Home ଓଡ଼ିଶା କେନ୍ଦ୍ରାପଡ଼ାରେ ପୌର ନିର୍ବାଚନ ହେବା ନେଇ ଆଶଙ୍କା, ନୂଆ ଗେଜେଟ୍‌ରେ ସ୍ଥାନ ପାଇନାହିଁ ପୌରପାଳିକା

କେନ୍ଦ୍ରାପଡ଼ାରେ ପୌର ନିର୍ବାଚନ ହେବା ନେଇ ଆଶଙ୍କା, ନୂଆ ଗେଜେଟ୍‌ରେ ସ୍ଥାନ ପାଇନାହିଁ ପୌରପାଳିକା

31

କେନ୍ଦ୍ରାପଡ଼ା ୨୬ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ାରେ ପୌର ନିର୍ବାଚନ ହେବା ନେଇ ଆଶଙ୍କ ପ୍ରକାଶ ପାଇଛି। କାରଣ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ଗେଜେଟ୍‌ରେ କେନ୍ଦ୍ରାପଡ଼ା ପୌରପାଳିକା ନାମ ସ୍ଥାନ ପାଇନାହିଁ। ତେଣୁ କେନ୍ଦ୍ରାପଡ଼ାରେ ପୌର ନିର୍ବାଚନ ହେବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଛି। କେନ୍ଦ୍ରାପଡ଼ା ପୌରପାଳିକା ନିର୍ବାଚନ ନେଇ ୨୦୧୭ ମସିହାରେ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ସେହି ମାମଲାର ବିଚାର ଶେଷ ହୋଇନାହିଁ। ତେଣୁ ଯେ ପର୍ଯ୍ୟନ୍ତ ହାଇକୋର୍ଟରେ ମାମଲାର ବିଚାର ଶେଷ ହୋଇନାହିଁ ସେ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ପୌରପାଳିକା ନିର୍ବାଚନ ଝୁଲିକି ରହିଲା। ଏହାକୁ ନେଇ ଆଶାୟୀ କାଉନ୍‌ସିଲର ଓ ନଗରପାଳ ପ୍ରାର୍ଥୀମାନେ ଚିନ୍ତାରେ ପଡି ଯାଇଛନ୍ତି। କାରଣ କିଛିଦିନ ହେବ ଆଶାୟୀମାନେ ବେଶ ଉତ୍ସାହିତ ହୋଇ ପଡିଥିଲେ। ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ହେବ ବୋଲି ସେମାନେ ନିର୍ବାଚନ ମୈଦାନକୁ ଯିବା ପାଇଁ ପାଗ ଭିଡିଥିଲେ। ଏ ନେଇ ନିଜ ନିଜ ଦଳର ନେତାମାନଙ୍କ ସହ ଘନ ଘନ ବୈଠକର ଆୟୋଜନ କରୁଥିଲେ। ନେତାମାନେ ମଧ୍ୟ ସେମାନଙ୍କୁ ପ୍ରତିଶ୍ରୁତି ଦେଉଥିଲେ ଯେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କାହାକୁ ଟିକଟ ଦିଆଯିବ ତାହା ଚୁଡ଼ାନ୍ତ ହେବ। ହେଲେ ଏବେ ରାଜ୍ୟ ସରକାର ଯେଉଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସେଥିରେ କେନ୍ଦ୍ରାପଡ଼ାର ନାମ ନଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉକି ଗତ ୨୦୧୭ ମସିହାରେ ପୂର୍ବତନ କାଉନ୍‌ସିଲର ମୁକ୍ତାର ଖାଁ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ଦାୟର କରିଥିଲେ। ସେ କୋର୍ଟଙ୍କୁ ନିବେଦନ କରିଥିଲେ ଯେ ଗୋଟିଏ ୱାର୍ଡରୁ ଦୁଇଥର ଜଣେ ପ୍ରାର୍ଥୀ ଲଢିବାର ସୁଯୋଗ ପାଆନ୍ତୁ ଓ ଏଥିସହ ସୀମା ନିର୍ଦ୍ଧାରଣ କରାଯାଉ। କାରଣ ସୀମା ନିର୍ଦ୍ଧାରଣ ନ ହେବାରୁ ଗୋଟିଏ ସ୍ଥାନର ଲୋକ ଭୋଟ ଦେବା ପାଇଁ ୩ରୁ ୪ କିଲୋମିଟର ଯିବାକୁ ପଡୁଛି। ଏହାଦ୍ୱାରା ସମସ୍ୟା ସୃଷ୍ଟି ହେଉଛି। ଏହି ଆବେଦନ ଉପରେ ଉଚ୍ଚ ନ୍ୟାୟାଳୟ ସ୍ଥଗିତାଦେଶ ଜାରି କରିଥିଲେ। ନିର୍ବାଚନ ସଂକ୍ରାନ୍ତୀୟ ମାମଲା କୋର୍ଟରେ ବିଚାରାଧିନ ଥିବାରୁ ନୂଆ ଗେଜେଟ୍‌ରେ କେନ୍ଦ୍ରାପଡ଼ା ପୌରପାଳିକାର ନାମ ସ୍ଥାନ ପାଇ ନାହିଁ। ମାମଲାର ଚୁଡାନ୍ତ ଫଇସଲା ହୋଇ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେବା ପରେ ପୌର ନିର୍ବାଚନ ହେବ କି ନାହିଁ ତାହା ସ୍ପଷ୍ଟ ହେବ ବୋଲି ଜଣାପଡିଛି। କେନ୍ଦ୍ରାପଡ଼ା ପୌରପାଳିକାର ପ୍ରଶାସକ ଭାବେ ପୂର୍ବରୁ ଉପ ଜିଲାପାଳ ଥିବା ବେଳେ ଏବେ ଜିଲାପାଳଙ୍କୁ ପୌର ପ୍ରଶାସକ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ଉପ ଜିଲାପାଳଙ୍କୁ ପଟ୍ଟାମୁଣ୍ଡାଇ ପୌରପାଳିକାର ପ୍ରଶାସକ ଭାବେ ସରକାର ନିଯୁକ୍ତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.