Home Top News କେନ୍ଦ୍ର ଦେଉଥିବା ଲକ୍ଷ ଲକ୍ଷ କୋଟି ଟଙ୍କାର ହିସାବ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଆଗରେ ରଖନ୍ତୁ :ଲେଖାଶ୍ରୀ...

କେନ୍ଦ୍ର ଦେଉଥିବା ଲକ୍ଷ ଲକ୍ଷ କୋଟି ଟଙ୍କାର ହିସାବ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଆଗରେ ରଖନ୍ତୁ :ଲେଖାଶ୍ରୀ ସାମନ୍ତସିଂହାର

115

ବିଜୁ ଯୁବ ଜନତା ଦଳ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇବା ଘଟଣା
– ଦଳୀୟ କର୍ମୀଙ୍କ ମନୋବଳ ବଢେଇବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇବା ଆଦୌ ଗ୍ରହଣୀୟ ନୁହେଁ
– କୋଭିଡ ସମୟରେ ମୋଦି ସରକାର ଓଡିଶାକୁ ୨୨ ହଜାର ୨୬୭ କୋଟି ଟଙ୍କାର ପ୍ୟାକେଜ ପ୍ରଦାନ କରିଛନ୍ତି
– ଗତ ୨୦୧୪-୧୯ ବର୍ଷ ମଧ୍ୟରେ ରାଜ୍ୟକୁ ମୋଦି ସରକାର ୨, ୩୬, ୫୫୬ କୋଟି ଟଙ୍କା ପ୍ରଦାନ କରିଛନ୍ତି
– ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ଓଡିଶାର ବିକାଶକୁ ପ୍ରାଥମିକତା ଦେଇଛନ୍ତି
– ମିଥ୍ୟା ତଥ୍ୟ ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭ୍ରମିତ ନକରନ୍ତୁ
– ସବୁ କ୍ଷେତ୍ରରେ ଆଶାରୁ ଅଧିକ ଅନୁଦାନ ଓ ସହାୟତା ଓଡିଶାକୁ ଦେଇ ଚାଲିଛନ୍ତି ମୋଦି ସରକାର
– ଓଡିଶା ଭାଷା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ପାଇଁ ଐତିହାସିକ ପଦକ୍ଷେପମାନ ନେଇ ଓଡିଶାକୁ ବିଶ୍ୱ ଦରବାର ଗୌରବାନ୍ୱିତ କରିଛନ୍ତି ମୋଦି ସରକାର

ଭୁବନେଶ୍ୱର ୧୮/୧୨ (ଓଡ଼ିଆ ପୁଅ) : ବିଜୁ ଯୁବ ଜନତା ଦଳ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇବା ଏବଂ ବିଜେପିର ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅପମାନଜନକ କଥା ମୁଖ୍ୟମନ୍ତ୍ରୀ କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ରାଜନୈତିକ ସୌଜନ୍ୟତା ପରିପନ୍ଥୀ। କେନ୍ଦ୍ରୀୟ ଯୋଜନାକୁ ହଡପ କରି ନିଜ ନାଁରେ କରିବା, କେନ୍ଦ୍ରୀୟ ଯୋଜନାକୁ ଅଯୋଗ୍ୟ ହିତାଧିକାରୀଙ୍କ ହାତକୁ ଟେକିବା, ଦୂର୍ନୀତି ଓ ଭଷ୍ଟାଚାରରେ ଦଳୀୟ ନେତାମାନେ ଛନ୍ଦି ହେବା, ମହିଳା ଓ ନାବାଳିକାଙ୍କର ଉପରେ ବଢୁଥିବା ଦୁଷ୍କର୍ମ ଅତ୍ୟାଚାର ରୋକିବାରେ ବିଫଳତା ଏବଂ ପରୀ ଭଳି କୁନି ଝିଅର ହତ୍ୟା ଓ ଅଙ୍ଗ ତସ୍କରୀ ଘଟଣାରେ ବିଜେଡି ସରକାର ଛନ୍ଦିହୋଇଥିବା ବେଳେ ରାଜ୍ୟବାସୀଙ୍କ ନଜର ହଟେଇବା ସହ ତାଙ୍କ ଦଳୀୟ କର୍ମୀଙ୍କ ମନୋବଳ ବଢେଇବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇବା ଆଦୌ ଗ୍ରହଣୀୟ ନୁହେଁ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ଡ.ସାମନ୍ତସିଂହାର କହିଛନ୍ତି ଯେ, କେବଳ କୋଭିଡ ସମୟରେ ମୋଦି ସରକାର ଓଡିଶାକୁ ୨୨ ହଜାର ୨୬୭ କୋଟି ଟଙ୍କାର ପ୍ୟାକେଜ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୭ ଲକ୍ଷ ୫୧ ହଜାର ୯୩୦ ଟନ ଚାଉଳ ଏବଂ ୪୪ ହଜାର ୧୩୦ ଟନ ଡାଲି ଓଡିଶାକୁ ଯୋଗାଇ ଦେଇଛନ୍ତି। ରାଜ୍ୟର ଗରିବ ମହିଳାମାନଙ୍କୁ ୪୪୦ କୋଟି ଟଙ୍କାର ଗ୍ୟାସ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ୪୦୦ କୋଟି ଟଙ୍କା ଅନୁଦାନ ଦିଆଯାଇଛି। ଜାତୀୟ ସାମାଜିକ ସୁରକ୍ଷା ଭତା ଅଧୀନରେ ୨୦.୨୭ ଲକ୍ଷ ହିତାଧିକାରୀଙ୍କୁ ୨୦୨.୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିପରି ଗତ ୨୦୧୪-୧୯ ବର୍ଷ ମଧ୍ୟରେ ରାଜ୍ୟକୁ ମୋଦି ସରକାର ୨, ୩୬, ୫୫୬ କୋଟି ଟଙ୍କା ପ୍ରଦାନ କରିଛନ୍ତି।

୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ଓଡିଶାର ବିକାଶକୁ ପ୍ରାଥମିକତା ଦେଇଛନ୍ତି। ଓଡିଶା ପୂର୍ବଦୋୟ ବିକାଶର ପ୍ରବେଶ ପଥ ହେବ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ସେ ଦିଗରେ କାର୍ଯ୍ୟ କରିଚାଲିଛନ୍ତି। ସବୁ କ୍ଷେତ୍ରରେ ଆଶାରୁ ଅଧିକ ଅନୁଦାନ ଓ ସହାୟତା ଓଡିଶାକୁ ଦେଇ ଚାଲିଛନ୍ତି ମୋଦି ସରକାର। ସାଧାରଣ ବଜେଟ, ରେଳ ବଜେଟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଫସଲ ବୀମା ଅବା ପ୍ରାକୃତିକ ବିପର୍ଯ୍ୟୟରେ ରାଜ୍ୟ ମାଗିବା ଆଗରୁ କେନ୍ଦ୍ର ସହାୟତାର ହାତ ବଢାଇବା ପ୍ରଥମ ଥର ପାଇଁ ଓଡିଶା ଇତିହାସରେ ମୋଦି ସରକାର କରି ଦେଖାଇଛନ୍ତି। ଏସବୁ ପାଇଁ ଶ୍ରେୟ ଦେବା ତ ଦୂରର କଥା ଅତିକମରେ ମିଥ୍ୟା ତଥ୍ୟ ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭ୍ରମିତ ନକରନ୍ତୁ। ଓଡିଶା ଭାଷା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ପାଇଁ ଐତିହାସିକ ପଦକ୍ଷେପମାନ ନେଇ ଓଡିଶାକୁ ବିଶ୍ୱ ଦରବାର ଗୌରବାନ୍ୱିତ କରିଛନ୍ତି ମୋଦି ସରକାର। କେନ୍ଦ୍ର ସରକାରଙ୍କ ଦେଉଥିବା ଅନୁଦାନକୁ ଖର୍ଚ୍ଚ କରିପାରୁନଥିବାବେଳେ ରାଜ୍ୟସରକାର କେନ୍ଦ୍ର ଅବହେଳା କଥା ନକହି କେନ୍ଦ୍ର ଦେଉଥିବା ଲକ୍ଷ ଲକ୍ଷ କୋଟି ଟଙ୍କାର ହିସାବ ରାଜ୍ୟବାସୀଙ୍କ ଆଗରେ ରଖିବାକୁ ଡ.ସାମନ୍ତସିଂହାର ଆହ୍ୱାନ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.