Home ଓଡ଼ିଶା କୋଭିଡ ପାଇଁ ଜିଲ୍ଲାକୁ ଆସିଥିବା ଦେଢକୋଟି ଟଙ୍କାରୁ ଖାଇବା ଖର୍ଚ୍ଚ ୯୮ଲକ୍ଷ !

କୋଭିଡ ପାଇଁ ଜିଲ୍ଲାକୁ ଆସିଥିବା ଦେଢକୋଟି ଟଙ୍କାରୁ ଖାଇବା ଖର୍ଚ୍ଚ ୯୮ଲକ୍ଷ !

89

କେନ୍ଦ୍ରାପଡା, ୧୫/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଜିଲ୍ଲାକୁ କୋଭିଡ ହସପିଟାଲ ଓ ଆଇସୋଲେସନ ସେଂଟର ପରିଚାଳନା ପାଇଁ ଆସିଥିବା ୧କୋଟି ୫୦ଲକ୍ଷ ୬୪ହଜାର ୧୧୧ଟଙ୍କା ମଧ୍ୟରୁ ଦାୟୀତ୍ୱରେ ଥିବା ଡାକ୍ତର, ହସପିଟାଲ କର୍ମଚାରୀ ଓ ଅନ୍ୟାନ୍ୟ ଷ୍ଟାଫମାନଙ୍କ ଖାଇବା ଖର୍ଚ୍ଚ ବାବଦକୁ ୯୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଅଧିକାର ଆଇନରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟରୁ ଜଣାପଡିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାକୁ ମୋଟ ୧କୋଟି ୫୦ଲକ୍ଷ ୬୪ହଜାର ୧୧୧ଟଙ୍କା ମିଳିଥିବା ବେଳେ ସେଥି ମଧ୍ୟରୁ ଡାକ୍ତର, ପାରାମେଡିକାଲ ଷ୍ଟାଫ ଏବଂ କୋଭିଡ ହସପିଟାଲ ଏବଂ ଆଇସୋଲେସନ ସେଂଟରରେ ନିଯୁକ୍ତ କର୍ମଚାରୀମାନଙ୍କ ଖାଇବା ଖର୍ଚ୍ଚ ବାବଦକୁ ୭୭ଲକ୍ଷ, ୫୧ହଜାର ୩୮୦ଟଙ୍କା ଖର୍ଚ୍ଚ କରାଯାଇଛି। ଭୁବନେଶ୍ୱରର ସମ ହସପିଟାଲ ପକ୍ଷରୁ କେନ୍ଦ୍ରାପଡାର ଛତା ଠାରେ କରାଯାଇଥିବା କୋଭିଡ ହସପିଟାଲର ଆକମୋଡେସନ ଓ ଡାକ୍ତରଙ୍କ ଖାଇବା ଖର୍ଚ୍ଚ ବାବଦକୁ ୧୫ଲକ୍ଷ ୨୧ହଜାର ୧୪୦ଟଙ୍କା ଖର୍ଚ୍ଚ ହୋଇଥିବା ତଥ୍ୟ ପ୍ରଦାନ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖୋଲାଯାଇଥିବା କଲ ସେଂଟର ଷ୍ଟାଫଙ୍କ ଖାଇବା ବାବଦକୁ ୫ଲକ୍ଷ ୮୦ହଜାର ୧୦ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଦିଆଯାଇଛି। ଏହିଭଳି ଭାବରେ ମୋଟ ଖାଇବା ଖର୍ଚ୍ଚ ବାବଦକୁ ୯୮ଲକ୍ଷ ୫୨ହଜାର ୫୩୦ଟଙ୍କା ଖର୍ଚ୍ଚ କରାଯାଇଥିବା ସୂଚନା ପ୍ରଦାନ କରାଯାଇଛି। ସେହିଭଳି ମାସ୍କ, ସାନିଟାଇଜର, ପିପିଇ ଓ ବେଡସିଟ କିଣା ବାବଦକୁ ୧୧ଲକ୍ଷ ୧୯ହଜାର ୩୪୩ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ସିକ୍ୟୁରିଟି, କ୍ଲିନିକ ଓ ହେଲପଡେସ୍କ ଷ୍ଟାଫଙ୍କ ଦରମା ବାବଦକୁ ୧୭ଲକ୍ଷ ୧୧ହଜାର ୩୨୦ଟଙ୍କା କଲ ସେଂଟର ଷ୍ଟାଫଙ୍କୁ ଡିଏ ଦେବା ବାବଦକୁ ୪ଲକ୍ଷ ୨୬ହଜାର ୨୦୦ଟଙ୍କା, ହେଲଥ ପରସୋନେଲଙ୍କୁ ଇନିସିଏଟିଭ ବାବଦକୁ ୩ଲକ୍ଷ ୨୦ହଜାର ୮୦୦ଟଙ୍କା ଓ ଫୁଏଲ ବାବଦକୁ ୧୬ଲକ୍ଷ ୩୩ହଜାର ୯୧୮ଟଙ୍କା ଖର୍ଚ୍ଚ କରାଯାଇଥିବା ସୂଚନାରେ ଦର୍ଶାଯାଇଛି। ଏହିଭଳି ମୋଟ ୧ଲକ୍ଷ ୫୦ଲକ୍ଷ ୬୪ ହଜାର ୧୧୧ଟଙ୍କା ଖର୍ଚ୍ଚ କରାଯାଇଥିବା ସୂଚନାରେ ଦର୍ଶାଯାଇଛି। ପ୍ରକାଶ ଚନ୍ଦ୍ର ଦାସ ନାମକ ଜଣେ ସୂଚନା ଅଧିକାରକର୍ମୀ ଗତ ୭-୦୮-୨୦୨୦ରିଖରେ ସୂଚନା ଅଧିକାର ଆଇନ ବଳରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀଙ୍କୁ ଜିଲ୍ଲାରେ କୋଭିଡ ହସପିଟାଲ, ଆଇସୋଲେସନ ସେଂଟର ଓ କ୍ୱାରେଂଟାଇନ ସେଂଟର ସମ୍ପର୍କରେ ସବିଶେଷ ତଥ୍ୟ ମାଗିଥିଲେ। ତିନିମାସ ପରେ ତାଙ୍କୁ ଗତ ୫-୧୧-୨୦୨୦ରିଖରେ ଏହି ତଥ୍ୟ ପ୍ରଦାନ କରାଯାଇଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.