Home ଜିଲ୍ଲା ପରିକ୍ରମା କୋଭିଡ୍ କଟକଣାରେ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର, ପ୍ରଥମେ ଦର୍ଶନ କଲେ ସେବାୟତ ପରିବାର

କୋଭିଡ୍ କଟକଣାରେ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର, ପ୍ରଥମେ ଦର୍ଶନ କଲେ ସେବାୟତ ପରିବାର

24

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘମାସର ଅପେକ୍ଷା ପରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହୋଇଛି ମହାମିଳନ । କୋଭିଡ୍ କଟକଣା ମଧ୍ୟରେ ଆଜି ପବିତ୍ର ସୋମବାରରେ ଖୋଲିଛି ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ମନ୍ଦିର । ମନ୍ଦିରର ରୀତିନୀତି ଅନୁଯାୟୀ ଆଜି ଭୋର୍‌ର ସମୟରେ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି ନୀତି ସରିବା ପରେ ବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲୁ ବାଲ୍ୟଭୋଗ ଲାଗୁ କରାଯାଇଥିଲା । ପୂର୍ବ ପ୍ରସ୍ତୁତି ପ୍ରଶାସନ ନିୟମ ଅନୁଯାୟୀ ଦର୍ଶନ ନିମନ୍ତେ ମନ୍ଦିର ପ୍ରବେଶ ପଥ ଦକ୍ଷିଣ ଦ୍ୱାର ସକାଳ ୭ଟାରେ ଖୋଲିବା ପରେ ସେବାୟତ ପରିବାରର ସଦସ୍ୟମାନେ ବ୍ୟାରିକେଡ୍‌ରେ ଯାଇ ବାବାଙ୍କ ଦର୍ଶନ କରିଥିଲେ । ଦୀର୍ଘଦିନର ଅପେକ୍ଷା ପରେ ଆଜି ବାବାଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମଣିଥିଲେ ସେବାୟତ ପରିବାର । ମନ୍ଦିର ଖୋଲିବା ପୂର୍ବରୁ ଶ୍ରଦ୍ଧାଳୁମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ନିୟମ ଜାରି କରିଥିଲା ପ୍ରଶାସନ । ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ୍ ସହିତ ସମସ୍ତ ଭକ୍ତଙ୍କର ଥର୍ମାଲ ସ୍କାନିଂ କରାଯାଇଛି । ଏପରିକି ଦର୍ଶନାର୍ଥୀଙ୍କର ଯଦି କରୋନା ଲକ୍ଷଣ ଦେଖାଯାଏ, ତାହାହେଲେ ମନ୍ଦିର ପରିସରରେ ଥିବା ଅସ୍ଥାୟୀ କୋଭିଡ୍ କେନ୍ଦ୍ରରେ ଟେଷ୍ଟ କରାଯିବ ବୋଲି ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ପୀତାମ୍ବର ସାମଲଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ଦୁଇଦିନ ସେବାୟତ ପରିବାରଙ୍କ ଦର୍ଶନ କରିବା ପରେ ୩୦ ଓ ୩୧ ରେ ସ୍ଥାନୀୟ ୪ଟି ପଂଚାୟତବାସୀ ପର୍ଯ୍ୟାୟ କ୍ରମେ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି । ଏପରିକି କୋଭିଡ୍ କଟକଣା ଅନୁଯାୟୀ ସମସ୍ତ ଦର୍ଶନାର୍ଥୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବାବେଳେ ଭକ୍ତମାନେ ସ୍ୱତନ୍ତ୍ର ବ୍ୟାରିକେଡ୍ ମଧ୍ୟରେ ଯାଇ ଦର୍ଶନ କରିବା ପାଇଁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଜାନୁଆରୀ ୧ ଓ ୨ ଅର୍ଥାତ୍ ନୂଆବର୍ଷରେ ମନ୍ଦିର ବନ୍ଦ ରହିବା ପରେ ୩ ରେ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲିବ । ଏଥିପାଇଁ ଏସ୍‌ଓପି ଜାରି କରାଯାଇଛି । ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ସକାଳ ୭ ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଦର୍ଶନ କରିବେ । ଅନ୍ୟ ସମୟ ମନ୍ଦିର ପୂର୍ବପରି ବନ୍ଦ ରହିବ । ଦର୍ଶନାର୍ଥୀମାନେ ମନ୍ଦିର ମଧ୍ୟକୁ ଫୁଲ, ଦୀପ, ଭୋଗ, କଳସ ଓ ପୂଜା ସାମଗ୍ରୀ ନେଇପାରିବେ ନାହିଁ । ଏଥିସହ ମନ୍ଦିର ମଧ୍ୟରେ ଅଧିକ ସମୟ ଧରି ଯାତ୍ରୀମାନେ ରହିପାରିବେ ନାହିଁ । ବିଶେଷକରି ୧୦ ବର୍ଷରୁ କମ୍ ଶିଶୁ ଓ ୬୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ନିଷେଧ କରାଯାଇଛି । ମୁଣ୍ଡନ କାର୍ଯ୍ୟ ଓ ମାନସିକ ପୂଜା ପର୍ବ ପୂର୍ବଭଳି ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସେହିଭଳି କୌଣସି ସ୍ଥାନରେ ଲୋକମାନେ ଗହଳି ଲଗାଇବା ଉପରେ ମଧ୍ୟ ରୋକ୍ ଲଗାଯାଇଛି । ମନ୍ଦିର ବେଢା ଭିତରେ କୌଣସି ପୂଜାର୍ଚ୍ଚନା, ପ୍ରସାଦ ସେବନ ହୋଇପାରିବ ନାହିଁ । ସେହିପରି କୌଣସି ସ୍ଥାନରେ ଲୋକମାନେ ଗହଳି ଲଗାଇବା ଉପରେ ମଧ୍ୟ ରୋକ ଲଗାଇଛି ପ୍ରଶାସନ । ଏହିପରି ୧୮ଗୋଟି ନିୟମ ଜାରି କରିଛି ପ୍ରଶାସନ । ସମସ୍ତ ନିୟମ ଯେଭଳି ସଠିକ୍ ଭାବେ ପରିଚାଳିତ ହେବ, ସେଥିପାଇଁ ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକଙ୍କ ତତ୍ତ୍ୱାବଧାନରେ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.