Home ଓଡ଼ିଶା ଉଭୟ ଆନ୍ଧ୍ର ଓ ଓଡିଶା ବୁଥରେ ଭୋଟ ଦେଲେ ବିବାଦୀୟ କୋଟିଆର ୧୩ ଟି ଗ୍ରାମର...

ଉଭୟ ଆନ୍ଧ୍ର ଓ ଓଡିଶା ବୁଥରେ ଭୋଟ ଦେଲେ ବିବାଦୀୟ କୋଟିଆର ୧୩ ଟି ଗ୍ରାମର ଲୋକ

1091

କୋରାପୁଟ ୧୧-୦୪-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆଜି ହୋଇଥିବାବେଳେ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କୋଟିଆ ପଂଚାୟତର ୧୩ଟି ଗ୍ରାମର ଅଧିବାସୀ ଓଡିଶାରେ ଭୋଟ ଦେଇ ପଡୋଶୀ ଆନ୍ଧ୍ର ପ୍ରଦେଶର ମତଦାନ କେନ୍ଦ୍ରରେ ମଧ୍ୟ ଭୋଟ ଦେଇଥିବା ଜଣାପଡିଛି। କୋଟିଆର ୨୧ଟି ବିବାଦୀୟ ଗ୍ରାମକୁ ନେଇ ଓଡିଶା-ଆନ୍ଧ୍ର ମଧ୍ୟରେ ଲଢେଇ ଚାଲିଥିବାବେଳେ ୧୩ଟି ଗ୍ରାମର ମତଦାତା ଆନ୍ଧ୍ର ପ୍ରଦେଶ ସରକାର ଦ୍ୱାରା ପରିଚାଳିତ ବୁଥରେ ଭୋଟ ଦେବା ଘଟଣା ରାଜ୍ୟ ସରକାର ଓ ଜିଲା ପ୍ରଶାସନକୁ ପୁଣି ଅଡୁଆରେ ପକାଇବା ସମ୍ଭାବନା ରହିଛି। ୨୯ଟି ରାଜସ୍ୱ ଗ୍ରାମପୁଂଜକୁ ନେଇ କୋଟିଆ ଗ୍ରାମ ପଂଚାୟତ ଗଠିତ ହୋଇଥିବାବେଳେ ସେଥି ମଧ୍ୟରୁ ୨୧ଟି ଗ୍ରାମକୁ ନେଇ ଓଡିଶା-ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି। ଓଡିଶା ସରକାରଙ୍କ ଦ୍ୱାରା କୋଟିଆ ପଂଚାୟତ ମାଧ୍ୟମରେ ବିକାଶ ମୂଳକ କାମ କରା ଯାଉଥିବାବେଳେ ବିବାଦୀୟ ୨୧ଟି ଗ୍ରାମକୁ ଆନ୍ଧ୍ର ପ୍ରଶାସନ ୩ଟି ପଂଚାୟତ କରି ଲୋକଙ୍କୁ ବିଭିନ୍ନ ସେବା ଯୋଗାଉଛି। ଆନ୍ଧ୍ର ପ୍ରଶାସନ ଅନୁପ୍ରବେଶ କରି କୋଟିଆର ଗଂଜେଇ ପଦର, ଫାଟୁସିନେରୀ ଓ ନେରେଡିବାଲସା ଗ୍ରାମରେ ଲୋକଙ୍କୁ ପ୍ରଭାବିତ କରି ପଂଚାୟତ ପ୍ରତିନିଧି ମନୋନୀତ କରିବା ସହ ସେମାନଙ୍କୁ ଆର୍ଥିକ କ୍ଷମତା ପ୍ରଦାନ କରିଛି। ଚଳିତ ନିର୍ବାଚନ ଓଡିଶା ଓ ଆନ୍ଧ୍ରରେ ଏକାଥରେ ହେଉଥିବାରୁ କୋଟିଆବାସୀ ଓଡିଶାରେ ମତଦାନ କରିବେ ନାଁ ଆନ୍ଧ୍ର ପ୍ରଶାସନ ଦ୍ୱାରା ପ୍ରତିଷ୍ଠା ହୋଇଥିବା ମତଦାନ କେନ୍ଦ୍ରରେ ଭୋଟ ଦେବେ ତାକୁ ନେଇ ଉତ୍କଣ୍ଠା ଲାଗି ରହିଥିଲା। ତେବେ କୋଟିଆର ୮ଟି ନିର୍ବିବାଦୀୟ ଗାଁର ଲୋକେ ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟ ଦେଇଥିଲେ। ହେଲେ ବିବାଦୀୟ ୨୧ଟି ଗ୍ରମ ମଧ୍ୟରୁ ୧୩ଟି ଗ୍ରାମର ଲୋକେ ଆନ୍ଧ୍ର ପ୍ରଶାସନ ଅଧୀନ ମତଦାନ କେନ୍ଦ୍ରରେ ଭୋଟ ଦେବା ସମସ୍ତଙ୍କୁ ଚକିତ କରିଛି। କୋରାପୁଟ ଜିଲା ପ୍ରଶାସନ ଦ୍ୱାରା କୋଟିଆ ପଂଚାୟତର ସଦର ମହକୁମା ସମେତ ତଳକାଂଟି, ଫଗୁଣ ସିନେରୀ, ମାଡକାର୍, ଗଂଜେଇ ପଦର, ଗୁମେଲ ପଦର, ଥୁରିଆ, ଟାଉ ପଦର ଏବଂ ରମାସିଂହ ଗ୍ରାମରେ ୯ଟି ମତଦାନ କେନ୍ଦ୍ର ପ୍ରତିଷ୍ଠା କରା ଯାଇଛି। ୨୯ଟି ଗ୍ରାମକୁ ନେଇ ଗଠିତ ସେହି ସବୁ ବୁଥରେ ୫୨୦୦ରୁ ଉର୍ଦ୍ଧ୍ୱ ମତଦାତା ରହିଛନ୍ତି। ସେଥି ମଧ୍ୟରୁ ପ୍ରାୟ ୩୪୦୦ ମତଦାତା ଉପରୋକ୍ତ ୯ଟି ବୁଥରେ ଭୋଟ ଦେଇଥିବାବେଳେ କୋଟିଆ, ଗଂଜେଇପଦର, ଫଗୁଣ ସିନେରୀ, ଫାଟୁସିନେରୀ, ମାଡକାର୍, ଧୂଲିପଦର, ପନିକି, ତଳସେମ୍ବି, ଉପରସେମ୍ବି, ନେରେଡାଲସା, ତାଡିବାଲସା, କୁତତୁଡିବାଲସା ଇତ୍ୟାଦି ୧୩ଟି ଗ୍ରାମର ୧୮୦୦ ଭୋଟର ଆନ୍ଧ୍ର ପ୍ରଦେଶ ଦ୍ୱାରା ନେରେଡି ବାଲସାରେ ପ୍ରତିଷ୍ଠିତ ୨ଟି ବୁଥରେ ମତଦାନ କରିଛନ୍ତି। ବିଜୟ ନଗରମ୍ ଜିଲା ସାଲୁର୍ ମଣ୍ଡଳର ଗ୍ରାମ୍ୟ ରାଜସ୍ୱ ଅଧିକାରୀ ପି.କ୍ରିଷ୍ନା ମୂର୍ତିଙ୍କ ଠାରୁ ହସ୍ତଗତ ତଥ୍ୟ ଅନୁଯାୟୀ, ଆନ୍ଧ୍ର ପ୍ରଶାସନ ଦ୍ୱାରା ନେରେଡିବାଲସାରେ ଗଂଜେଇ ପଦର-୪ ଓ ନେରେଡିବାଲସା-୧ ଭାବେ ୨ଟି ଭୋଟ ଗ୍ରହଣ କେନ୍ଦ୍ର କରା ଯାଇଛି। ଗଂଜେଇ ପଦର-୪ ବୁଥରେ ୧୦୦୪ ଜଣ ଭୋଟର ଥିବାବେଳେ ନେରେଡିବାଲସା-୧ରେ ୭୯୬ ମତଦାତା ରହିଛନ୍ତି। ଗୁରୁବାର ଅପରାହ୍ନ ୨ଟା ମଧ୍ୟରେ ଉଭୟ ବୁଥରେ ପ୍ରାୟ ୫୦ ପ୍ରତିଶତ ମତଦାନ ହୋଇଥିଲା। ସବୁ ଗାଁକୁ ଆନ୍ଧ୍ର ପ୍ରଶାସନ ଗାଡି ପଠାଇ ଲୋକ ଆଣିବା ବ୍ୟବସ୍ଥା କରିଥିବାରୁ ମତଦାନ ହାର ଅଧିକ ହେବ ବୋଲି ବିଆରଓ ସୂଚନା ଦେଇଥିବାବେଳେ ଆନ୍ଧ୍ର ଦ୍ୱାରା ମନୋନୀତ ଗଂଜେଇପଦର ନାଏବ ସରପଂଚ ବିଶ୍ୱନାଥ ଗେମେଲ ଆନ୍ଧ୍ର ସେମାନଙ୍କ ସମସ୍ତ ସମସ୍ୟାର ସମାଧାନ କରୁଥିବାରୁ ଅଂଚଳବାସୀ ଆନ୍ଧ୍ର ସପକ୍ଷରେ ମତଦାନ କରୁଥିବା କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.