Home ଓଡ଼ିଶା କେନ୍ଦ୍ରୀୟ ବିଦ୍ୟାଳୟ ନିଜସ୍ୱ ଗୃହକୁ ସ୍ଥାନାନ୍ତର ପାଇଁ ଅଭିଭାବକ ସଂଘର ଜିଲ୍ଲାପାଳଙ୍କ ନିକଟରେ ଦାବି, ପଦକ୍ଷେପ...

କେନ୍ଦ୍ରୀୟ ବିଦ୍ୟାଳୟ ନିଜସ୍ୱ ଗୃହକୁ ସ୍ଥାନାନ୍ତର ପାଇଁ ଅଭିଭାବକ ସଂଘର ଜିଲ୍ଲାପାଳଙ୍କ ନିକଟରେ ଦାବି, ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କ ପ୍ରତିଶୃତି, ଦାବି ପୂରଣ ନହେଲେ ଆନ୍ଦୋଳନୁ ଓହ୍ଲାଇବ ସଂଘ

152

ନୟାଗଡ଼, ୪ା୧(ଓଡ଼ିଆ ପୁଅ/ଲକ୍ଷ୍ମୀଧର ସାହୁ): ଗତ ଦୁଇମାସ ପୂର୍ବରୁ କେନ୍ଦ୍ରୀୟ ବିଦ୍ୟାଳୟର ନିଜସ୍ୱ ଗୃହ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଥିଲେ ମଧ୍ୟ ଏଠାକୁ ବିଦ୍ୟାଳୟ ସ୍ଥାନାନ୍ତର କରାଯାଉନଥିବାରୁ ସ୍ଥାନୀୟ ଜନସାଧାରଣ ତଥା ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଘୋର ଉଦବେଗ ପ୍ରକାଶ ପାଇଛି। ଏ ନେଇ ବିଗତ ଦିନରେ ଅଭିଭାବକ ତଥା ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବାରମ୍ବାର ଦାବି ଏବଂ ଆନ୍ଦୋଳନ କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଛାଛ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଯୋଗ୍ୟ ଯେ ଗତ ୨୦୧୦ ମସିହାରେ ନୟାଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରରେ ଅସ୍ଥାୟୀ ଭାବେ ଖୋଲାଯାଇଥିଲା। ଏହାକୁ ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥବା ବେଳେ ମାତ୍ର ଦୁଇବର୍ଷ ପରେ କଲେଜ କର୍ତ୍ତୃପକ୍ଷ ବିଭିନ୍ନ ବାହାନା ଦେଖାଇ ବିଦ୍ୟାଳୟ ଚଳାଇବା ପାଇଁ ମନା କରି ଦେଇଥିଲେ। ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ସ୍ଥାନୀୟ ବ୍ରଜେନ୍ଦ୍ର ହାଇସ୍କୁଲ ମଧ୍ୟରେ ଚଲାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ଗତ ୨୦୧୨ ମସିହାରୁ ଅଦ୍ୟାବଧି ଅସ୍ଥାୟୀ ଭାବେ ଏହା ହାଇସ୍କୁଲ ମଧ୍ୟରେ ଚାଲୁ ରହିଛି। ଇତି ମଧ୍ୟରେ ଚଳିତ ବର୍ଷ ଏଠାରେ ବିଜ୍ଞାନ ବିଷୟରେ ଏକାଦଶ ଶ୍ରେଣୀ ଖୋଲିଥିବା ବେଳେ ଆନୁସଙ୍ଗୀକ ସୁବିଧା କିଛି ନଥିବାରୁ ଏଠାରେ ପାଠପଢ଼ାର ଘୋର ବ୍ୟତିକ୍ରମ ଦେଖା ଦେଇଛି। ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗରେ ଲାବୋରେଟୋରୀ ନଥିବାରୁ ପିଲାଙ୍କର ପ୍ରାକ୍ଟିକାଲ କ୍ଲାସ ଅଦ୍ୟାବଧି ଆରମ୍ଭ ହୋଇ ପାରିନାହିଁ। ସେହିପରି ଅଧିକ କ୍ଲାସରୁମର ଆବଶ୍ୟକ ରହିଥିବା ବେଳେ ତାହା ନଥିବାରୁ ପାଠପଢ଼ାରେ ଅସୁବିଧା ସୃଷ୍ଟି ହେବାସହ କମ୍ପ୍ୟୁଟର କ୍ଲାସ ଆଦୌ ହେଉନଥିବା ଜଣାପଡ଼ିଛି। ଏଠାରେ ପଢ଼ୁଥିବା ଝିଅପିଲାଙ୍କ ପାଇଁ ପରିଶ୍ରାଗାର କିମ୍ବା ଶୌଚାଳୟ ନଥିବାରୁ ସେମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ବିଦ୍ୟାଳୟ ସାମନାରେ ବସ୍‌ଷ୍ଟପ ରହିଥିବାରୁ ଏଠାରେ ଦିନଦ୍ୱିପ୍ରହର ସବୁବେଳେ ଗହଳିଚହଳି ଏବଂ ଶବ୍ଦ ପ୍ରଦୂଷଣ ଲାଗି ରହିବା ସହ ପିଲାଙ୍କ ପାଠପଢ଼ାରେ ବହୁତ ଅସୁବିଧା ହେଉଥବା ଛାତ୍ରଛାତ୍ରୀ ମାନେ ବିଭିନ୍ନ ସମୟରେ ଅଭିଯୋଗ କରୁଛନ୍ତି। ଅନ୍ୟପକ୍ଷରେ ୩୮ କୋଟି ଟଙ୍କା ବ୍ୟୟରେ କେନ୍ଦ୍ରୀୟ ବିଦ୍ୟାଳୟର ନିଜସ୍ୱ ଏବଂ କର୍ମଚାରୀଙ୍କ ଗୃହ ନିର୍ମାଣ କାର୍ଯ୍ୟ ଗତ ଦୁଇମାସ ତଳୁ ସଂପୂର୍ଣ୍ଣ ହୋଇସାରିଥିଲେ ମଧ୍ୟ ଏଠାକୁ ବିଦ୍ୟାଳୟ ସ୍ଥାନାନ୍ତର ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସ୍ଥାନୀୟ ହାଉସିଂ ବୋର୍ଡ କଲୋନୀ ନିକଟରେ ସ୍ଥାପିତ ଏହି ବିଦ୍ୟାଳୟର ନୂତନ କୋଠା ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ବେଳେ ଏଠାରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ଏ ନେଇ ଆଜି କେନ୍ଦ୍ରୀୟ ବିଦ୍ୟାଳୟ ଅଭିଭାବକ ସଂଘ ପକ୍ଷରୁ ସଭାପତି ପ୍ରଶାନ୍ତ କୁମାର ଦାଶ, ଉପସଭାପତି ପ୍ରଶାନ୍ତ କୁମାର ପଟ୍ଟନାୟକ ଏବଂ ସଂପାଦକ ଲକ୍ଷ୍ମୀଧର ସାହୁ ପ୍ରମୁଖ ଜିଳ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିବା ସହ ତୁରନ୍ତ ବିଦ୍ୟାଳୟ ସ୍ଥାନାନ୍ତର ପାଇଁ ଦାବି ଜଣାଇଥିଲେ। ଜିଲ୍ଲାପାଳ ଡ.ପୋମା ଟୁଡୁ ବିଦ୍ୟାଳୟ ସମସ୍ୟା ସଂପର୍କରେ ସଚେତନ ଅଛନ୍ତି ଏହା ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଅଭିଭାବକ ସଂଘକୁ ପ୍ରତିଶୃତି ଦେଇଥିବା ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.