Home ଜିଲ୍ଲା ପରିକ୍ରମା କାଟିନେଲେ ଲକ୍ଷାଧିକ ଟଙ୍କାର ଶାଗୁଆନ ଗଛ, ଅଭିଯୋଗ ପରେ ବି ଚୁପ୍ ବସିଛି ବନ ବିଭାଗ

କାଟିନେଲେ ଲକ୍ଷାଧିକ ଟଙ୍କାର ଶାଗୁଆନ ଗଛ, ଅଭିଯୋଗ ପରେ ବି ଚୁପ୍ ବସିଛି ବନ ବିଭାଗ

43

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱ ତାପାୟନ ବୃଦ୍ଧି ପାଉଥିବା ବେଳେ ବୃକ୍ଷରୋପଣ ଉପରେ ଏବେ ସବୁଠି ଗୁରୁତ୍ୱ ଦିଆଯାଉଛି । ସାମାଜିକ ବନୀକରଣ ଠାରୁ ଆରମ୍ଭ କରି ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଜରିଆରେ କୋଟି କୋଟି ଟଙ୍କା ବୃକ୍ଷରୋପଣ କରାଯାଉଛି । ବିଶ୍ୱ ପରିବେଶ ଦିବସ ମଧ୍ୟ ସ୍ୱତନ୍ତ୍ର ଭାବେ ପାଳିତ ହୋଇ ବ୍ୟାପକ ବୃକ୍ଷ ରୋପଣ କରାଯାଉଛି । ଏହାବ୍ୟତୀତ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ବୃକ୍ଷରୋପଣ କରିବାକୁ ଆଗ୍ରହ ପ୍ରକାଶଡ କଲେ । ବନ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି । କିନ୍ତୁ ଏ ସମସ୍ତ ବ୍ୟବସ୍ଥା ମଧ୍ୟରେ ସଂରକ୍ଷିତ ବର୍ଗର ଗଛ କାଟିନେଲେ ଯେଉଁ ପ୍ରକାର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରାବଧାନ ରହିଛି, ସେଥିପ୍ରତି ବେଳେବେଳେ ବିଭାଗୀୟ ଅଧିକାରୀ ଆଖି ବୁଜିଦେବା ସହ ନିରବତା ଅବଲମ୍ବନ କରୁଛନ୍ତି । ଯାହାକି ପରୋକ୍ଷରେ ବିଭାଗୀୟ ଉଦାସୀନତା କିମ୍ବା ଅଭିଯୁକ୍ତଙ୍କ ପ୍ରତି ପ୍ରକାଶ ପାଉଥିବା ଅନୁକମ୍ପା ସଂପର୍କରେ ସ୍ପଷ୍ଟ ସୂଚନା ଦେଉଛି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଏହି ଜିଲା ବାସୁଦେବପୁର ବ୍ଲକ୍ ସୁଦର୍ଶନପୁର ପଂଚାୟତ ସୁଆଁ ଗ୍ରାମରେ । ପ୍ରାପ୍ତ ଅଭିଯୋଗ ଅନୁଯାୟୀ ଉକ୍ତ ସୁଆଁ ଗ୍ରାମର ବିଭୂତିଭୂଷଣ ପଣ୍ଡାଙ୍କ ପରିବାର ଉକ୍ତ ଗ୍ରାମପଞ୍ଚାୟତରେ ଥିବା ନିଜ ଇଜ୍‌ମାଇଲ୍ ଜମି ଉପରେ ପ୍ରାୟ ୩୦ ବର୍ଷ ପୂର୍ବେ କିଛି ଶାଗୁଆନ ଗଛ ଲଗାଇଥିଲେ । ଗତ ଜୁଲାଇ ମାସ ୨୦ ତାରିଖ କେତେକ ଆସାମାଜିକ ବ୍ୟକ୍ତ ୮ଟି ଶାଗୁଆନ ଗଛକୁ କାଟି ନେଇଥିଲେ ।

ଏ ସଂପର୍କରେ ଶ୍ରୀ ପଣ୍ଡା ସ୍ଥାନୀୟ ଅଂଚଳର ଜଣେ ବୃକ୍ଷପ୍ରେମୀ ତଥା ବରିଷ୍ଠ ନାଗରିକ ଯୁଧିଷ୍ଠିର ମଳିକଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ôଚ ସତ୍ୟତା ନିଜ ଆଖିରେ ଦେଖିଥିଲେ । ପରେ ଶ୍ରୀ ପଣ୍ଡା ବାସୁଦେବପୁର ବନ୍ୟପ୍ରାଣୀ ବିଭାଗର ରେଞ୍ଜ ଅଫିସରଙ୍କୁ ଲିଖିତ ଭାବେ ସେହିଦିନ ଏକ ଅଭିଯୋଗପତ୍ର ଦାଖଲ କରିଥିଲେ । ଏଥିସହିତ ଶ୍ରୀ ପଣ୍ଡା, ବାସୁଦେବପୁର ଥାନାଧିକାରୀ, ଏସ୍‌ଡିପିଓଙ୍କ ସମେତ ଜିଲାପାଳ, ଏସ୍‌ପି, ଜିଲା ବନ୍ୟପ୍ରାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବହୁ ଅଧିକାରୀଙ୍କୁ ଯୋଗାଯୋଗ କରି ଜଣାଇଥିଲେ । ଏହାପରେ ବାସୁଦେବପୁର ଫରେଷ୍ଟର ଓ ରେଞ୍ଜ ଅଫିସର ସୁଶାନ୍ତ ମହାନ୍ତି ଘଟଣାସ୍ଥଳରେ ପହଞ୍ôଚ ସଂପୃକ୍ତ ବେଆଇନ୍ କାର୍ଯ୍ୟ ସଂପର୍କିତ ପ୍ରମାଣର ଫଟୋ ଉଭୟ ସ୍ଥାନରୁ ନେଇଥିଲେ । କଟାଯାଇଥିବା ଶାଗୁଆନ ଗଛକୁ କଚେରୀ ଛକ ନିକଟରେ ଥିବା ମୁଖ୍ୟ ରାସ୍ତାକଡରୁ ଚାଲାର ହେବା ବେଳେ ଜବତ କରି ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ଜିମା ଦେଇଥିଲେ । ତେବେ ଇତିମଧ୍ୟରେ ୨୦ ଦିନ ବିତିବାକୁ ବସିଛି । କିନ୍ତୁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏଯାବତ୍ ମାମଲା ରୁଜୁ ହୋଇନାହିଁ କିମ୍ବା ଜବତ ଗଛର ଗଣ୍ଡିକୁ ବିଭାଗୀୟ କାର୍ଯ୍ୟାଳୟକୁ ନିଆଯାଇନାହିଁ । ଅପରପକ୍ଷେ ଗଛ କାଟିବାର ମୁଖ୍ୟ ଅଭିଯୁକ୍ତ ପ୍ରାକ୍ତନ ସରପଞ୍ଚ ଗଂଗାଧର ପଣ୍ଡା, ଅବନୀ ପଣ୍ଡା, ଅନିଲ ପଣ୍ଡା ଓ ନରେନ୍ଦ୍ର ନାୟକ ଓ ଏଥିରେ ସହଯୋଗ କରୁଥିବା ଶ୍ରୀ ନାୟକଙ୍କ ଭାଇ ଅଖୁଜି ଓ ତାଙ୍କ ଦୁଇପୁତ୍ରଙ୍କୁ ବନ୍ୟପ୍ରାଣୀ ବିଭାଗ ଘଣ୍ଟ ଘୋଡାଇ ଚାଲିଛି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି ।

ବିଶେଷକରି ପ୍ରାକ୍ତନ ସରପଞ୍ଚ ଓ ଶ୍ରୀ ନାୟକ ପୂର୍ବରୁ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବାର ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି । ନିଜ ରାଜନୈତିକ ପ୍ରଭାବ ବଳରେ ସେ ମାମଲାକୁ ଦୁର୍ବଳ କରିବାକୁ ବିଭାଗୀୟ ଅଧିକାରୀଙ୍କ ଉପରେ ଚାପ ପକାଉଛନ୍ତି । ଏହାବ୍ୟତୀତ ଅଭିଯୁକ୍ତମାନେ ଅଭିଯୋଗକାରୀ ଶ୍ରୀ ପଣ୍ଡା ଓ ସାକ୍ଷୀମାନଙ୍କୁ ନିୟମିତ ଭାବେ ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ବିଭାଗୀୟ ରେଞ୍ଜ ଅଫିସର ସୁଶାନ୍ତ ମହାନ୍ତିଙ୍କ ସହ ଯୋଗାଯୋଗ କରାଯାଇଥିବାବେଳେ ଏ ସଂପର୍କରେ ସେ ଅବଗତ ଥିବା କହିଛନ୍ତି । କିନ୍ତୁ ୟାସ୍ ବାତ୍ୟା ବେଳେ ଏ ସମସ୍ତ ଗଛ ଉପୁଡି ପଡିଥିଲା । ତଥାପି ଏହାକୁ କାଟିବା ଓ ଚାଲାଣ ପୂର୍ବରୁ ବିଭାଗୀୟ ଅନୁମତି ଆବଶ୍ୟକତା ରହିଛି । ଯାହାକି ଅଭିଯୁକ୍ତମାନଙ୍କ ପକ୍ଷରୁ ନିଆଯାଇନାହିଁ ଓ ଏହି କାରଣରୁ ଆମେ କଟାଯାଇଥିବା ଗଛକୁ ସିଜ୍ କରି ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ଜିମାରେ ରଖିଛୁ । ସଂପୃକ୍ତ ଜମିର ମାଲିକାନା ଅଭିଯୋଗକାରୀଙ୍କ କିମ୍ବା ସରକାରୀ ପ୍ଲଟ୍ ତାହାର ଡିମାରକେଶନ ପାଇଁ ଆମେ ତହସିଲଦାରଙ୍କୁ ୧୦ ଦିନ ପୂର୍ବରୁ ଚିଠି କରିଛୁ । ତାଙ୍କ ରିପୋର୍ଟ ଆସିବା ପରେ ମାମଲା ରୁଜୁ ହେବ ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରେଞ୍ଜ ଅଫିସର ଶ୍ରୀ ମହାନ୍ତି ଆମ ପ୍ରତିନିଧିଙ୍କୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.