Home କେନ୍ଦୁଝର ଖବର ପ୍ରକାଶ ପରେ ପ୍ରଶାସନର ଚେତାପସିଲା, ମିଳିଲା ରାସନ, ମାଧିଆ ମୁଣ୍ଡାଙ୍କୁ ଭତ୍ତା ମିଳିବ କେବେ...

ଖବର ପ୍ରକାଶ ପରେ ପ୍ରଶାସନର ଚେତାପସିଲା, ମିଳିଲା ରାସନ, ମାଧିଆ ମୁଣ୍ଡାଙ୍କୁ ଭତ୍ତା ମିଳିବ କେବେ ?

53

ହାଟଡିହି,୯/୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ସରକାର ଗରିବ ଆଦିବାସୀ ମାନଙ୍କ ପାଇଁ କେତେ କଣ ଯୋଜନା ମାନ କରିଚାଲିଛନ୍ତି, କିନ୍ତୁ ତାହା କେବଳ ଭାଷଣ ବାଜିରେ ସିମିତ ରହିଯାଉଛି । ଯେଉଁ ସରକାରୀ ବାବୁ ମାନଙ୍କ ଦ୍ୱାରା ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥାଏ ସେମାନଙ୍କ ଅବହେଳା ଯୋଗୁଁ ବିଚରା ଗରିବ ହିତାଧିକାରୀ ମାନେ ଅବହେଳାର ଶୀକାର ହେଉଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ହାଟଡିହି ବ୍ଲକ ସୁଲଣ ପଞ୍ଚାୟତର ଆବୁଲୁପୁରା ଗ୍ରାମରେ । ଗ୍ରାମର ମାଧିଆ ମୁଣ୍ଡା ଓ ତାଙ୍କ ପତ୍ନୀ ଜୀବନ ବଞ୍ଚାଇବା ପାଇଁ ଭିକ୍ଷାବୃତ୍ତିକୁ ଆପେଣେଇ ନେଇଛନ୍ତି । ଭଙ୍ଗା ଘରେ ବାସ କରୁଥିବା ଏହି ଦୁଇପରାଣୀ ଅତି ଦୁଃଖ କଷ୍ଟରେ ଚଳୁଥିବାବେଳେ ସେମାନଙ୍କ ପାଖରେ କୌଣସି ସରକାରୀ ଯୋଜନା ପହଞ୍ଚି ପାରୁନଥିଲା । ଚାଷବାସ ପାଇଁ ଜମିବାଡି ନଥିବାବେଳେ ରେସନ କାର୍ଡ ଖଣ୍ଡିଏ ବି ନାହିଁଁ । ୭୦ବର୍ଷରେ ପାଦଥାପି ଥିଲେବି ଭତ୍ତା ଖଣ୍ଡିଏବି ତାଙ୍କୁ ମିଳିପାରିନି । ଏପରିକି ଆଧାରକାର୍ଡ ଖଣ୍ଡିଏ ମଧ୍ୟ କରିପାରି ନାହାନ୍ତି ମାଧିଆ କି ତାଙ୍କ ପତ୍ନୀ । ମାଧିଆ ଏବେ ପାରାଲିସସ ରୋଗୀ ହୋଇଥିବାବେଳେ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ କେହି ତାଙ୍କ ବୁଝିବାକୁ ନାହାନ୍ତି । ଗାଁରୁ ପଞ୍ଚାୟତ ପର୍ଯ୍ୟନ୍ତ ୱାର୍ଡସଭ୍ୟ, ସରପଞ୍ଚ ଭଳି ମାଳମାଳ ନେତା ଥିବାବେଳେ ପିଇଓ, ଜିଆରଏସ, ଅଙ୍ଗନବାଡି କର୍ମୀ, ସର୍ଭେ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀ ଓ ନୋଡାଲ ଅଫିସରଙ୍କ ଭଳି ମାଳ ମାଳ ଅଧିକାରୀ ବି ଅଛନ୍ତି । କିନ୍ତୁ କାହାର ଦୃଷ୍ଟି ତାଙ୍କ ଉପରେ ପଡୁନଥିଲା । ଏପରି ଅବସ୍ଥାରେ ସେ ଏବେ ଗାଁ ଗାଁ ବୁଲି ଭିକ୍ଷାବୃତ୍ତି କରି ନିଜର ପେଟ ପୋଷୁଥିବାବେଳେ ବଞ୍ଚୋ ଗାଁର ସମାଜସେବୀକା ମମତା ବରାଳ ତାଙ୍କୁ ଭେଟି ତାଙ୍କ ସମ୍ପର୍କରେ ପଚାରିବା ବେଳେ ସେ କାନ୍ଦି କାନ୍ଦି ତାଙ୍କ ଦୁଖଃ କାହାଣି କହିଥିଲେ । ପାରାଲିସସ ଯୋଗୁଁ ଗୋଟିଏ ହାତ କାମ କରୁନଥିବାବେଳେ ଏହି ବୁଢ଼ା ବୟସରେ ସରକାର ଯଦି ଭତ୍ତା ଓ ରାସନକାର୍ଡରେ ଚାଉଳ ଗଣ୍ଡେ ଯୋଗଇ ଦିଅନ୍ତେ ଆମେ ବୁଢ଼ାବୁଢ଼ି ଏହି ଦୁଃଖ କଷ୍ଟରରୁ ରକ୍ଷା ପାଇପାରନ୍ତୁ ବୋଲି କହିଥିଲେ । ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ମମତା ଏହାକୁ ଟୁଇଟ କରି ବିଭିନ୍ନ ବିଭାଗକୁ ଜଣାଇବାପରେ ଖାଦ୍ୟ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ତାଙ୍କର ପୁର୍ବରୁ ରେସନକାର୍ଡ ଥିଲା ମାତ୍ର ଆଧାର ସଂଯୋଗ ନହେବାରୁ ତାହା କଟିଯାଇଥିଲା । ତେଣୁ ପରିବର୍ତ୍ତିତ ପରିସ୍ଥିତିରେ ତାଙ୍କର ଅତ୍ୟଧିକ ବୃଦ୍ଧାବସ୍ଥା ଦେଖି ଏକ ସ୍ୱତନ୍ତ୍ର କେସ ଭାବେ ବିଚାରକୁ ନେଇ ତାଙ୍କୁ ଆଉ ଏକ ରେସନକାର୍ଡ ପ୍ରଦାନ କରାଯାଇଛି ଓ ଆଧାର ସତ୍ୟାପନଠାରୁ ବି ଛାଡ କରାଯାଇଛି ଓ ସେ ନିୟମିତ ରାସନ ସାମଗ୍ରୀ ପାଇପାରିବେ ବୋଲି ମନ୍ତ୍ରୀ ତାଙ୍କ ଟୁଇଟରେ ଜଣାଇଛନ୍ତି । ଖାଲି ରାସନ ସାମଗ୍ରୀ ଚାଉଳ ଗଣ୍ଡେ ପାଇଗଲେ ଯେ ଏହି ବୃଦ୍ଧ ଦମ୍ପତ୍ତି ଚଳିଯାଇ ପାରିବେ ତାହା କେବେ ସମ୍ଭବ ନୁହଁ । ଏଣୁ ଏହି ରାସନକାର୍ଡ ଭଳି ତାଙ୍କୁ ସ୍ୱତନ୍ତ୍ର ଭାବେ ଭତ୍ତା ଯୋଜନାରେ ସାମିଲ କରି ଭତ୍ତାଦୁଇଟି ଯୋଗାଇଦେଲେ ବୃଦ୍ଧ ଦମ୍ପତ୍ତି ସ୍ୱଚ୍ଛନ୍ଦରେ ଚଳିପାରନ୍ତେ ଓ ଭିକ୍ଷାବୃତ୍ତି ଭଳି କୁତ୍ସିତ କାର୍ଯ୍ୟରୁ ନିବୃତ ହୋଇ ପାରନ୍ତେ ବୋଲି ସମାଜସେବୀ ମମତା ବରାଳ ପ୍ରଶାସନ କୁ ନିବେଦନ କରିଛନ୍ତି । ଏନେଇ ସେ ଗତକାଲି ମାଧିଆ ମୁଣ୍ଡାଙ୍କୁ ସାଙ୍ଗରେ ଧରି ବିଡିଓଙ୍କ ନିକଟରେ ପହଞ୍ଚି ଭତ୍ତା ଖଣ୍ଡିଏ କରାଇଦେବାକୁ ବିଡିଓଙ୍କୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.