ଭଦ୍ରକ ଜିଲ୍ଲାକୁ ଜଳ ଦେବୁ ବୋଲି ପ୍ରଶ୍ନ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ଖରସ୍ରୋତାରୁ ଜଳ ଘରୋଇ କମ୍ପାନୀ ନେଇ ଗଲେ ନଦୀ ଶୁଖିଯିବ। ଏଥି ନିମନ୍ତେ କେହି ଦାୟୀ ରହିବେ ନାହିଁ। ପ୍ରକଳ୍ପ ସ୍ଥଳରେ ଗତ ୨ ଦିନ ତଳୁ ୧୪୪ ଧାରା ଜାରି କରାଯାଇଥିଲା। ଏହି ଧାରା ଆସନ୍ତା ୨ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା। ହେଲେ ପ୍ରଶାସନର ଏହି ଘୋଷଣାକୁ ଆନ୍ଦୋଳନକାରୀ ଖାତିର କରି ନ ଥିଲେ। ତେଣୁ ସେମାନେ ପ୍ରକଳ୍ପ ସ୍ଥଳକୁ ଧଶେଇ ପଶିଥିଲେ। ଏହି ସମୟରେ ଆନ୍ଦୋଳନକାରୀଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଥିଲା। ଫଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଉଭୟ ଆନ୍ଦୋଳନକାରୀ ଓ ପୋଲିସ ଆହତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.