Home ଓଡ଼ିଶା କୋଭିଡ ଟୀକା ଖୋଲା ବକାରରେ ବିକ୍ରି ନିଷ୍ପତ୍ତି ସମ୍ପୂର୍ଣ୍ଣ ଜନ ବିରୋଧୀ। ତୁରନ୍ତ ଏଭଳି ନିଷ୍ପତ୍ତିର...

କୋଭିଡ ଟୀକା ଖୋଲା ବକାରରେ ବିକ୍ରି ନିଷ୍ପତ୍ତି ସମ୍ପୂର୍ଣ୍ଣ ଜନ ବିରୋଧୀ। ତୁରନ୍ତ ଏଭଳି ନିଷ୍ପତ୍ତିର ପ୍ରତ୍ୟାହାର ସହିତ ସମସ୍ତଙ୍କ ପାଇଁ ବିନା ମୂଲ୍ୟରେ ସରକାର ଯୋଗାଇ ଦେବାକୁ ସିପିଆଇ (ଏମ୍-ଏଲ) ରେଡ଼ ଷ୍ଟାରର ଦୃଢ଼ ଦାବି

117

ଭୁବନେଶ୍ୱର, ୨୨/୦୪ (ଓଡ଼ିଆ ପୁଅ)- ଫାର୍ମା କମ୍ପାନୀ ପକ୍ଷରୁ କୋଭିଡ଼ ଟୀକାକୁ ୪୦୦ ଟଙ୍କା ଓ ୬୦୦ ଟଙ୍କାରେ ବିକ୍ରି କରିବାକୁ ସରକାରୀ ସ୍ଥରରେ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଜନ ବିରୋଧୀ। ଏହି ନିଷ୍ପତ୍ତି ଫଳରେ ବ୍ୟାପକ ସାଧାରଣ ଲୋକେ ଟୀକାକରଣରୁ ବଞ୍ଚିତ ହେବେ। ଯେଉଁମାନେ ଅର୍ଥ ଖର୍ଚ୍ଚ କରି ପାରିବେ ସେମାନେ ଟୀକା ଦେଇ ପାରିବେ। ବ୍ୟାପକ ଲୋକ ବିନା ମୂଲ୍ୟରେ ନ ପାଇଲେ ଟୀକା ଦେବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ। ଦେଶର ଅଧିକାଂଶ ଲୋକଙ୍କର ରୋଜଗାର ସ୍ଥର ଅତି ନିମ୍ନ ମାନର। ନିଜର ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବାକୁ ସେମାନେ ଅର୍ଥ ଯୋଗାଡ଼ କରି ପାରନ୍ତିନି। ସାମାନ୍ୟ ଜ୍ୱର ରୋଗ ହେଲେ ଔଷଧ କ୍ରୟ କରି ଖାଇବାକୁ ପଇସା ଯୋଗାଡ଼ କରିନପାରି ବହୁ କଷ୍ଟ ଭୋଗନ୍ତି। ନିଜ ପିଲାଙ୍କୁ ପେଟପୁରା ଖାଇବାକୁ ଦେଇ ପାରନ୍ତିନି। ଦେଶର ଏହିଭଳି ଦାରିଦ୍ର୍ୟ ଅବସ୍ଥା ମଧ୍ୟରେ ମହାମାରୀରୁ ବଞ୍ଚିବାକୁ ଟୀକା କ୍ରୟ କରି ନେବାକୁ ହେଲେ ବ୍ୟାପକ ଲୋକ ଏହାକୁ ସବୁଠାରୁ ଶେଷ ଆବଶ୍ୟକତା ଭିତରେ ରଖିବାକୁ ବାଧ୍ୟ ହେବେ। ଏହାପୁଣି ବାରମ୍ବାର ନେବାକୁ ହେବ। ଯାହା ସେମାନଙ୍କ ପକ୍ଷେ ଅସମ୍ଭବ।

ଅନ୍ୟପକ୍ଷରେ, ଖୋଲା ବଜାରରେ ଟୀକା ବିକ୍ରି ହେଲେ ସରକାରୀ ଡାକ୍ତରଖାନାରେ ବିନା ମୂଲ୍ୟରେ ମିଳୁଥିବା ଟୀକାରେ ବ୍ୟାପକ କଳାବଜାର ହେବ। ଫାର୍ମା କମ୍ପାନୀ ଓ ବେପାରୀ ମାନେ ସରକାରୀ ଅଧିକାରୀ କର୍ମଚାରୀଙ୍କୁ ହାତ କରି ମାଗଣା ଟୀକା ନମିଳିବା ଅବସ୍ଥାକୁ ସୁନିଶ୍ଚିତ କରିବେ। ସରକାରୀ ଟୀକା ବାହାରେ କେତେଦୂର ବିକ୍ରି ହେବ ଯେତିକି ବଡ଼ କଥା ନୁହେଁ, ସେଗୁଡିକୁ ଲୋକଙ୍କୁ ନଦେଇ ନଷ୍ଟ କରିଦେବା, ଲୁଚେଇ ପୋତିଦେବା ପାଇଁ ମଧ୍ୟ ପ୍ରଚୁର ଅର୍ଥ ଖର୍ଚ୍ଚ କରିବେ। ପୂର୍ବରୁ ସରକାରୀ ଡାକ୍ତରଖାନାରେ ମାଗଣାରେ ମିଳୁଥିବା ଔଷଧ ଗୁଡିକୁ ଲୋକଙ୍କୁ ନଦେଇ ଲୋକଙ୍କଠୁ ଦୁରେଇ ନଷ୍ଟ କରି ଦେବାକୁ, ଜଳପ୍ରପାତରେ, ନଦୀରେ ଫୋପାଡ଼ି ଦେବାକୁ, ମାଟିରେ ପୋତି ଦେବାକୁ ଅଧିକାରୀ କର୍ମଚାରୀ ବ୍ୟାପକ ଅର୍ଥ ନେଇ ଏକଥା କରିଥିବାର ଅନେକ ଥର ଗଣ ମାଧ୍ୟମରେ ପ୍ରକାଶ ପାଇଛି। ବଜାରରେ ବ୍ୟାପକ ଡୁପ୍ଲିକେଟ ଟୀକା ମିଳିବ। ବିଭିନ୍ନ ନାମ ଦେଇ ବହୁ ଅଧିକ ଦାମରେ ମଧ୍ୟ ଟୀକା ବିକ୍ରି ହେବ। ବଜାରରେ ଟୀକା ବିକ୍ରି ପରେ ଯେତେ ଆର୍ଥିକ ସମ୍ବଳ ବର୍ଗ ଟୀକା କ୍ରୟ କରିବେ। ସାଧାରଣ ଲୋକ ଟୀକା ନପାଇଲେ ମଧ୍ୟ କେହି ସ୍ୱର ଉତ୍ତୋଳନ କରିବାକୁ ନଥିବେ। କମ୍ପାନୀ ସ୍ୱାର୍ଥରେ ନିଜେ ଟୀକା ପାଇ ସାରିଥିବା ଗଣମାଧ୍ୟମ ଚୁପ ରହିବ।

ଜୀବନ ରକ୍ଷାକାରୀ ମହାମାରୀ ଟୀକାର ଏଭଳି ବଜାରୀକରଣ ତୁରନ୍ତ ବନ୍ଦ କରାଯାଉ। ଦେଶବାସୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା ସରକାରଙ୍କର କାର୍ଯ୍ୟ। ଆମ ସରକାର ମାନେ ନିଜ ଦାୟିତ୍ବରୁ ହଟି ସ୍ୱାସ୍ଥ୍ୟସେବାକୁ ମଧ୍ୟ ସମ୍ପୂର୍ଣ୍ଣ ଖୋଲା ବଜାର ଉପରେ ଛାଡି ଦେଇ ଦେଶବାସୀଙ୍କୁ ଲୁଟିବାକୁ ସୁଯୋଗ ଦେଇ ଲୁଟେରା କମ୍ପାନୀଙ୍କ ଠାରୁ କମିଶନ ନେଇ ନିଜ ସମ୍ପତ୍ତି ସୁଖ ସ୍ଵାଛଂଦ୍ୟ ବଢାଇବାରେ ଲାଗିଛନ୍ତି। ଟୀକା ଓ ସ୍ୱାସ୍ଥ୍ୟସେବାର ବଜାରୀକରଣ ବିରୁଦ୍ଧରେ ଦେଶର ସମସ୍ତ ପ୍ରଗତିଶୀଳ ଜନବାଦୀ ଶକ୍ତିମାନେ ପ୍ରତିବାଦ କରିବାକୁ ନିବେଦନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.