Home Top News ଖବର କାଗଜ ମାଧ୍ୟ୍ୟମରେ ରାଜନୀତି କରିବାର ଯୁଗ ଶେଷ

ଖବର କାଗଜ ମାଧ୍ୟ୍ୟମରେ ରାଜନୀତି କରିବାର ଯୁଗ ଶେଷ

99

୧୯୯୫ ମସିହା ଜାନକୀ ବଲ୍ଲଭ ପଟ୍ଟନାୟକ ସରକାର ସମୟରେ ଓଡିଶାରୁ ଗୋଟିଏ ଦୈନିକ ଓଡ଼ିଆ ଖବର କାଗଜ ପ୍ରକାଶିତ ହେବା ପାଇଁ ଚେଷ୍ଟା କରାଯାଇ ଥିଲା। ତା ନାଆ ଥିଲା ‘ଆରମ୍ଭ’। ସେହି ଦୈନିକ ଖବର କାଗଜର ସମ୍ପାଦକ ଥିଲେ ଚନ୍ଦ୍ର ମିଶ୍ର। ସିଏ ଗୋଟିଏ ନୂଆ ସ୍ଲୋଗାନ ଦେଇ ତାଙ୍କ ଖବର କାଗଜର ଶୁଭାରମ୍ଭ କରିଥିଲେ। ସ୍ଲୋଗାନ ଥିଲା ” ଖବର କାଗଜ ମାଧ୍ୟମରେ ରାଜନୀତି କରିବାର ଯୁଗ ଶେଷ —- “ଆରମ୍ଭ”। ସ୍ଲୋଗାନଟି ଓଡ଼ିଶାବାସୀଙ୍କ ମନକୁ ଛୁଇଁଲା। ଖବର କାଗଜଟି ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଲୋକାର୍ପଣ ହୋଇଥିଲା। କୌଣସି ମନ୍ତ୍ରୀ, ବିଧାୟକମାନଙ୍କୁ ସେଥିରେ ଡକା ଯାଇ ନ ଥିଲା। ସେହି ଖବର କାଗଜଟି ଏତେ ଲୋକପ୍ରିୟତା ହାସଲ କରିଯାଇ ଥିଲା ଯେ, ଆଶା କରାଯାଉଥିଲା ଖୁବ କମ ଦିନ ଭିତରେ ଏହା ଓଡ଼ିଶାର ଏକ ନମ୍ବର ଖବର କାଗଜ ହେଇପାରିଥାନ୍ତା। ମାତ୍ର ସେତେବେଳେ ଜାନକୀ ପଟ୍ଟନାୟକଙ୍କ ସରକାର ଓ ତାଙ୍କ ଜ୍ୱାଇଁ ସୌମ୍ୟ ରଞ୍ଜନ ପଟ୍ଟନାୟକ ବାହାର କରୁଥିଲେ “ସମ୍ବାଦ” । ତେଣୁ କାଳେ “ଆରମ୍ଭ” ‘ସମ୍ବାଦ’ ଖବର କାଗଜର ମୁଖ୍ୟ ପ୍ରତିଦ୍ବନ୍ଦୀ ହେଇଯିବ ତାକୁ କଳେ ବଳେ କୌଶଳେ ବନ୍ଦ କରିଦିଆଗଲା। ପୁରା ସରକାରୀ କଳ ନିୟୋଜିତ କରାଯାଇଥିଲା। ଘରୋଇ ଵିଜ୍ଞାପନକୁ ସରକାରୀ ସ୍ତରରେ ଧମକା ଯାଇଥିଲା ଉକ୍ତ ଖବର କାଗଜକୁ ଵିଜ୍ଞାପନ ନ ଦେବା ପାଇଁ। ଖବର କାଗଜ ବିତରକମାନଙ୍କୁ ଡରା ଯାଇଥିଲା ସେହି ଖବର କାଗଜର ପ୍ରସାରଣ ନ କରିବା ପାଇଁ। ପରିସ୍ଥିତି ଏପରି ସୃଷ୍ଟି କରାଯାଇ ଥିଲା ଯେ, ଓଡ଼ିଶାର କୌଣସି ପ୍ରେସ ସେହି ଖବର କାଗଜକୁ ଛାପିବାକୁ ଡରିଲେ। ଏହି ସମସ୍ତ ଘଟଣା ସରକାରୀ ରେକର୍ଡକୁ ଯାଞ୍ଚ କଲେ ମିଳିପାରିବ। କଂଗ୍ରେସ ସରକାର ସମୟରେ ‘ସମ୍ବାଦ ‘ ଖବର କାଗଜକୁ ଏକ ନମ୍ବର କରିବା ପାଇଁ ସରକାରୀ କଳ ଓ ବଳର ଅପପ୍ରୟୋଗ ଏତେ ମାତ୍ରାରେ କରାଯାଇ ଥିଲା ଯେ ଅନ୍ୟ ଖବର କାଗଜ ମୁଣ୍ଡ ଟେକିବା ମୁସ୍କିଲ ହୋଇ ପଡୁଥିଲା। ହଁ, ଏ କଥା ସତ୍ୟ ଯେ, ଓଡ଼ିଶାରେ ଆଧୁନିକ ସାମ୍ବାଦିକତାର ପରିଚୟ ସମ୍ବାଦରୁ ହିଁ ସୃଷ୍ଟି। ସୌମ୍ୟ ରଞ୍ଜନ ପଟ୍ଟନାୟକ ଜଣେ ଉଚ୍ଚ ଶିକ୍ଷିତ ଓ ଆଧୁନିକ ସାମ୍ବାଦିକତାର ଜନକ ତାଙ୍କୁ କୁହାଯାଏ। ହଜାର ହଜାର ସାମ୍ବାଦିକ ଆଜି ଓଡ଼ିଶାରେ ସୃଷ୍ଟି ହୋଇଛନ୍ତି ସମ୍ବାଦରୁ। ମାତ୍ର ସାମ୍ବାଦିକଙ୍କ ଦୁଃଖରେ କେବେ ଛିଡା ହେଇ ନାହାଁନ୍ତି ସୌମ୍ୟ ବାବୁ। ଅନେକ କାର୍ଯ୍ୟରତ ସାମ୍ବାଦିକଙ୍କ ଏହା ଖୁଲମ ଖୁଲା ମତାମତ।

ସମୟର ଘଣ୍ଟା ଆଜି ପୁଣି ସେହି ସ୍ଥାନରେ ଆସି ପହଁଚିଛି। କ୍ଷମତାରେ ଥିବା ସମୟରେ ନିଜସ୍ୱ ସରକାରୀ କଳର ଦୁରୁପୋଯୋଗ କରି ନିଜ ଖବର କାଗଜ ସଂସ୍ଥାକୁ ଏକ ନମ୍ବର କରାଇବା ପାଇଁ ଯାହା ଅସ୍ୱାଭାବିକ କାର୍ଯ୍ୟ କରାଯାଇଥିଲା ଆଜି ସମୟ ତାର ଉତ୍ତର ଚାହୁଁଛି ବୋଲି ଅନେକ ପୁରୁଖା ସାମ୍ବାଦିକ ମତ ପୋଷଣ କରିଛନ୍ତି। ସୌମ୍ୟ ବାବୁ ନିଜ ସମ୍ପାଦକୀୟରେ ଲେଖି ଥିବା ଘଟଣାର ସତ୍ୟା ସତ୍ୟ ଆଗାମୀ ଦିନରେ ପରିପ୍ରକାଶ ହେବ ଏହା ନିଃସନ୍ଦେହ। କିନ୍ତୁ ସମୟର ଚକ୍ରରେ ସୌମ୍ୟ ବାବୁ ଓ ତାଙ୍କ ଖବର କାଗଜ ସଂସ୍ଥା ଏବେ ହରଡ଼ ଘଣାରେ। କିଛି ହାତ ଗଣତି ସାମ୍ବାଦିକଙ୍କୁ ଛାଡିଦେଲେ କେହି ଆଜି ସୌମ୍ୟଙ୍କ ସାଥିରେ ନାହାଁନ୍ତି। କାରଣ ସିଏ କିମ୍ବା ତାଙ୍କ ସଂସ୍ଥା କେବେ ଛିଡା ହେଇ ନାହାଁନ୍ତି। ଏହି ବିଜେଡ଼ି ସରକାରରେ ଅନେକ ସାମ୍ବାଦିକ ଓ ମିଡ଼ିଆ ସଂସ୍ଥା ସୌମ୍ୟ ବାବୁଙ୍କ ପରି ଅବସ୍ଥା ଭୋଗିଛନ୍ତି ଓ ଜେଲ ମଧ୍ୟ ଯାଇଛନ୍ତି। ତେଣୁ ସୌମ୍ୟଙ୍କ ଘଟଣାରେ ଓଡ଼ିଶାରେ କାର୍ଯ୍ୟରତ ଅନେକ ସାମ୍ବାଦିକ ସଂଗଠନ ମଧ୍ୟ ଏହି ଘଟଣାରେ ଚୁପ। ପାଟି ଖୋଲୁ ନାହାଁନ୍ତି। ସମସ୍ତଙ୍କର ଗୋଟିଏ କଥା – ନିଜ ସମସ୍ୟା ନିଜେ ସମ୍ଭାଳ। ଆମକୁ ଜେଲ ଯିବାର ନାହିଁ।

ପ୍ରିୟ ରଞ୍ଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.