Home Coronavirus Outbreak କୋଭିଡ-୧୯ର ପ୍ରଭାବ ସମୟରେ ଦିଲ୍ଲୀ ଏବଂ ଏନ୍‌ସିଆରର ଆର୍ଥିକ ପ୍ରଭାବିତ ଓଡ଼ିଆଙ୍କୁ “ଓଡ଼ିଆ ସମାଜ, ନୂଆଦିଲ୍ଲୀ’...

କୋଭିଡ-୧୯ର ପ୍ରଭାବ ସମୟରେ ଦିଲ୍ଲୀ ଏବଂ ଏନ୍‌ସିଆରର ଆର୍ଥିକ ପ୍ରଭାବିତ ଓଡ଼ିଆଙ୍କୁ “ଓଡ଼ିଆ ସମାଜ, ନୂଆଦିଲ୍ଲୀ’ ପକ୍ଷରୁ ସହାୟତା ପ୍ରଦାନ

416

ରାଷ୍ଟ୍ରୀୟ ତାଲାବନ୍ଦୀ ବା ନ୍ୟାସନାଲ ଲକଡାଉନ୍ ସମୟରେ ଦିଲ୍ଲୀ ଏନ୍‌ସିଆରଠାରେ ଥିବା ଆର୍ଥିକ ପ୍ରଭାବିତ ଓଡ଼ିଆମାନଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ଓଡ଼ିଆ ସମାଜ ପକ୍ଷରୁ ଲିଗାଲ ଏଡ ସେଲ ବା ଆଇନଗତ ସହାୟତା ପ୍ରକୋଷ୍ଠ ସ୍ଥାପନା

ନୂଆଦିଲ୍ଲୀ, ୮.୪.୨୦୨୦ (ଓଡ଼ିଆ ପୁଅ) : ସମଗ୍ର ବିଶ୍ୱରେ କରୋନା ଭାଇରସ୍ ବା କୋଭିଡ-୧୯ ଏକ ବିଶ୍ୱ ମହାମାରୀର ରୂପ ନେଇଥିବା ବେଳେ ଏହାର କଡ଼ା ମୁକାବିଲା କରିବା ନିମନ୍ତେ ସମଗ୍ର ଦେଶରେ ୨୧ ଦିନର ନ୍ୟାସନାଲ ଲକଡାଉନ୍ ଘୋଷଣା କରାଯାଇଛି। ଏହି ଲକ୍‌ଡାଉନ୍ ସମସ୍ତଙ୍କ ଜୀବନକୁ ଏକ ପ୍ରକାର ଠପ୍ କରିଦେଇଛି। ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ମଧ୍ୟ ସମଗ୍ର ଦେଶକୁ ସମ୍ବୋଧନ କରିବା ଅବସରରେ ବାହାରକୁ ନ ବାହାରି ସମସ୍ତଙ୍କୁ ସାମାଜିକ ଦୂରତା ବଜାୟ ରଖି ଘରେ ରହିବା ପାଇଁ ନିବେଦନ କରିଥିଲେ।

ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇ କହିଛନ୍ତି ଯେ, ନାଗରିକ ସମାଜ ବା ସିଭିଲ୍ ସୋସାଇଟି ଅଥବା ବିଭିନ୍ନ ଅଣଲାଭକାରୀ ଅନୁଷ୍ଠାନ ମଧ୍ୟ ଦିଲ୍ଲୀ ଏନ୍‌ସିଆର୍‌ଠାରେ ବାସ କରୁଥିବା ଲୋକମାନଙ୍କ ନିକଟରେ ପହଂଚିବା ଆବଶ୍ୟକ, ବିଶେଷ କରି ଯେଉଁ ଲୋକମାନେ ଓଡ଼ିଶାରୁ ରୋଜଗାର ସନ୍ଧାନରେ ଆସି ଏଠାରେ ବାସ କରୁଛନ୍ତି। ଏହିକ୍ରମରେ ନୂଆଦିଲ୍ଲୀସ୍ଥିତ ଏକ ଅଣଲାଭଦାୟକ ସଙ୍ଗଠନ ଓଡ଼ିଆ ସମାଜ, ଏହି ଉଦ୍ୟମକୁ ତ୍ୱରାନ୍ୱିତ କରିବା ସହ ଏହି ଆହ୍ୱାନକୁ ସ୍ୱିକାର ମଧ୍ୟ କରିଛି। ଦିଲ୍ଲୀ ଏନ୍‌ସିଆର୍‌ଠାରେ ବାସ କରୁଥିବା ଏବଂ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ସଂଖ୍ୟାଧିକ ଓଡ଼ିଆ ଶ୍ରମିକଙ୍କ ଅଧିକାର ନିମନ୍ତେ ଆଇନଗତ ସହାୟତା ପ୍ରଦାନ କରିବା ସହ ରିଲିଫ୍ ଯୋଗାଇବା, ଅସୁବିଧାରେ ଥିବା ଓଡ଼ିଆମାନଙ୍କ ଅଭିଯୋଗ ଶୁଣିବାରେ ସକ୍ରିୟ ଭୂମିକା ଗ୍ରହଣ କରିଛି।

ଏଭଳି ପରିସ୍ଥିତିରେ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ଦିଗରେ ଓଡ଼ିଆ ସମାଜ ସହଯୋଗର ହାତ ବଢାଇଛି ଏବଂ ଦିଲ୍ଲୀ ଏନ୍‌ସିଆର୍‌ରେ ଥିବା ଓଡ଼ିଆମାନଙ୍କୁ ଗତ ମାର୍ଚ୍ଚ ୩୦ ତାରିଖରୁ ପ୍ରତିଦିନ ସ୍ଥାନୀୟ ଜଗନ୍ନାଥ ମନ୍ଦିର, ଅନ୍ୟାନ୍ୟ ମନ୍ଦିରଗୁଡ଼ିକରେ, ସ୍କୁଲ ଗୃହ ଏବଂ ଅନ୍ୟାନ୍ୟ ଗୋଷ୍ଠୀ କେନ୍ଦ୍ରଗୁଡ଼ିକରେ ଶୁଖିଲା ରାସନ ପ୍ୟାକେଟ୍‌ମାନ ବଂଟନ କରାଯାଉଛି। ଜାତୀୟ ସଙ୍କଟର ଏହି ଘଡ଼ିସନ୍ଧି ସମୟରେ ହିତାଧିକାରୀମାନଙ୍କୁ ମୌଳିକ ସୁବିଧା, ସର୍ବନିମ୍ନ ଖାଦ୍ୟ ରାନ୍ଧିବା ଏବଂ ନିଜକୁ ତଥା ନିଜ ପରିବାର ଓ ପରିଜନକୁ ବଂଚାଇବା ପାଇଁ ଏହା ବେଶ୍ ସାହାଯ୍ୟ କରିଛି। ଏହି ଅଭିନବ ପ୍ରୟାସରେ ଗୁରଗାଓଁ, ମନେସାର, ଫରିଦାବାଦ, ଭିୱାଡି, ଗାଜିଆବାଦ, ନୋଏଡା, ଗ୍ରେଟର ନୋଏଡା, ଆୟାନଗର, ଉତମନଗର, ପୀରାଗର୍ହି, କୋଟଲା, ନାଗଲୋଇ, ତୁଗଲକାବାଦ ଏବଂ ଦିଲ୍ଲୀର ଆଖପାଖ ଅଂଚଳର ଏ ପର୍ଯ୍ୟନ୍ତ ମଧ୍ୟରେ ପ୍ରାୟ ୩୨୫୦ ପରିବାରକୁ ଶୁଖିଲା ରାସନ ଯୋଗାଇ ଦିଆଯାଇଛି।

ଓଡ଼ିଆ ସମାଜ ପକ୍ଷରୁ ଏକ ଲିଗାଲ ଏଡ଼ ସେଲ୍ ସ୍ଥାପନା କରାଯାଇଛି ଯାହା କି ଦିଲ୍ଲୀ ଏନ୍‌ସିଆର୍‌ରେ ଥିବା ଓଡ଼ିଆ ଶ୍ରମିକମାନଙ୍କୁ ବିଶେଷ କରି ଏହି ନ୍ୟାସନାଲ୍ ଲକଡାଉନ୍ ସମୟରେ ରୋଜଗାର ହରାଇଥିବା ପରିବାରକୁ ସାହାଯ୍ୟ କରିବାରେ ପ୍ରଂଶସନୀୟ କାର୍ଯ୍ୟ କରୁଅଛି। ଲକଡାଉନ୍ ସମୟରେ ବେରୋଜଗାର ହୋଇଥିବା ଏବଂ ଘରଭଡ଼ା ଦେଇପାରୁ ନ ଥିବା ଏହି ଓଡ଼ିଆ ଶ୍ରମିକ ପରିବାର ଘରମାଲିକମାନଙ୍କଠାରୁ ଘର ଛାଡ଼ିବା ପାଇଁ ଧମକ ପାଉଛନ୍ତି। ସେହି ପରିସ୍ଥିତିରେ ଏହି ଲିଗାଲ ଏଡ଼ ସେଲ୍ ଶ୍ରମିକ ଏବଂ ଜିଲା ପ୍ରଶାସନ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରୁଛି। ଘରମାଲିକମାନେ ଘରଭଡ଼ା ନ ମାଗିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିଗୁଡ଼ିକର ସଠିକ୍ ରୂପାୟନ ଦିଗରେ ଏହି ସେଲ୍ ନିୟମିତ ଭାବେ କାର୍ଯ୍ୟକରିଆସୁଛି। ଉପରୋକ୍ତ କାର୍ଯ୍ୟଧାରାଗୁଡ଼ିକ ସୁରୁଖୁରୁରେ ଏବଂ ନିରବଚ୍ଛିନ୍ନ ଭାବେ ଚାଲିବାକୁ ସୁନିଶ୍ଚିତ କରିବାକୁ ଯାଇ, ଓଡ଼ିଆ ସମାଜ ପକ୍ଷରୁ ଜୋନାଲ ସଂଯୋଜକମାନଙ୍କୁ ନେଇ ଏକ ବ୍ୟାଣ୍ଡ ଗଠନ କରାଯାଇଛି ଯେଉଁଥିରେ ଶ୍ରୀ ରବି ପ୍ରଧାନ, ଶ୍ରୀ ମୀନକେତନ ମିଶ୍ର, ଶ୍ରୀ ପି କେ ଦାଶ, ଶ୍ରୀ ବିଦ୍ୟାଧର ସାହୁ, ଶ୍ରୀ ଅଫିସାର ରାଉତ, ଶ୍ରୀ ଉମାକାନ୍ତ ଦାସ, ଶ୍ରୀ ବସନ୍ତ ସ୍ୱାଇଁ, ଶ୍ରୀ ଉଦୟ ନାଥ ସ୍ୱାଇଁ, ଶ୍ରୀ ମୀନକେତନ ସାମଲ, ଶ୍ରୀ ମିହିର ରାୟ, ଶ୍ରୀ ଅନନ୍ତ ମଲ୍ଲିକ ଏବଂ ଶ୍ରୀ ନନ୍ଦ କିଶୋର ଦ୍ୱିବେଦୀ ପ୍ରମୁଖଙ୍କ ସମେତ ସଂଖ୍ୟାଧିକ ସ୍ୱେଚ୍ଛାସେବୀ ଏହିଧାରାରେ ସ୍ୱେଚ୍ଛାକୃତ ଭାବେ ସାମିଲ ହୋଇ ଏହି ଲକଡାଉନ୍ ସମୟରେ ପ୍ରତ୍ୟେକ ଦିନ ଅଭାବୀ ଏବଂ ଦୁଃସ୍ଥ ପରିବାରଙ୍କୁ ସାହାଯ୍ୟ କରିବା ନିମନ୍ତେ ନିରନ୍ତର କାର୍ଯ୍ୟ କରୁଛନ୍ତି।

ଏହି କାର୍ଯ୍ୟଧାରା ବିଷୟରେ ଓଡ଼ିଆ ସମାଜ ସଭାପତି ଶ୍ରୀ ସିଦ୍ଧାର୍ଥ ପ୍ରଧାନ କହିଛନ୍ତି, ଓଡ଼ିଆ ସମାଜ ସର୍ବଦା ପ୍ରବାସୀ ଓଡ଼ିଆଙ୍କ ନିମନ୍ତେ ସହଯୋଗର ହାତ ବଢାଇଛି। ବର୍ତ୍ତମାନ ପରିସ୍ଥିତିରେ ଅଭାବୀ, ଅସହାୟ ଏବଂ ଅସୁବିଧାରେ ପଡ଼ିଥିବା ଓଡ଼ିଆ ପରିବାର ବା ବ୍ୟକ୍ତିଙ୍କୁ ସଠିକ୍ ସମୟରେ ସହାୟତା ପ୍ରଦାନ କରିବା ପାଇଁ ଆମେ ଘର ଘର ଘର ବୁଲି ସହାୟତା ପହଞ୍ଚିବା ଉପରେ ପ୍ରାଧାନ୍ୟ ଦେଉଅଛୁ। କେତେକ ସ୍ଥାନରେ ଆମ ବିତରଣ ପ୍ରକ୍ରିୟାରେ ସହାୟତା କରିବା ପାଇଁ ସ୍ଥାନୀୟ ସରକାରୀ କର୍ମୀ ଏବଂ ଦିଲ୍ଲୀ ପୋଲିସର ସହାୟତା ନେଉଛୁ, ଯାହା ଦ୍ୱାରା ସାମାଜିକ ଦୂରତା ବଜାୟ ରଖିବାର ନିବେଦନ ସଫଳ ହେବ। ଦିଲ୍ଲୀ ଏନ୍‌ସିଆର୍‌ରେ ୧୫ ରୁ ୧୮ ଜଗନ୍ନାଥ ମନ୍ଦିର ଏବଂ ବିଭିନ୍ନ ଓଡ଼ିଆ ସଂଗଠନ ରହିଛି, ସେମାନଙ୍କ ମଧ୍ୟରୁ ପ୍ରାୟ ୭୦-୮୦ ଜଣ ସ୍ୱତଃପ୍ରବୃତ ଭାବେ ଆସି ଏହି କାର୍ଯ୍ୟରେ ଓଡ଼ିଆ ସମାଜ ସହ ହାତ ମିଳାଇଛନ୍ତି।

ଶ୍ରୀ ହିରଣ୍ୟ ମହାନ୍ତି, ଟ୍ରଷ୍ଟି, ଓଡିଆ ସମାଜ କହିଛନ୍ତି, ଯେତେବେଳେ କୌଣସି ସଙ୍କଟ ଆସେ, ସେତେବେଳେ ଆମେ ଆମର ଓଡ଼ିଆ ଭାଇ ଭଉଣୀମାନଙ୍କ ନିକଟରେ ପହଂଚିବା ପାଇଁ ସର୍ବଦା ଉଦ୍ୟମ କରିଥାଉ। ଲକଡାଉନ୍ ସରିବା ପର୍ଯ୍ୟନ୍ତ ଆମେ ଏହି ପ୍ରୟାସ ଜାରି ରଖିବାକୁ ଯୋଜନା କରିଛୁ। ସେ ଆହୁରି ସୂଚୀତ କରିଛନ୍ତି ଯେ ଯଦି ଆବଶ୍ୟକ ହୁଏ, ତେବେ ଓଡ଼ିଆ ସମାଜ ଏହି କାର୍ଯ୍ୟକ୍ରମର ଅବଧିକୁ ବଢାଇପାରେ, ଯେ ପର୍ଯ୍ୟନ୍ତ ଅଭାବୀ ଓଡ଼ିଆଙ୍କ ଜୀବନ ସ୍ୱାଭାବିକ ନହୋଇଥିବ।

ଓଡ଼ିଆ ସମାଜ ରାଷ୍ଟ୍ରୀୟ ରାଜଧାନୀର ଏକ ଅଗ୍ରଣୀ ଅଣ-ଲାଭକାରୀ, ସାମାଜିକ-ସାଂସ୍କୃତିକ ସଂଗଠନ, ଯାହା କେବଳ ଏକ ପ୍ରଭାବଶାଳୀ ଓ ନିରପେକ୍ଷ ଚିନ୍ତନ ଅନୁଷ୍ଠାନ ତାହା ନୁହେଁ, ପ୍ରାଥମିକ ଭାବେ ଓଡ଼ିଶାର ବିକାଶମୂଳକ ଦିଗ ଉପରେ ସର୍ବଦା ଗୁରୁତ୍ୱ ଦେଇଥାଏ। ବିଶ୍ୱବ୍ୟାପୀ ଓଡ଼ିଆ ଲୋକଙ୍କ କଲ୍ୟାଣ ଚିନ୍ତାଧାରା ଓ ସହାୟତାର ଆଦାନ ପ୍ରଦାନ କରିବା ପାଇଁ ଏହା ବିଶ୍ୱର ପ୍ରବାସୀ ଓଡ଼ିଆଙ୍କ ପାଇଁ ଏକ ଉକୃଷ୍ଟ ସଂଗଠନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.