Home Top News କେନ୍ଦ୍ରାପଡା ପୌର ନିର୍ବାଚନ ଫଳାଫଳ : ବିଜେଡି ୧୧, କଂଗ୍ରେସ ୫, ସ୍ୱାଧିନ ୪, ବିଜେପିକୁ...

କେନ୍ଦ୍ରାପଡା ପୌର ନିର୍ବାଚନ ଫଳାଫଳ : ବିଜେଡି ୧୧, କଂଗ୍ରେସ ୫, ସ୍ୱାଧିନ ୪, ବିଜେପିକୁ ୧ ସିଟ୍

43

କେନ୍ଦ୍ରାପଡ଼ା, ୨୬ା୩ (ଓଡ଼ିଆ ପୁଅ) : କେନ୍ଦ୍ରାପଡ଼ା ପୌର ନିର୍ବାଚନର ଫଳାଫଳ ଶନିବାର ପ୍ରକାଶ ପାଇଛି। କେନ୍ଦ୍ରାପଡ଼ା କଲେଜ ପରିସରରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ସୁଦ୍ଧା ଗଣତି ଶେଷ ହୋଇଯାଇଥିଲା। ବିଜେଡି ପ୍ରାର୍ଥୀ ସରିତା ସାହୁ ନଗରପାଳ ଭାବେ ୧୮, ୨୫୨ଭୋଟ୍ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ମୀନାକ୍ଷୀ ଦାଶ ୪୪୯୪ ଭୋଟ ପାଇ ଦ୍ୱିତୀୟ ଓ କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ବାରିକ ୩୭୮୦ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି। ବିଜେଡି ପ୍ରାର୍ଥୀ ଶ୍ରୀମତୀ ସାହୁଙ୍କ ୧୩୭୫୮ ଭୋଟ ବ୍ୟବଧାନରେ ବିଜୟ ହୋଇଛି। ପୌର କାଉନସିଲର ନିର୍ବାଚନରେ ବିଜେଡି ୧୧ଟି ସିଟ୍ ପାଇଥିବା ବେଳେ କଂଗ୍ରେସ ୫ଟି ଓ ବିଜେପିକୁ ଗୋଟିଏ ସିଟ୍‌ରେ ସନ୍ତୁଷ୍ଟ ହେବାକୁ ପଡିଛି। କିନ୍ତୁ ବିଜେଡିରୁ ଅସୁନ୍ତୁଷ୍ଟ ହୋଇ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିବା ପ୍ରାର୍ଥୀମାନେ ନିଜ ଦମ ଦେଖାଇ ୪ଟି ୱାର୍ଡରେ ନିଜର ଦମ ଦେଖେଇଛନ୍ତି। ୧ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ପୁଷ୍ପଲତା ବେହେରା ୭୨୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ୨ ନଂ.ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ କାଳୀପ୍ରସାଦ ମିଶ୍ର, (୮୨୦), ୩ ନଂ. ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ତୁଳସୀ ହେମ୍ବ୍ରମ(୩୩୨), ୪ ନଂ.ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ଶୁଭଶ୍ରୀ ନିବେଦିତା ସ୍ୱାଇଁ(୧୦୧୮), ୫ ନଂ. ୱାର୍ଡରେ ବିଜେଡି ପ୍ରାର୍ଥୀ ନିରାକାର ସ୍ୱାଇଁ (୭୦୩), ୬ ନଂ.ୱାର୍ଡରେ ବିଜେଡି ପ୍ରାର୍ଥୀ ପ୍ରଦୀପ୍ତ ଜେନା(୩୯୨), ୭ ନଂ.ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ଜୟନ୍ତୀ ପାଣି(୫୮୦), ୮ ନଂ.ୱାର୍ଡରେ ବିଜେଡି ପ୍ରାର୍ଥୀ ସ୍ମୃତିପ୍ରଜ୍ଞା ଶତପଥି (୬୭୦), ୯ ନଂ.ୱାର୍ଡରେ ବିଜେଡି ପ୍ରାର୍ଥୀ ଅଭୟ କୁମାର ବେହେରା (୬୯୯), ୧୦ ନଂ.ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ରଶ୍ମିତା ସିଂ(୫୩୧), ୧୧ ନଂ.ୱାର୍ଡରେ ବିଜେଡି ପ୍ରାର୍ଥୀ ପୁଷ୍ପାଞ୍ଜଳୀ ବସ୍ତିଆ(୧୦୩୪), ୧୨ ନଂ. ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ରିହାନା ଖାତୁନ(୫୬୧), ୧୩ ନଂ.ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ସେକ୍ ଅସଲମ(୯୧୫), ୧୪ ନଂ.ୱାର୍ଡରେ ବିଜେଡି ପ୍ରାର୍ଥୀ ଆକବରୀ ଖାତୁନ(୭୯୦), ୧୫ ନଂ.ୱାର୍ଡରେ ବିଜେଡି ପାର୍ଥୀ ହବିବା ବେଗମ(୯୬୨), ୧୬ ନଂ.ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ଫର୍ଜାନା ଖାତୁନ(୮୫୨), ୧୭ ନଂ. ୱାର୍ଡରେ ବିଜେଡି ପ୍ରାର୍ଥୀ ଉମେଶ ଚନ୍ଦ୍ର ନାୟକ(୯୦୧), ୧୮ ନଂ. ୱାର୍ଡରେ ବିଜେଡି ପ୍ରାର୍ଥୀ ଚୌଧୁରୀ ସୁକୁମାର ଦାସ(୮୧୯), ୧୯ ନଂ.ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ରମେଶ ଚନ୍ଦ୍ର ଦାସ(୫୦୭), ୨୦ ନଂ. ୱାର୍ଡରେ ବିଜେପି ପ୍ରାର୍ଥୀ ଅସୀମା ନାୟକ(୭୮୦), ୨୧ ନଂ. ୱାର୍ଡରେ ବିଜେଡି ପ୍ରାର୍ଥୀ ପ୍ରଭାଶିଷ ପଣ୍ଡା(୬୨୦) ଖଣ୍ଡ ଭୋଟ ପାଇ ବିଜୟୀ ପୌରସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।

ଇତିହାସ ସୃଷ୍ଟି କଲେ ସ୍ୱାଧୀନ ପ୍ରାର୍ଥୀ

ସର୍ବାଧିକ ଭୋଟ ବ୍ୟବଧାନରେ ଜିତି ଇତିହାସ ସୃଷ୍ଟି କରିଛନ୍ତି ୪ ନମ୍ବର ୱାର୍ଡର ସ୍ୱାଧୀନ କାଉନସିଲର ପ୍ରାର୍ଥୀ ଶୁଭଶ୍ରୀ ନିବେଦିତା ସ୍ୱାଇଁ। ସେ ୧୦୧୮ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ବିଜୟଲକ୍ଷ୍ମୀ ଜେନା ମାତ୍ର ୨୨୬ ଖଣ୍ଡ ଭୋଟ ପାଇଛନ୍ତି। ସେ ୭୯୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟଲାଭ କରିଛନ୍ତି। ପୌରାଞ୍ଚଳର ୨୧ଟି ୱାର୍ଡ ମଧ୍ୟରେ ଯେତେ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଶୁଭଶ୍ରୀ ନିବେଦିତା ସ୍ୱାଇଁ। ନିବେଦିତାଙ୍କ ସ୍ୱାମୀ ହେଉଛନ୍ତି ପୂର୍ବତନ କାଉନସିଲର ଦେବେନ୍ଦ୍ର ରାଉତ। ଶୁଭଶ୍ରୀ ନିବେଦିତାଙ୍କ ବିରୋଧରେ ବିଜେଡି ଜଣେ କୋଟି ପତି ପ୍ରାର୍ଥୀଙ୍କୁ ଟିକଟ ଦେଇଥିଲା। କିନ୍ତୁ ବିଜେଡିର ରଣକୌଶଳ ସେଠାରେ କାମ ଦେଇ ନ ଥିଲା। ତେଣୁ ନିବେଦିତା ସର୍ବାଧିକ ଭୋଟ ପାଇ ଇତିହାସ ରଚିଲେ ବୋଲି ୱାର୍ଡବାସୀ କହିଛନ୍ତି।

ଚର୍ଚ୍ଚାରେ ୱାର୍ଡ ନମ୍ବର ୩ ଓ ୮

କେନ୍ଦ୍ରାପଡ଼ା ପୌରାଞ୍ଚଳର ୱାର୍ଡ ନମ୍ବର ୩ ଓ ୱାର୍ଡ ନମ୍ବର ୮ ଏବେ ବେଶ ଚର୍ଚ୍ଚାରେ ରହିଛି। ୩ ନମ୍ବର ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ତୁଳସୀ ହେମ୍ବ୍ରମଙ୍କ ଠାରୁ ମାତ୍ର ୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡିର ମୁନି ସୋରେନ ହାରିଯାଇଛନ୍ତି। ତୁଳସୀ ୩୩୨ ଖଣ୍ଡ ଭୋଟ ପାଇଥିବା ବେଳେ ମୁନି ସୋରେନ ୩୨୬ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ୮ ନମ୍ବର ୱାର୍ଡର ବିଜେପି ପ୍ରାର୍ଥୀ ସସ୍ମିତା ସାହୁ ମାତ୍ର ୬ ଖଣ୍ଡ ଭୋଟରେ ପରାଜୟ ବରଣ କରିଛନ୍ତି। ସେ ୬୬୪ ଖଣ୍ଡ ଭୋଟ ପାଇଛନ୍ତି। ଏହି ୱାର୍ଡରେ ବିଜେଡିର ସ୍ମୃତିପ୍ରଜ୍ଞା ଶତପଥି ୬୭୦ ଭୋଟ ପାଇ ବିଜୟୀ ହୋଇଛନ୍ତି। ମାତ୍ର ୬ଖଣ୍ଡ ଭୋଟ ବ୍ୟବଧାନରେ ହାରିଥିବାରୁ ଏହି ୱାର୍ଡଟି ମଧ୍ୟ ଏବେ ରାଜନୈତିକ ମହଲରେ ଚର୍ଚ୍ଚାରେ ରହିଥିବା ଦେଖାଯାଇଛି।

୩ନମ୍ବର ୱାର୍ଡରେ ନୋଟାରେ ସର୍ବାଧିକ ୨୧୪ ଭୋଟ

୩ନମ୍ବର ୱାର୍ଡରେ ସର୍ବାଧିକ ୨୧୪ ଖଣ୍ଡ ଭୋଟ ନୋଟା(ନନ ଅଫ ଦି ଏବଭ)କୁ ଯାଇଛି। ଅର୍ଥାତ କୌଣସି ଦଳ କି ପ୍ରାର୍ଥୀଙ୍କୁ ଏହି ଭୋଟ ନ ଯାଇ ନୋଟା ଚିହ୍ନରେ ମୋହର ବାଜିଛି। ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ୱାର୍ଡଟି ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଥିଲା। ଏହି ୱାର୍ଡରେ ଅଧିକ ସଂଖ୍ୟକ ଲୋକ ଶିକ୍ଷିତ ଓ ଉଚ୍ଚ ବର୍ଗର ବାସ କରନ୍ତି। ତେଣୁ ସେମାନେ ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀଙ୍କୁ ବିରୋଧ କରି ନୋଟାରେ ଭୋଟ ଦେଇଥିବା ଚର୍ଚ୍ଚା ହେଉଛି। କାରଣ ୨୧ଟି ୱାର୍ଡ ମଧରୁ ଏହି ୱାର୍ଡକୁ ଛାଡିଦେଲେ କୌଣସି ଗୋଟିଏ ହେଲେ ୱାର୍ଡରେ ନୋଟାରେ ୨୦ରୁ ଅଧିକ ଭୋଟ ବାଜିନାହିଁ। ୫ଟି ୱାର୍ଡରେ ଗୋଟିଏ ହେଲେ ଭୋଟ ନୋଟାରେ ବାଜିନାହିଁ। ୩ ନଂ. ୱାର୍ଡକୁ ଛାଡି ବାକି ୧୫ଟି ୱାର୍ଡରେ ୧୦୧ଟି ଭୋଟ ନୋଟାରେ ପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.