Home କେନ୍ଦ୍ରାପଡ଼ା କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ‘ଏ’ ଗ୍ରେଡ ନାକ୍ ମାନ୍ୟତା ବଜାୟ ରଖିବାକୁ ଉପଯୁକ୍ତ ପ୍ରସ୍ତୁତି ଜରୁରୀ

କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ‘ଏ’ ଗ୍ରେଡ ନାକ୍ ମାନ୍ୟତା ବଜାୟ ରଖିବାକୁ ଉପଯୁକ୍ତ ପ୍ରସ୍ତୁତି ଜରୁରୀ

45

କେନ୍ଦ୍ରାପଡ଼ା, ୫ା୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ନାକ୍‌(ନ୍ୟାସନାଲ ଆସେସମେଣ୍ଟ ଓ ଆକ୍ରିଡିଟେସନ କାଉନସିଲ)ର ‘ଏ’ ଗ୍ରେଡ ମାନ୍ୟତା ବଜାୟ ରଖିବା ପାଇଁ ହେଲେ ଯୋରଦାର ପ୍ରସ୍ତୁତି ଏବେଠୁଁ ଆରମ୍ଭ କରାଯିବାର ଆବଶ୍ୟକତା ରହିଛିି। କଲେଜର ‘ଏ’ ଗ୍ରେଡ ନାକ୍ ମାନ୍ୟତା ବଜାୟ ରଖିବା ପାଇଁ ହେଲେ ମହାବିଦ୍ୟାଳୟକୁ ମୁଖ୍ୟତଃ ୱାଇ ଫାଇ କ୍ୟାମ୍ପସରେ ପରିଣତ କରିବାକୁ ପଡିବ। ଏଥିସହିତ ମହାବିଦ୍ୟାଳୟର କ୍ଲାସରୁମ ଗୁଡିକୁ ସ୍ମାର୍ଟ କ୍ଲାସରୁମରେ ପରିଣତ କରିବାକୁ ପଡିବ। କଲେଜରେ ଜିଓ ଟ୍ୟାଗ ଥିବା ସମ୍ମିଳନୀ କକ୍ଷ ପ୍ରସ୍ତୁତ କରାଯିବା ସହ ସ୍ୱତନ୍ତ୍ର କମ୍ପ୍ୟୁଟର ସେଲ କରିବାକୁ ପଡିବ। ସେହିପରି ବାୟୋ ଗ୍ୟାସ ପ୍ଲାଣ୍ଟ, ଇ-ୱେଷ୍ଟ ମ୍ୟାନେଜମେଣ୍ଟ କରାଯିବା ସହ ମହାବିଦ୍ୟାଳୟର ପଦାର୍ଥବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ଓ ଉଭିଦ୍ଦ ବିଜ୍ଞାନ ବିଭାଗରେ ଥିବା ଲାବୋରୋଟୋରୀକୁ ଉନ୍ନତ ମାନର କରାଯିବା ସହିତ ଗବେଷଣା କାର୍ଯ୍ୟକ୍ରମକୁ ମଧ୍ୟ ବୃଦ୍ଧି କରାଯିବା ଆବଶ୍ୟକ। ଏଥିସହିତ ବର୍ଷା ଜଳ ଅମଳ ବ୍ୟବସ୍ଥା କରାଯିବା, ସୌର ପ୍ଲାଣ୍ଟ କରାଯିବା, ମହାବିଦ୍ୟାଳୟରେ ବ୍ୟାଟେରୀ ଚାଳିତ ତିନିଚକିଆ ଗାଡି ଚାଲିବା ପାଇଁ କଲେଜ କ୍ୟାମ୍ପସକୁ ପ୍ରସ୍ତୁତ କରିବାକୁ ପଡିବ। ଏହାବ୍ୟତିତ କଲେଜରେ ବାଳକ କମନରୁମ, ପିଲାମାନଙ୍କ ପାଇଁ କ୍ୟାଣ୍ଟିନ, ଷ୍ଟାଫ କମନରୁମ ସହିତ କଲେଜ ପରିସରରେ ଥିବା ରାସ୍ତାର ଉନ୍ନତିକରଣ କରାଯିବା ଏବଂ କଲେଜର ପ୍ରତ୍ୟେକ ବିଭାଗରେ ଆବଶ୍ୟକ ତଥା ମଞ୍ଜୁରୀପ୍ରାପ୍ତ ଅଧ୍ୟାପକଙ୍କ ପଦବୀ ଗୁଡିକୁ ପୁରୁଣ କରାଯାଇପାରିଲେ ମହାବିଦ୍ୟାଳୟର ନାକ୍ ‘ଏ’ ଗ୍ରେଡ ବଜାୟ ରଖାଯାଇ ପାରିିବ ବୋଲି କଲେଜ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା କହିଛନ୍ତି। ଶ୍ରୀ ବେହେରା କହିଛନ୍ତି ଯେ ଏବେ ମହାବିଦ୍ୟାଳୟରେ ଶିକ୍ଷାଦାନ ଉପରେ ସେ ବିଶେଷ ଭାବେ ଧ୍ୟାନ ଦେଉଛନ୍ତି। ସେ ନିଜେ ମଧ୍ୟ କ୍ଲାସ ନେଉଛନ୍ତି। ଏଥିସହ ଅନ୍ୟ କ୍ଲାସ ଗୁଡିକ ହେଉଛି କି ନାହିଁ ସେ ପ୍ରତି ପିରିୟଡରେ ବୁଲି ଦେଖୁଛନ୍ତି। ଅନୁରୂପ ଭାବେ ମହାବିଦ୍ୟାଳୟର ‘ଏ’ ଗ୍ରେଡ ନାକ୍ ମାନ୍ୟତା ବଜାୟ ରଖରବା ପାଇଁ ପ୍ରସ୍ତୁତି ଯୋରଦାର ଆରମ୍ଭ କରାଯାଇଥିବା ସେ ସୂଚନା ଦେଇଛନ୍ତିିି। କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରାଙ୍କ ପରାମର୍ଶ କ୍ରମେ ସେ ଆବଶ୍ୟକ ପଦକ୍ଷେପ ନେଉଥିବା ମଧ୍ୟ କହିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ସମଗ୍ର ରାଜ୍ୟରେ ଏକ ବୃହତ ବେସରକାରୀ ମହାବିଦ୍ୟାଳୟ। ଏହି ମହାବିଦ୍ୟାଳୟରୁ ପାଠ ପଢି ବହୁ ଛାତ୍ରଛାତ୍ରୀ ଦେଶ ବିଦେଶରେ ସୁନାମ ଆଣିଦେଇଛନ୍ତି। ତେଣୁ କେବଳ ରାଜ୍ୟ ସ୍ତରରେ ନୁହେଁ ଜାତୀୟ ସ୍ତରରେ ମଧ୍ୟ କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ସୁନାମ ରହିଛି। ଏହି ମହାବିଦ୍ୟଳୟରେ ପିଜି ପାଠ୍ୟକ୍ରମ ମଧ୍ୟ ରହିଛି। ପୂର୍ବରୁ ଦୁଇ ଦୁଇ ଥର ନାକ୍ ‘ଏ’ ଗ୍ରେଡ ମାନ୍ୟତା ପାଇଥିବା ଏହି ମହାବିଦ୍ୟାଳୟ ଚଳିତଥର ଉପରୋକ୍ତ ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ଗ୍ରହଣ ନକଲେ ନାକ୍ର ‘ଏ’ ଗ୍ରେଡ ବଜାୟ ରଖିବା ହୁଏତ ସମ୍ଭବ ହୋଇନପାରେ। ତେଣୁ କଲେଜ ପରିଚାଳନା ପରିଷଦ ଏବଂ କେନ୍ଦ୍ରାପଡା ବିଧାୟକ ଏଥିପ୍ରତି ଆବଶ୍ୟକ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛିି। ୟୁଜିସି ଟିମ ୨୦୨୧ ଡିସେମ୍ବରରେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟକୁ ଗସ୍ତରେ ଆସିଥିଲେ। ସେମାନେ ମହାବିଦ୍ୟାଳୟର ଶୈକ୍ଷିକ ପରିବେଶ ଓ ଅନ୍ୟାନ୍ୟ ଭିତ୍ତିଭୂମି ଦେଖି ଫେରିଯାଇଛନ୍ତି। ଏଥିସହ କ୍ୟାମ୍ପସକୁ କିଭଳି ଭାବେ ଉନ୍ନତ କରାଯାଇ ପାରିବ ତାହାର ଏକ ରୋଡମ୍ୟାପ ମଧ୍ୟ କଲେଜକୁ ପ୍ରଦାନ କରିଛନ୍ତି। ସେହି ରୋଡମ୍ୟାପ ଅନୁଯାୟୀ ଆବଶ୍ୟକ ଯୋଜନା ପ୍ରସ୍ତୁତ କରି ପଦକ୍ଷେପ ଗ୍ରହଣ କରାନଗଲେ ରାଜ୍ୟର ସର୍ବପୁରାତନ କେନ୍ଦ୍ରାପଡା ମହାବିଦ୍ୟାଳୟ ଯେ ତା’ର ନାକ୍ ‘ଏ’ ଗ୍ରେଡ ମାନ୍ୟତା ନହରାଇବ ତାହା କହି ହେବ ନାହିଁ। ଏଥିନିମନ୍ତେ ଯଥାଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ କଲେଜର ପୁରାତନ ଛାତ୍ର ସଂସଦର ବହୁ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.