Home ଅନୁଗୁଳ କୋଭିଡ୍ ନିୟମର ଖୋଲା ଉଲଂଘନ ନେଇ ଉପଜିଲ୍ଲାପାଳଙ୍କୁ ଅଭିଯୋଗ

କୋଭିଡ୍ ନିୟମର ଖୋଲା ଉଲଂଘନ ନେଇ ଉପଜିଲ୍ଲାପାଳଙ୍କୁ ଅଭିଯୋଗ

82

ତାଳଚେର,୮/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସ୍ଥାନୀୟ କୋଇଲାଖଣି ଅଂଚଳରେ ଥିବା ଗ୍ରାମ ପଂଚାୟତ ମାନଙ୍କରେ କୋଭିଡ୍‌-୧୯ ନିୟମର ଖୋଲା ଉଲଂଘନ ଅଭିଯୋଗ ନେଇ ପ୍ରୋଜେକ୍ଟ ଫର ରୁରାଲ ରିକନ୍‌ଷ୍ଟ୍ରକସନ୍ ଆଂଟି ପଲ୍ୟୁସନ୍ ଗ୍ରିଭାନସେସ୍ ଏଡ୍ ଟ୍ରେଡ୍ ଇମ୍ପ୍ଲିମେଂଟେସନ୍ ଅନୁଷ୍ଠାନ ପକ୍ଷରୁ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଅନୁଷ୍ଠାନ ଅଭିଯୋଗ ଅନୁସାରେ ଅନୁଗୋଳ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତାଳଚେରରେ ଥିବା କୋଇଲା ଖଣି ଅଂଚଳର ମଧ୍ୟସ୍ଥଳରେ ଅବସ୍ଥିତ ଡେରା,ଘଂଟପଡା,ତେଂଟୁଲେଇ,ବଡଯୋରଡା ଆଦି ଗ୍ରାମ ପଂଚାୟତରେ ଏମ୍‌.ସି.ଏଲ୍‌. କଲୋନୀଗୁଡିକ ଅବସ୍ଥିତ ଏବଂ ଶ୍ରମିକ ବସ୍ତି ଗୁଡିକ ଲାଗି ରହିଛି । ଗତ ମାର୍ଚ୍ଚ ୨୪ ତାରିଖ ଲକ୍ ଡାଉନ୍ ଘୋଷଣା ପରଠାରୁ ଏହି ଅଂଚଳ ଗୁଡିକରେ ଯେପରି କୌଣସି ପ୍ରଭାବ ନଥିଲା ପରି ମନେ ହେଉଛି । ଡେରା,ବଲଣ୍ଡା,ଭରତପୁର,ନନ୍ଦିରା ଆଦି ମାର୍କେଟ୍ ଗୁଡିକରେ ମାଛ ମାଂସ,ତେଜରାତି ଦୋକାନ,ହାଟ ଗୁଡିକରେ ରୀତିମତ ଭିଡ ଲାଗି ରହୁଛି । ଜନସାଧାରଣ ସାମାଜିକ ଦୂରତା ରକ୍ଷା କରୁନାହାନ୍ତି । ମାସ୍କ ମଧ୍ୟ ପିନ୍ଧୁ ନାହାନ୍ତି । ଏଠାକୁ ରାଜ୍ୟ ତଥା ବିଭିନ୍ନ ଜିଲ୍ଲାରୁ ଲୋକମାନଙ୍କର ଯାତାୟତ ଲାଗିରହିଛି । କରୋନା ସଂକ୍ରମଣ ଥିବା ଜିଲ୍ଲାରୁ ଲୋକମାନେ ମଧ୍ୟ ଏଠାକୁ ଯାତାୟତ କରୁଛନ୍ତି । ଯଦ୍ୱାରା ଆଗାମୀ ଦିନରେ ଏହି ଅଂଚଳ ଗୁଡିକରେ କରୋନା ମହାମାରୀ କାୟା ବିସ୍ତାର କରିବାର ସମ୍ଭାବନା ରହିଛି । ଏଣୁ ମହାମାରୀ କରୋନାରୁ ବଂଚିବା ପାଇଁ ଡେରା, ଘଂଟପଡା,ତେଂଟୁଲେଇ,ବଡଯୋରଡା ଆଦି ଗ୍ରାମପଂଚାୟତ ଗୁଡିକୁ ବୁଧବାର ଓ ଶୁକ୍ରବାର ସଟ୍ ଡାଉନ୍ ଘୋଷଣା କରିବାର ଆବଶ୍ୟକତା ରହିଥିବାର ଉକ୍ତ ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ଆଜିର ଏହି ଦାବୀ ପତ୍ର ପ୍ରଦାନ ବେଳେ ଅନୁଷ୍ଠାନର ସମ୍ପାଦକ ପ୍ରଭାତ କୁମାର ରଥ, ରାଜକିଶୋର ସାହୁ,ଜିତେନ ସାମଲ,ଦୁର୍ଗାଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.