Home ଜିଲ୍ଲା ପରିକ୍ରମା କୋଭିଡ୍ ସହାୟତା ଅପେକ୍ଷାରେ ୪୧ ହଜାର ନିର୍ମାଣ ଶ୍ରମିକ, ବର୍ଷକରେ ୪୦ ହଜାର ନୂଆ ପଂଜିକୃତ

କୋଭିଡ୍ ସହାୟତା ଅପେକ୍ଷାରେ ୪୧ ହଜାର ନିର୍ମାଣ ଶ୍ରମିକ, ବର୍ଷକରେ ୪୦ ହଜାର ନୂଆ ପଂଜିକୃତ

86

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ନିର୍ମାଣ ଶ୍ରମିକ କାର୍ଡ ପାଇଁ ଚାଲିଛି କସରତ । ଏହି କାର୍ଡ ହାତେଇବାକୁ ଏକ ପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ । ଯିଏ ଅଧିକ ଖର୍ଚ୍ଚ କରିପାରିଲା ଓ ଦଲାଲଙ୍କୁ ସନ୍ତୁଷ୍ଟ କରିପାରିଲା, ସେ ପାଇଲା ଏହି କାର୍ଡ । ନିର୍ମାଣ ଶ୍ରମିକଙ୍କ ପାଇଁ ସରକାରଙ୍କ ବହୁ ଆକର୍ଷଣୀୟ ଯୋଜନା ରହିଛି । ଗତବର୍ଷ ସେପ୍ଟେମ୍ବର ମାସ ପରଠାରୁ ଜିଲା ଶ୍ରମ କାର୍ଯ୍ୟାଳୟରେ ଅସମ୍ଭବ ଭିଡ ଲାଗି ରହୁଛି । ଶହ ଶହ ଆଶାୟୀ ଏହି କାର୍ଯ୍ୟାଳୟରେ ଲମ୍ବା ଲାଇନ୍ ଲଗାଉଛନ୍ତି । ଗତ ସେପ୍ଟେମ୍ବର ମାସରୁ ଗତ ଜୁନ୍ ମାସ ୧୭ ତାରିଖ ସୁଦ୍ଧା ଜିଲାରେ ୧୦ ମାସରେ ୪୦ ହଜାରରୁ ଅଧିକ ନିର୍ମାଣ ଶ୍ରମିକ ନିଜର ନାମ ପଂଜିକରଣ କରିଥିବା ଜଣାପଡିଛି । ବିଭାଗୀୟ ସୂଚନା ଅନୁଯାୟୀ କରୋନାର ପ୍ରଥମ ଲହର ସମୟରେ ରାଜ୍ୟ ସରକାର ପଂଜିକୃତ ନିର୍ମାଣ ଶ୍ରମିକଙ୍କ ପାଇଁ ମୁଣ୍ଡପିଛା ଦେଢହଜାର ଟଙ୍କା ଲେଖାଏଁ କୋଭିଡ୍ ସହାୟତା ରାଶି ଘୋଷଣା କରିଥିଲେ । ତଥ୍ୟ ଅନୁଯାୟୀ, ଜିଲାର ୬୮ ହଜାରରୁ ନିର୍ମାଣ ଶ୍ରମିକଙ୍କ ପାଇଁ ୧୦ କୋଟି ୩୪ ଲକ୍ଷ ୭୦ ହଜାର ଟଙ୍କାର ସହାୟତା ରାଶି ଆସିଥିଲା । ହିତାଧିକାରୀଙ୍କୁ ସିଧାସଳଖ ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଥିଲା । ଏହି କ୍ରମରେ ପ୍ରାୟ ୬୨ ହଜାର ନିର୍ମାଣ ଶ୍ରମିକଙ୍କୁ ୯.୩୦ କୋଟି ଟଙ୍କାର ସହାୟତା ବଣ୍ଟନ କରାଯାଇଥିବାବେଳେ ୬ ହଜାର ପଂଜିକୃତ ନିର୍ମାଣ ଶ୍ରମିକ କୌଣସି କାରଣରୁ ନିଖୋଜ ହୋଇଯାଇଥିଲେ । ୧ କୋଟିରୁ ଅଧିକ ଟଙ୍କା ଆବଣ୍ଟିତ ହୋଇନଥିବା ଜଣାପଡିଛି ।

ଚଳିତବର୍ଷ କରୋନାର ଦ୍ୱିତୀୟ ଲହର ସମୟରେ ମଧ୍ୟ ରାଜ୍ୟ ସରକାର ରାଜ୍ୟର ୨୬ ଲକ୍ଷ ନିର୍ମାଣ ଶ୍ରମିକଙ୍କ ପାଇଁ ୩୮୫ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଗତବର୍ଷ ଜିଲାରେ ମୋଟ ପଂଜିକୃତ ନିର୍ମାଣ ଶ୍ରମିକଙ୍କ ସଂଖ୍ୟା ୯୫ ହଜାର ଥିବାବେଳେ ଏବେ ଏହା ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇ ୧ ଲକ୍ଷ ୩୬ ହଜାରରେ ପହଞ୍ôଚଛି । କରୋନା ଲକଡାଉନ୍ ଓ ସଟଡାଉନ୍ ପାଇଁ ପଂଜିକରଣ କାର୍ଯ୍ୟକୁ ଦୀର୍ଘ ମାସ ଧରି ବନ୍ଦ ରଖାଯାଇଥିଲା । ଏହାସତ୍ୱେ ମାତ୍ର ଅଳ୍ପ କେଇମାସ ମଧ୍ୟରେ ୪୧ ହଜାର ବ୍ୟକ୍ତି କିପରି ନିର୍ମାଣ ଶ୍ରମିକ କାର୍ଡ ପାଇପାରିଲେ, ତାହା ସମସ୍ତଙ୍କୁ ଚକିତ କରିଛି । ଜିଲା ଶ୍ରମ ବିଭାଗର ମଣ୍ଡଳ ଶ୍ରମାୟୁକ୍ତ କୁବେର ବେହେରାଙ୍କ ସୂଚନା ଅନୁଯାୟୀ ଚଳିତବର୍ଷ ଦ୍ୱିତୀୟ ଲହର ସମୟରେ ଜିଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ୧ ଲକ୍ଷ ୨୦ ହଜାର ୭୦୭ ଜଣ ପଂଜିକୃତ ନିର୍ମାଣ ଶ୍ରମିକଙ୍କ ନାମ ଦ୍ୱିତୀୟ ଦଫାର କୋଭିଡ୍ ସହାୟତା ପାଇଁ ପଠାଯାଇଥିଲା । ଇତିମଧ୍ୟରେ ଚଳିତବର୍ଷ ୨ଟି ପର୍ଯ୍ୟାୟରେ ଜିଲାର ୭୯ ହଜାର ୩୩୨ ଜଣ ହିତାଧିକାରୀଙ୍କୁ ଏହି ସହାୟତା ରାଶି ମିଳିସାରିଛି । ଅର୍ଥାତ୍ ଗତବର୍ଷ ଅପେକ୍ଷା ଅଧିକ ୧୭ ହଜାର ହିତାଧିକାରୀ ଚଳିତବର୍ଷ ଏପର୍ଯ୍ୟନ୍ତ ଉପକୃତ ହୋଇସାରିଛନ୍ତି ।

ଗତବର୍ଷ ହିତାଧିକାରୀଙ୍କୁ ଖୋଜି ଖୋଜି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଚଳିତବର୍ଷ ନିର୍ମାଣ ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ସହାୟତା ରାଶି ପଠାଯାଇଛି । ଏପରିକି ଗତବର୍ଷ ନିଖୋଜ ଥିବା ବହୁ ନିର୍ମାଣ ଶ୍ରମିକ ପ୍ରଥମ ପର୍ଯ୍ୟାୟ ସହାୟତା ନନେଇ ମଧ୍ୟ ଦ୍ୱିତୀୟ ଥରର ଅତିରିକ୍ତ ସହାୟତା ପାଇବାକୁ ସକ୍ଷମ ହୋଇଛନ୍ତି । ତଥାପି ଆମେ ପଠାଇଥିବା ତାଲିକା ଅନୁଯାୟୀ ପଂଜିକୃତ ନିର୍ମାଣ ଶ୍ରମିକ ପରବର୍ତ୍ତୀ ପର୍ଯ୍ୟାୟରେ ଆର୍ଥିକ ସହାୟତା ପାଇବେ ବୋଲି ଶ୍ରୀ ବେହରା କହିଛନ୍ତି । ଜାଲ ପଂଜିକରଣ ଦଲାଲ ଓ କେତେକ ଦୁର୍ନୀତିଗ୍ରସ୍ତ ବିଭାଗୀୟ କର୍ମଚାରୀଙ୍କ ସହଯୋଗରେ ବହୁ ଅଯୋଗ୍ୟଙ୍କୁ ନିର୍ମାଣ ଶ୍ରମିକ ତାଲିକାରେ ସାମିଲ କରାଯିବା ଯୋଗୁଁ ଏହି ସଂଖ୍ୟା ବଢିଛି ବୋଲି କୁହାଯାଉଛି । ତେଣୁ ସହାୟତା ରାଶି ଦେବା ପୂର୍ବରୁ ପଂଜିକୃତ ନିର୍ମାଣ ଶ୍ରମିକଙ୍କ ଯୋଗ୍ୟତା ସଂପର୍କରେ ଯାଞ୍ଚ ହେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.