Home କେନ୍ଦ୍ରାପଡ଼ା କେନ୍ଦ୍ରାପଡ଼ା: ରଥ ଯାତ୍ରା ଆଉ ଦୁଇଦିନ, ବ୍ରହ୍ମ ତାଳଧ୍ୱଜ ରଥର କପଡ଼ା ତିଆରିରେ ନିମଗ୍ନ ଦରଜୀ...

କେନ୍ଦ୍ରାପଡ଼ା: ରଥ ଯାତ୍ରା ଆଉ ଦୁଇଦିନ, ବ୍ରହ୍ମ ତାଳଧ୍ୱଜ ରଥର କପଡ଼ା ତିଆରିରେ ନିମଗ୍ନ ଦରଜୀ ସେବକ

81

କେନ୍ଦ୍ରାପଡା, ୨୮ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥ ଯାତ୍ରା ପରି କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ତୁଳସୀ କ୍ଷେତ୍ରର ସିଦ୍ଧ ଶ୍ରୀବଳଦେବଜୀଉଙ୍କ ‘ବ୍ରହ୍ମ ତାଳଧ୍ୱଜ’ ରଥ ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଚାଲୁଛି। ବ୍ରହ୍ମ ତାଳଧ୍ୱଜ ରଥରେ କପଡ଼ା ବାନ୍ଧିବା ପାଇଁ ଦରଜୀ ସେବକମାନେ କାମରେ ନିମଗ୍ନ ହୋଇ ପଡିଛନ୍ତି। ଆଉ ମାତ୍ର ଦୁଇଦିନ ରହିଲା ରଥଯାତ୍ରା। ଶୁକ୍ରବାର ଶ୍ରୀକ୍ଷେତ୍ର ଭଳି ତୁଳସୀ କ୍ଷେତ୍ରର ରଥଦାଣ୍ଡରେ ଗଡିବ ରଥ। ଏହି ରଥ ପାଇଁ ଯେଉଁ କପଡ଼ା ଆବଶ୍ୟକ ପଡିଥାଏ ତାହାକୁ ଦରଜୀ ସେବକମାନେ ତିଆରି କରିଥାନ୍ତି। ବ୍ରହ୍ମ ତାଳଧ୍ୱଜ ରଥ ପାଇଁ ୬୨୩ ମିଟର କପଡ଼ାର ଆବଶ୍ୟକତା ପଡିଥାଏ। ଏହାକୁ ତିଆରି କରନ୍ତି ମୀରପାଟଣା ଅଞ୍ଚଳର ଦରଜୀ ସେବକ ପ୍ରମୋଦ ମହାରଣାଙ୍କ ପରିବାର। ପ୍ରମୋଦ ହେଉଛନ୍ତି ପରିବାରର ମୁଖ୍ୟ ଦରଜୀ। ତାଙ୍କୁ କାମରେ ସାହାଯ୍ୟ କରନ୍ତି ତାଙ୍କ ବଡ଼ ଭାଇ ପ୍ରହ୍ଲାଦ ମହାରଣା ଓ ସାନଭାଇ ଜଗନ୍ନାଥ ମହାରଣା। ପ୍ରମୋଦ ମଝିଆଁ ପୁଅ ହେଲେ ମଧ୍ୟ ସେ କାମରେ ସିଦ୍ଧ ହସ୍ତ। ଏହି କପଡ଼ା ସିଲେଇ କାର୍ଯ୍ୟରେ ପରିବାରର ସମସ୍ତ ସଦସ୍ୟ ସହଯୋଗ କରିଥାନ୍ତି। ଏପରିକି ଘରର ମହିଳା ଓ ଛୋଟ ପିଲାମାନେ ମଧ୍ୟ ସହଯୋଗ କରନ୍ତି। ଏହା ହେଉଛି ଏହି ପରିବାରର କୌଳିକ ବୃତ୍ତି। ଶହ ଶହ ବର୍ଷ ଧରି ଏହି ପରିବାର ବ୍ରହ୍ମ ତାଳଧ୍ୱଜ ରଥ ପାଇଁ କପଡ଼ା ତିଆରି କରି ଆସୁଛନ୍ତି। ମୁଖ୍ୟ ସେବକ ପ୍ରମୋଦ ମହାରଣା କୁହନ୍ତି ମୁଁ ମୋ ବାପାଙ୍କ ଠାରୁ ଶୁଣିଛି ମୋ ଜେଜେ ଓ ମୋ ବାପାଙ୍କ ଜେଜେ ମଧ୍ୟ ଏହି କାର୍ଯ୍ୟ କରୁଥିଲେ। ତେଣୁ ଆମେ ଆମ ବାପାଙ୍କ ଠାରୁ ଏହି କାମ ଶିଖିଛୁ। ଆମ ଘରର ସବୁ ପିଲା ଓ ମହିଳାମାନେ ମଧ୍ୟ ଏହି କାମ କରନ୍ତି। କଳା, ହଳଦୀ, ନାଲି, ନୀଳ, ସବୁଜ, ଧଳା ଇତ୍ୟାଦି ରଙ୍ଗର କପଡ଼ା ରଥର ବନକରେ ବ୍ୟବହାର କରାଯାଇଥାଏ। ସେହିପରି ନିତ୍ୟାନି ପାଇଁ ଅନ୍ୟାନ୍ୟ କପଡ଼ା ବ୍ୟବହାର କରାଯାଇଥାଏ। ଆଢେଣି ପାଇଁ ଛିଟ କପଡ଼ା, ଛତା ପାଇଁ ଧଳା, କଳା ଓ ହଳଦୀ କପଡ଼ା ବ୍ୟବହାର କରାଯାଇଥାଏ। ସେହିପରି ଦଧିବାମନ ଲୁଗା, ପତିତପାବନ ଲୁଗା, ଟାହିଆ ପାଗ ଲୁଗା, ଆଉଜାଣି ବଇଠି ଲୁଗା, ସାରଥି(ପ୍ରଦ୍ୟୁମ୍ନ)ଙ୍କ ଲୁଗା, ଡାହୁକର ପୋଷାକ, ଶେଜ ତକିଆ ୧୮ଟି ପାଇଁ କପଡା, ୩ଟି ଗଦି ପାଇଁ କପଡ଼ା, ପଲଙ୍କ ବୁଣା ଇତ୍ୟାଦି କାର୍ଯ୍ୟ ରଥରେ ହୋଇଥାଏ ବୋଲି ପ୍ରମୋଦ ମହାରଣା କହିଛନ୍ତି। ବଳଦେବଜୀଉ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ କହିଛନ୍ତି ପ୍ରମୋଦ ମହାରଣାଙ୍କ ପରିବାର ବହୁ କାଳରୁ ଏହି କାମ କରି ଆସୁଛନ୍ତି। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପାରିଶ୍ରମିକ ଯୋଗାଇ ଦିଆଯାଇଥାଏ। ରଥରେ ବ୍ୟବହାର ହେଉଥିବା କପଡ଼ା ଏହି ପରିବାରକୁ ଯୋଗାଇ ଦିଆଯାଇଛି। ଜ୍ୟୋଷ୍ଠ ପୂର୍ଣ୍ଣିମା ଠାରୁ ରଥ କପଡ଼ା ତିଆରି କାମ ଆରମ୍ଭ ହୋଇଛି। ଶ୍ରୀଗୁଣ୍ଡିଚା ଦିନ ଏହି କାର୍ଯ୍ୟ ଶେଷ ହେବ। ଏହାପରେ ଭକ୍ତମାନେ ରଥ ଦର୍ଶନ କରିବେ ବୋଲି ଶ୍ରୀ ପତ୍ରୀ କହିଛନ୍ତି।

କୁନି ଦରଜୀ ମୟଙ୍କ

ଏହି ଦରଜୀ ସେବକ ପରିବାରର କୁନି ସେବକ ହେଉଛନ୍ତି ମୟଙ୍କ। ମୟଙ୍କର ବୟସ ହେଉଛି ମାତ୍ର ୧୦। ହେଲେ ଏହି କୁନି ବୟସରୁ ସେ ରଥ କପଡ଼ା ସିଲେଇ କାମ ଶିଖି ଗଲାଣି ବୋଲି କହିଛନ୍ତି ମୁଖ୍ୟ ସେବକ ପ୍ରମୋଦ ମହାରଣା। ସେ କହିଛନ୍ତି ଆମ ପରିବାରର ଏହା ପାରମ୍ପାରିକ ସେବା ହୋଇଥିବାରୁ ଘରର ପିଲାମାନେ ପିଲା ଦିନରୁ ଏହି କାମ ଶିଖିଥାନ୍ତି। ଆମେମାନେ ମଧ୍ୟ ଏହି ବୟସରୁ ଆମ ବାପାଙ୍କ ଠାରୁ ଏହି କାମ ଶିଖିଥିଲୁ। ଠିକ ସେହିପରି ଆମ ପିଲାମାନେ ଏହି କାମ ଶିଖିଛନ୍ତି। ପିଲା ଓ ଘରର ମହିଳାମାନେ ଆମକୁ କାମରେ ସାହାଯ୍ୟ ନ କଲେ ଆମେ ୧୫ ଦିନ ମଧ୍ୟରେ ୬୦ ଫୁଟ୍‌ରୁ ଅଧିକ ଉଚ୍ଚତାର ରଥ ପାଇଁ କପଡ଼ା ପ୍ରସ୍ତୁତ କରିପାରିବା ନାହିଁ ବୋଲି ଶ୍ରୀ ମହାରଣା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.