Home ଜିଲ୍ଲା ପରିକ୍ରମା କୋଭିଡ୍ କଟକଣାରେ ନିରାଡମ୍ବର ଭାବେ ପାଳିତ ହେଲା ଜିଲାସ୍ତରୀୟ ସ୍ୱାଧୀନତା ଦିବସ

କୋଭିଡ୍ କଟକଣାରେ ନିରାଡମ୍ବର ଭାବେ ପାଳିତ ହେଲା ଜିଲାସ୍ତରୀୟ ସ୍ୱାଧୀନତା ଦିବସ

48

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାସ୍ତରୀୟ ସ୍ୱାଧୀନତା ଦିବସ କୋଭିଡ୍ କଟକଣା ନିୟମ ଆଧାରରେ ନିରାଡମ୍ବର ଭାବେ ପାଳିତ ହୋଇଛି । ଏହି ପବିତ୍ର ଦିବସ ଉପଲକ୍ଷେ ପ୍ରତ୍ୟୁଷରୁ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ଡାକବାଜି ଯନ୍ତ୍ର ଯୋଗେ ପୌରପାଳିକା ଅଂଚଳରେ ରାମଧୂନ ଗାନ ପୂର୍ବକ ଗାଡି ପରିକ୍ରମା କରିଥିଲା । ସକାଳ ୭ ଟାରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ତ୍ରିଲୋଚନ ମାଝୀ ଓ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ (ସାଧାରଣ) ମଧୁସୂଦନ ଦାଶ, ଅତିରିକ୍ତ ଜିଲାପାଳ (ରାଜସ୍ୱ) ଅରୁଣ କୁମାର ମହାପାତ୍ର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଉପଜିଲାପାଳ ପୀତାମ୍ବର ସାମଲ ପ୍ରମୁଖଙ୍କ ଦ୍ୱାରା ପୌରାଞ୍ଚଳରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହାପରେ ଭଦ୍ରକ ମହାବିଦ୍ୟାଳୟ ପଡିଆରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲାପାଳ, ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମାନୀ ଓ ଅତିରିକ୍ତ ଜିଲାପାଳ ମଧୁସୂଦନ ଦାଶଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ପୁଲିସ୍ ଭ୍ୟାନ୍ ମାଧ୍ୟମରେ ଜାତୀୟ ସଂଗୀତ ଗାନ କରାଯିବା ସହ ଅଂଶଗ୍ରହଣ କରିଥିବା ୨ଟି ପୁଲିସ୍ କଣ୍ଟିଜେଣ୍ଟଙ୍କ ଠାରୁ ମୁଖ୍ୟ ଅତିଥି ଅଭିବାଦନ ଗ୍ରହଣ କରିଥିଲେ । ଆରଆଇ ପୁଲିସ୍ ମନୋରଂଜନ ତରାଇ ପ୍ୟାରେଡ୍‌କୁ କମାଣ୍ଡର ହିସାବରେ ପରିଚାଳନା କରିଥିଲେ । ପରେ ମୁଖ୍ୟଅତିଥି ଶ୍ରୀ ମାଝୀ ତାଙ୍କ ବକ୍ତବ୍ୟ ପ୍ରସଙ୍ଗରେ ବହୁ କଷ୍ଟଲବ୍ଧ ସ୍ୱାଧୀନତା ପ୍ରାପ୍ତିରେ ଭଦ୍ରକ ସଂଗ୍ରାମୀଙ୍କ ସଂଘର୍ଷମୟ ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନର ସ୍ମୃତିଚାରଣ କରିଥିଲେ । ମହାମାରୀ କରୋନା ନିୟନ୍ତ୍ରଣରେ ସରକାରୀ ଓ ବେସରକାରୀ ସ୍ତରରେ ନିଆଯାଇଥିବା ପଦକ୍ଷେପ ଓ ଜିଲାବାସୀଙ୍କ ସହଯୋଗକୁ ସେ ପ୍ରଶଂସା କରିବା ସହ ଆଗାମୀ ଦିନରେ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ । ଏଥିସହ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଣିତ ବିଭିନ୍ନ ସରକାରୀ ଯୋଜନା ଆଧାରରେ ଭଦ୍ରକ ଜିଲାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପରତା ଅଭିଯାନ (ମୁକ୍ତା), ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା, ଆଶୀର୍ବାଦ ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଦିରେ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ସମ୍ୟକ୍ ସୂଚନା ଦେଇଥିଲେ । ଜାତୀୟ ପତାକା ଉତ୍ତୋଳନ ପରେ ମହାବିଦ୍ୟାଳୟ ପରିସରରେ ଅବସ୍ଥିତ ଡେଡିକେଟେଡ୍ କୋଭିଡ୍ କେୟାର ସେଣ୍ଟର ସମ୍ମୁଖରେ ଅତିଥିମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା । କରୋନା ଯୋଦ୍ଧା, ଗଣମାଧ୍ୟମ ପ୍ରତିନିଧି, ସରକାରୀ ପଦାଧିକାରୀ ଓ କର୍ମଚାରୀମାନେ ଏହି ଉତ୍ସବରେ ଯୋଗଦେଇଥିଲେ । ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବ ପାଳନ କାର୍ଯ୍ୟକ୍ରମରେ କାର୍ଯ୍ୟାଳୟର କର୍ମଚାରୀ ତାପସ ନାୟକ, ଜୟ ଅମରଦୀପ ସୁକାନ୍ତ ସାହୁ, ଅଜୟ ନାୟକ, ମିନାକ୍ଷୀ ଗରାବଡୁ ପ୍ରମୁଖ ଆନୁସଙ୍ଗିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.