Home ଜିଲ୍ଲା ପରିକ୍ରମା କେବେ ବନ୍ଦ ହେବ ବେଆଇନ ଗୋ-ଚାଲାଣ!, ଗୋ-ଚାଲାଣ ରୋକିବାକୁ ଏସପିଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି

କେବେ ବନ୍ଦ ହେବ ବେଆଇନ ଗୋ-ଚାଲାଣ!, ଗୋ-ଚାଲାଣ ରୋକିବାକୁ ଏସପିଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି

57

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ବନ୍ଦ ହେବ ବେଆଇନ ଗୋ-ଚାଲାଣ । ଏହି ବେଆଇନ କାରବାରକୁ ରୋକିବା ପାଇଁ ଗଠନ ହେବ ଏକ ସ୍ୱତନ୍ତ୍ର ଟିମ । କୌଣସି ପରିପ୍ରେକ୍ଷୀରେ ଏପରି ବେଆଇନ କାରବାରକୁ ପ୍ରଶ୍ରୟ ଦିଆଯିବ ନାହିଁ । ଏହି କାରବାରରେ ଯେଉଁମାନେ ବି ଲିପ୍ତ ଥାଆନ୍ତୁ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରି କିଛି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ଚଳିତ ମାସ ୧ତାରିଖ ରାତିରେ ରାଜଘାଟ ଛକ ଠାରେ ଏକ ବେଆଇନ ଗୋରୁ ଓ ଷଣ୍ଢ ଚାଲାଣ ସମୟରେ ସ୍ଥାନୀୟ ଗୋ-ସୁରକ୍ଷା ସମିତି ଓ ବିଶ୍ୱ ହିନ୍ଦୁ ପରିଷଦର କେତେକ କର୍ମକର୍ତ୍ତା ଏକ କଣ୍ଟେନରକୁ ଅଟକ ରଖିଥିଲେ । ପୁରୁଣାବଜାର ପୁଲିସ ଏହି କଣ୍ଟେରନରକୁ ସହର ପାର କରାଉଥିବା ଅଭିଯୋଗ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ରାଜଘାଟ ଛକରେ ରାସ୍ତାରୋକ କରିଥିଲେ । ପରିସ୍ଥିତିର ଗୁରୁତ୍ୱକୁ ଉପଲବ୍ଧି କରି ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ସେଠାରେ ପହଞ୍ଚି ୨ ତାରିଖ ଏ ସମ୍ପର୍କରେ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ସେହି ଅନୁଯାୟୀ ଗତ ୨ ତାରିଖ ଉପରୋକ୍ତ ସଂଗଠନର କର୍ମକର୍ତ୍ତାଙ୍କ ସହ ଏସପି ଶ୍ରୀ ମୀନା ଆଲୋଚନା କରିବା ସହ ଉପରୋକ୍ତ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏସପି ପ୍ରତିଶ୍ରୁତି ଦେବାର ୧୫ ଦିନ ବିତି ନାହିଁ । ବାସୁଦେବପୁର ବେତଡ଼ା ବଜାର ଠାରେ ବେଆଇନ ଭାବେ ଚାଲାଣ ହେଉଥିବା ଏକ ଗୋରୁ ଭର୍ତ୍ତି ଗାଡ଼ିକୁ ବଜରଙ୍ଗ ଦଳର କର୍ମକର୍ତ୍ତା ଅଟକ ରଖି ବାସୁସେଦବପୁର ପୁଲିସ ଜିମା ଦେଇଛନ୍ତି ।

ତେବେ ଉକ୍ତ ବେଆଇନ ଗୋରୁ ବୋଝେଇ ଗାଡ଼ିକୁ ବାସୁଦେବପୁର ପୁଲିସ ଜାଣିଶୁଣି ଛାଡ଼ି ଦେଇଥିଲା ନା ଆଖିରେ ପଡ଼ିନଥିଲା ବୋଲି ଏବେ ପ୍ରଶ୍ନ ଉଠିଛି । ତେବେ ଏହି ଗାଡ଼ି ପୁରୀ ଜିଲ୍ଲା ପିପିଲିରୁ କୋଲକତା ଯାଉଥିଲା । ରାଣିତାଲ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଜାମ୍ ଥିବାରୁ ଏହି ଗାଡ଼ି ଏକ ବିକଳ୍ପ ରାସ୍ତା ଦେଇ ଯାଉଥିଲା ବୋଲି ଗାଡ଼ିର ଚାଳକ ପୁଲିସକୁ କହିଥିଲେ । ତେବେ ଗାଡ଼ି ଚାଳକର ତ୍ସ୍ୱୀକାରୋକ୍ତି ଅନୁଯାୟୀ ଯଦି ଏହି ଗାଡ଼ି ପିପିଲିରୁ କୋଲକତା ଯାଉଥିଲା, ତେବେ ଏହା ନିଶ୍ଚିତ ଭାବରେ ଭଦ୍ରକ ଜିଲ୍ଲା ମଧ୍ୟରେ ଆସୁଥିବା ଭଣ୍ଡାରିପୋଖରୀ, ଧାମନଗର, ଭଦ୍ରକ ଗ୍ରାମାଞ୍ଚଳ ଓ ଭଦ୍ରକ ସହରାଞ୍ଚଳ ଥାନା ଅଞ୍ଚଳ ଦେଇ ଆସିଥିବ । କିନ୍ତୁ ଏହା କିପରି ଉପରୋକ୍ତ ଥାନାର କର୍ମଚାରୀଙ୍କ ନଜରକୁ ଆସିଲା ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ବେଆଇନ ଗୋ ଚାଲାଣ କରୁଥିବା ଗାଡ଼ି ପୁଲିସ ପରିବର୍ତ୍ତେ ବଜରଙ୍ଗ ଦଳ ହାବୁଡ଼ରେ କିପରି ପଡ଼ିଲା । ଏହାର ଅର୍ଥ ବେଆଇନ ଭାବେ ଗୋଚାଲାଣ ପୂର୍ବରୁ ଯେପରି ଚାଲିଥିଲା, ତାହା ଏବେ ମଧ୍ୟ ଜାରୀ ରହିଛି ଓ ପୁଲିସ ନୀରବଦ୍ରଷ୍ଟା ସାଜିଛି ଓ ଏହି ପ୍ରସଙ୍ଗରେ ଏସପିଙ୍କ ପ୍ରତିଶ୍ରୁତି ପାଣିର ଗାର ସଦୃଶ ବୋଲି ଆଲୋଚନା ହେଉଛି ।

ସୂଚନାଯୋଗ୍ୟ ଭଦ୍ରକ ଏବେ ବେଆଇନ ଗୋ-ଚାଲାଣର ହବ୍ ପାଲଟିଥିବାବେଳେ, ୧୬ ନମ୍ବର ଜାତୀୟ ରାଜପଥ ଏବେ ବେଆଇନ ଗୋରୁ ବ୍ୟବସାୟର ସେଫ କରିଡ଼ର ପାଲଟିଛି । ଏହାକୁ ଦେଖି ଜାଣି ନଦେଖିବା ପରି ଓ ନଜାଣିବା ପରି ରହୁଛି ପୁଲିସ । ପ୍ରତ୍ୟେକ ଦିନ ବହୁ ସଂଖ୍ୟକ ଗୋରୁ ଭର୍ତ୍ତି ଟ୍ରକ, କଣ୍ଟେନର ଓ ପିକଅପ୍ ଭ୍ୟାନ ଯୋଗେ ହଜାର ହଜାର ଗୋରୁଙ୍କୁ ବେଆଇନ ଭାବେ ଅନ୍ୟରାଜ୍ୟକୁ ବିଶେଷକରି କୋଲକତାକୁ ଚାଲାଣ କରାଯାଉଛି । ଅଥଚ ଏହା ପୁଲିସ ଆଖିରେ ପଡୁନାହିଁ । ଏସପିଙ୍କ ପ୍ରତିଶ୍ରୁତିର ୧୩ ଦିନ ପରେ ମଧ୍ୟ ଗୋଟିଏ ବେଆଇନ ଗୋରୁ ଚାଲାଣ ଗାଡ଼ି ଧରିବାରେ ଭଦ୍ରକ ପୁଲିସ ସକ୍ଷମ ହୋଇ ପାରି ନାହିଁ । କିନ୍ତୁ ବଜରଙ୍ଗ ଦଳ ଏକ ଗାଡ଼ିକୁ ଧରିବାରେ ସକ୍ଷମ ହୋଇଛି । ଏହା ପରୋକ୍ଷରେ ସୂଚାଉଛି ଯେ ବେଆଇନ ଗୋ-ଚାଲାଣ ପଛରେ ପୁଲିସର ସିଧାସଳଖ ପ୍ରୋତ୍ସାହନ ରହୁଛି । ତେଣୁ ଜିଲ୍ଲାର ଏସପି ସଂପୃକ୍ତ ଥାନାମାନଙ୍କୁ ବେଆଇନ ଗୋ-ଚାଲାଣ ରୋକିବା ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବା ଜରୁରୀ ହୋଇପଡ଼ିଛି । ନଚେତ ଏହି ବେଆଇନ ପ୍ରସଙ୍ଗରେ ଏସପିଙ୍କ ପ୍ରତିଶ୍ରୁତି ପାଣିର ଗାର ହୋଇ ରହିଯିବ ବୋଲି ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.