Home ଓଡ଼ିଶା କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା, ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହେଲେ ୮ ଅଭିଯୁକ୍ତ

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା, ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହେଲେ ୮ ଅଭିଯୁକ୍ତ

55

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁ ଚର୍ଚ୍ଚିତ କ୍ୟାମେରାମେନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହେଲେ ୮ ଅଭିଯୁକ୍ତ। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସମେତ ୮ ଅଭିଯୁକ୍ତଙ୍କୁ ଆଜି ଚାନ୍ଦବାଲି କୋର୍ଟରେ ହାଜର କରାଯାଇଛି। ସୂଚନା ଅନୁସାରେ ସମସ୍ତ ଅଭିଯୁକ୍ତ ପ୍ରଥମେ ଭଦ୍ରକ ସ୍ୱତନ୍ତ୍ର ଉପକାରାଗାରରୁ ସକାଳ ଜଳଖିଆ ସାରି ୮.୧୫ ମିନିଟ୍‌ରେ ବାହାରିଥିଲେ। ୮ ଅଭିଯୁକ୍ତଙ୍କୁ ଗୋଟିଏ ବଡ ଭ୍ୟାନ୍ ଦ୍ୱାରା କଡା ସୁରକ୍ଷା ବଳୟ ଭିତରେ ଚାନ୍ଦବାଲି କୋର୍ଟକୁ ଅଣାଯାଇଥିଲା। ଦୀର୍ଘ ଦେଢମାସ ପରେ ଶର୍ମିଷ୍ଠା ରାଉତ, ଝୁନା ଭୋଇ, ନିରଞ୍ଜନ ସେଠୀ, ରଞ୍ଜନ ନାୟକ ପ୍ରମୁଖ ଗୋଟିଏ ଗାଡିରେ ସାଥୀ ହୋଇ ଆସିଥିବାରୁ ଦୀର୍ଘ ସମୟ ଧରି ଭ୍ୟାନ୍‌ରେ ସେମାନଙ୍କ ମଧ୍ୟରେ ଆଲୋଚନା ହେଉଥିବାର ଚର୍ଚ୍ଚା ଜୋର ଧରିଛି। ତେବେ ପ୍ରଥମେ ପୁଲିସ୍ କୋର୍ଟରେ ସେମାନଙ୍କୁ ହାଜର କରିଥିବାବେଳେ କିଛି ସମୟ ପରେ ଚାନ୍ଦବାଲି ଜେଏମ୍‌ଏଫସି କୋର୍ଟ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଯାଇଥିଲା। ଏଥିପୂର୍ବରୁ ଏପ୍ରିଲ ୧୩ ରେ ଭିଡିଓ କନଫରେନ୍ସି ଦ୍ୱାରା ସେମାନଙ୍କୁ ହାଜର କରାଯାଇଥିଲା।

କ୍ରାଇମବ୍ରାଞ୍ଚ ପକ୍ଷରୁ ଆଜି ସାକ୍ଷୀମାନଙ୍କୁ ହାଜର କରାଯାଇ ବୟାନ ରେକର୍ଡ କରାଯିବା ସହ ମାନସ ସ୍ୱାଇଁଙ୍କୁ ଅପହରଣ ଠାରୁ ଆରମ୍ଭ କରି ହତ୍ୟା ପର୍ଯ୍ୟନ୍ତ ଜବତ ହୋଇଥିବା ସମସ୍ତ ବ୍ୟବହୃତ ସାମଗ୍ରୀ ଚାନ୍ଦବାଲି କୋର୍ଟରେ ମାଜିଷ୍ଟ୍ରେଟଙ୍କ ନିକଟରେ କ୍ରାଇମବ୍ରାଞ୍ଚ ଦେଖାଇଥିବାର ଜଣାପଡିଛି। ଏଠାରେ ପ୍ରକାଶ ଥାଉକି ଅପହରଣରେ ସଂପୃକ୍ତ ବିବେକ ନାୟକ ଓ ଭାଗ୍ୟଧର ନାୟକଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିବା ପାଇଁ ଆବେଦନ କରିଥିଲା। ଯାହାକି ଅଗଷ୍ଟ ୧୬ ତାରିଖକୁ ଅନୁମତି ମିଳିବାରୁ କ୍ରାଇମବ୍ରାଞ୍ଚ ଭଦ୍ରକ ଜେଲ୍‌ରେ ୨ ଜଣଙ୍କୁ ଦୀର୍ଘସମୟ ଧରି ଜେରା କରିଥିଲା। ହେଲେ ଟିଆଇ ପ୍ୟାରେଡ୍ ପାଇଁ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟଙ୍କ ପକ୍ଷରୁ ଅନୁମତି ମିଳିଥିଲେ ମଧ୍ୟ ଭଦ୍ରକ ସିଜିଏମ୍‌ଙ୍କ ପକ୍ଷରୁ ଦିନ ଧାର୍ଯ୍ୟ ହୋଇନଥିବାରୁ ତାହା ସମ୍ଭବ ହୋଇପାରିନାହିଁ। ତେବେ ଆଜି ସମସ୍ତ ଅଭିଯୁକ୍ତ ହାଜର ହେବା ପରେ କୋର୍ଟରେ ଶୁଣାଣି ପ୍ରକ୍ରିୟା ଶେଷ ହୋଇଥିଲା। ପରେ ସମସ୍ତଙ୍କୁ ପୁନର୍ବାର ଭଦ୍ରକ ସ୍ୱତନ୍ତ୍ର ଉପକାରାଗାରକୁ ଅଣାଯାଇଥିଲା। ଏଥିନେଇ ଆଜି ଚାନ୍ଦବାଲି କୋର୍ଟ ପରିସରରେ ସାଧାରଣ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ଆଜିର ଏହି ଶୁଣାଣି ପ୍ରକ୍ରିୟା ନେଇ ପକ୍ଷ କି ପ୍ରତିପକ୍ଷଙ୍କ ଆଇନ୍ ପରାମର୍ଶ ଦାତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.