Home ଜିଲ୍ଲା ପରିକ୍ରମା କୋଭିଡ ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ନିର୍ମାଣ ଶ୍ରମିକ ନନିଗୋପାଲ, ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ପରିବାର ସହ...

କୋଭିଡ ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ନିର୍ମାଣ ଶ୍ରମିକ ନନିଗୋପାଲ, ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ପରିବାର ସହ ଦେବେ ଧାରଣା

73

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଗେଲଟୁଆ ଗ୍ରାମ ପଞ୍ଚାୟତର ନନିଗୋପାଲ ଦେବନାଥ । ସେ ଜଣେ ଭିନ୍ନକ୍ଷମ । ଭିନ୍ନକ୍ଷମ ହୋଇ ମଧ୍ୟ କେବେ ନିଜ ପରିବାର ଉପରେ ବୋଝ ହୋଇ ନାହାନ୍ତି । ନିଜ ଉଦ୍ୟମରେ ଏକ ନିର୍ମାଣ ଶ୍ରମିକ କାର୍ଡ଼ ମଧ୍ୟ କରିଥିଲେ । ଆଶା ଥିଲା, ସରକାର ଯଦି କେବେ କୌଣସି ନିର୍ମାଣ ଶ୍ରମିକ ସହାୟତା ଘୋଷଣା କରନ୍ତି, ସେ ଏହା ପାଇ ପାରିବେ । ଯାହାକି ପରିବାରର କାମରେ ଆସିବ । କିନ୍ତୁ ସରକାର ନିର୍ମାଣ ଶ୍ରମିକଙ୍କ ପାଇଁ ଘୋଷଣା କରିଥିବା କୋଭିଡ ସହାୟତା ରାଶୀ ଏପର୍ଯ୍ୟନ୍ତ ପାଇ ପାରି ନାହାନ୍ତି । ପ୍ରତ୍ୟେକ ଦିନ ବିଛଣାରେ ପଡ଼ି ରହି ବ୍ୟାଙ୍କ ମେସେଜକୁ ଅପେକ୍ଷା କରିଛନ୍ତି । ତେଣୁ ଶ୍ରମ ବିଭାଗର ଏପରି ଅବହେଳାକୁ ନେଇ ସେ ଅସନ୍ତୋଷବ୍ୟକ୍ତ କରିବା ସହ ଷ୍ଟ୍ରେଚରରେ ଯାଇ ଶ୍ର୍ରମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି । ତଥ୍ୟ ଅନୁଯାୟୀ ଏକମାତ୍ର ପୁତ୍ର, ବୋହୂ, ଝିଅ ଓ ପତ୍ନୀଙ୍କୁ ନେଇ ନନିଗୋପାଲଙ୍କ ସଂସାର । ଶାରିରୀକ ପ୍ରତିବନ୍ଧୀତା ସତ୍ତ୍ୱେ ସକାଳ ହେଲେ ଚାଲିଚାଲି ବାହାରି ଯାଆନ୍ତି ବିଭିନ୍ନ ସାହି ବସ୍ତିକୁ । ହାତରେ ଥାଏ ଏକ ତୁଳା ଭିଣିବା ପାଇଁ ସରଂଜାମ । ବୁଲି ବୁଲି ଲୋକଙ୍କ ବ୍ୟବହାର ଉପଯୋଗୀ ହୋଇ ପାରୁନଥିବା ରେଜେଇ, ତକିଆର ତୁଳାକୁ ଭିଣି ବ୍ୟବହାର ଉପଯୋଗୀ କରିଥାନ୍ତି । ଏହି ବୃତ୍ତିରୁ ଯାହା କିଛି ମିଳେ ସେଥିରେ ପରିବାର ଚଳାଇଥାନ୍ତି ।

କିନ୍ତୁ ୩ବର୍ଷ ପୂର୍ବେ ଭଦ୍ରକ କଚେରୀ ବଜାରରେ ଏକ ଦୁର୍ଘଟଣାର ସମ୍ମୁଖୀନ ହେଲେ । ଏଥିରେ ତାଙ୍କ ମେରୁଦଣ୍ଡରେ ଗୁରୁତର ଆଘାତ ଲାଗିଲା । ସେହି ଦିନ ଠାରୁ ନନିଗୋପାଲ ଶଯ୍ୟାଶାୟୀ । କୌଣସି କାମ କରି ପାରୁ ନାହାନ୍ତି । ତଥାପି ବହୁ ଲୋକ ଘର ନିକଟରେ ନିଜର ପୁରୁଣା ରେଜେଇ ତକିଆ ଧରି ପହଞ୍ଚୁଛନ୍ତି । ନନିଗୋପାଲ ମଧ୍ୟ ଏଗୁଡ଼ିକୁ ମରାମତି କରୁଛନ୍ତି । କିନ୍ତୁ ବ୍ଲକ ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ ମଧ୍ୟରେ ସମନ୍ୱୟର ଅଭାବ ପାଇଁ ନନିଗୋପାଲଙ୍କୁ ମିଳି ପାରୁନି କୋଭିଡ ସହାୟତା ରାଶୀ । ନନିଗୋପାଲ ଶଯ୍ୟାଶାୟୀ ଥିବାରୁ ତାଙ୍କ ପତ୍ନୀ ବାରମ୍ବାର ଶ୍ରମ କାର୍ଯ୍ୟାଳୟ ଓ ବ୍ଲକକୁ ଦøଡ଼ି ଦୌଡ଼ ନୟାନ୍ତ ହେଲେଣି । ତଥାପି ମିଳିପାରୁନି ଏହି ସହାୟତା ରାଶୀ । ସୂଚନାଯୋଗ୍ୟ କୋଭିଡ ମହାମାରୀ ସମୟରେ ସରକାର କୋଭିଡ ପ୍ରଥମ ଲହର ସମୟରେ ପ୍ରତ୍ୟେକ ନିର୍ମାଣ ଶ୍ରମିକଙ୍କୁ ଦେଢ଼ ହଜାର ଟଙ୍କାର ସହାୟତା ରାଶୀ ଘୋଷଣା କରିଥିଲେ । ଚଳିତ ବର୍ଷ ମଧ୍ୟ ଅନୁରୂପ ପରିମାଣର ସହାୟତା ରାଶୀ ଘୋଷଣା କରିଛନ୍ତି । ଗତ ବର୍ଷ କୋଭିଡ ସହାୟତା ରାଶୀକୁ ବ୍ଲକ ପ୍ରଶାସନ ଜରିଆରେ ନଗଦ ଆକାରରେ ପ୍ରଦାନ କରାଯିବାକୁ ନିତୀଗତ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଚଳିତ ବର୍ଷ ଅର୍ଥାତ୍ ଦ୍ୱିତୀୟ ଲହର ସମୟରେ କେତେକ ବୈଷୟିକ କାରଣ ପାଇଁ ଏହାକୁ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଏକାଉଣ୍ଟକୁ ସହାୟତା ରାଶୀ ପଠାଇ ଦିଆଯାଇଛି । ସୂଚନାନୁଯାୟୀ ଗତବର୍ଷ ଭଦ୍ରକ ଜିଲ୍ଲାର ପ୍ରାୟ ୬ହଜାର ହିତାଧିକାରୀଙ୍କୁ ଠାବ କରିପାରିନି ଶ୍ରମ ବିଭାଗ । ତେଣୁ ବିଭିନ୍ନ ବ୍ଲକ ପ୍ରଶାସନ ଗ୍ରହଣ କରିଥିବା ଏହି ଅନାବଣ୍ଟିତ ଅର୍ଥରାଶୀ କୁ ଶ୍ରମ ବିଭାଗକୁ ଫେରାଇ ଦେଇଛନ୍ତି । କିନ୍ତୁ ଚଳିତ ବର୍ଷ ୯୦ ପ୍ରତିଶତ ହିତାଧିକାରୀଙ୍କ ବ୍ୟାଙ୍କ ଏକାଉଣ୍ଟକୁ ସହାୟତା ରାଶୀ ପଠାଇ ଦିଆଯାଇଛି ।

ତେବେ ପ୍ରଥମ କିମ୍ବା ଦ୍ୱିତୀୟ ଦଫାର ସହାୟତା ରାଶୀ ଏପର୍ଯ୍ୟନ୍ତ ମିଳି ନାହିଁ ନନିଗୋପାଲଙ୍କୁ । ଜିଲ୍ଲା ଶ୍ରମାଧିକାରୀଙ୍କ କହିବାନୁଯାୟୀ ପ୍ରଥମ ଦଫାରେ ବଣ୍ଟନ ହୋଇନଥିବା ସହାୟତା ରାଶୀ ଫେରି ଆସିଛି । କିନ୍ତୁ ବ୍ଲକ ପ୍ରଶାସନ ଆମକୁ ସହାୟତା ପାଇନଥିବା ହିତାଧିକାରୀଙ୍କ ତାଲିକା ଦେଇ ନାହିଁ । ତେଣୁ ତାଙ୍କୁ ମିଳି ପାରୁ ନାହିଁ । ଅପରପକ୍ଷେ ଭଦ୍ରକ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ମନୋଜ ବେହେରା କହିଛନ୍ତିଯେ ତତ୍କାଳୀନ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ନିର୍ଦ୍ଦେଶର ଆମେ ସହାୟତା ରାଶୀ ପାଇଥିବା ହିତାଧିକାରୀଙ୍କ ତାଲିକା ଶ୍ରମ ବିଭାଗକୁ ବହୁ ଆଗରୁ ଦେଇ ସାରିଛୁ । ତେଣୁ କିଏ ଏଥିରୁ ବଞ୍ଚିତ ହେଲା, ତାହା ଖୋଜିବା ଦାୟିତ୍ୱ ଶ୍ରମ ବିଭାଗର । ଏହି ପରିସ୍ଥିତିରେ ଭିନ୍ନକ୍ଷମ ନନିଗୋପାଲଙ୍କୁ ସହାୟତା ରାଶୀ ମିଳିବ କି ନାହିଁ ସେଥି ନେଇ ଅନିଶ୍ଚିତତା ଲାଗି ରହିଛି । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.