Home ଓଡ଼ିଶା କେନ୍ଦ୍ରାପଡା ଜିଲ୍ଲାର ୩ଟି ବ୍ଲକରେ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ୪୧୭କୋଟି ମଞ୍ଜୁର :...

କେନ୍ଦ୍ରାପଡା ଜିଲ୍ଲାର ୩ଟି ବ୍ଲକରେ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ୪୧୭କୋଟି ମଞ୍ଜୁର : ଜିଲ୍ଲା ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

41

କେନ୍ଦ୍ରାପଡ଼ା, ୧୩ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ୩ଟି ବ୍ଲକ ପଟ୍ଟାମୁଣ୍ଡାଇ, ରାଜନଗର ଓ ଗରଦପୁର ପାଇଁ ୩ଟିି ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ୪୧୭କୋଟି ଟଙ୍କା ମଞ୍ଜୁର ନିମନ୍ତେ ମୁଖ୍ୟମନ୍ତ୍ରୀ ଅନୁମୋଦନ କରଛନ୍ତି। ସେଥିପାଇଁ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଅର୍ପଣ କରାଯାଇଛି। ଏହି ଉପଲକ୍ଷେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଦୁହୁରିଆ ନିକଟସ୍ଥ ଏକ ହୋଟେଲ ପରିସରରେ ବିଜେଡି ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡାଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସେହି ସାମ୍ବାଦିକ ସମ୍ମିଳନୀରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ, କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଓ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ପ୍ରତିନିଧି ସଞ୍ଜୟ କୁମାର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ସେହି ବୈଠକରେ ଜିଲ୍ଲା ସଭାପତି କହିଥିଲେ ଯେ ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇଦେବା ପାଇଁ ବିଜୁ ଜନତା ଦଳ ସଭାପତି ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିବଦ୍ଧ। କେନ୍ଦ୍ରାପଡା ଜିଲ୍ଲାରେ ୩ଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ୪୧୭କୋଟି ଟଙ୍କାରେ କାର୍ଯ୍ୟକାରୀ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ଜିଲ୍ଲାର ୩ଟି ବ୍ଲକ ଅଧିନରେ ଥିବା ୭୬ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୫୨୨ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୪ଲକ୍ଷ ୩୫ହଜାର ୧୯୦ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ। ସେଥିମଧ୍ୟରୁ ପଟ୍ଟାମୁଣ୍ଡାଇ ବ୍ଲକ ଅଧିନରେ ଥିବା ୨୯ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୩୮ଟି ଗ୍ରାମର ପ୍ରାୟ ଏକଲକ୍ଷ ୫୫ହଜାର ୩୩୪ ଜଣ, ରାଜନଗର ବ୍ଲକ ଅଧିନରେ ଥିବା ୨୯ଟି ଗ୍ରାମପଞ୍ଚାୟତର ୨୪୯ଟି ଗ୍ରାମର ପ୍ରାୟ ଏକଲକ୍ଷ ୬୮ହଜାର ୭୧୨ଜଣ ଓ ଗରଦପୁର ବ୍ଲକ ଅଧିନରେ ଥିବା ୧୮ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୩୫ଟି ଗ୍ରାମର ପ୍ରାୟ ଏକଲକ୍ଷ ୧୧ହଜାର ୧୪୪ ଜଣ ସାଧାରଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଉପକୃତ ହେବେ। ସମସ୍ତ ୩ଟି ପ୍ରକଳ୍ପକୁ ଆସନ୍ତା ୨୪ମାସ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ରାଜନଗର ବିଧାୟକ ଶ୍ରୀ ସାହୁ କହିଥିଲେ ଯେ ଆମ ମୁଖ୍ୟମନ୍ତ୍ରୀ ମୋଟ ୧୯୮.୮୧ କି.ମି. ଦୀର୍ଘ ଲୁଣାବନ୍ଧର ସୁଦୃଢୀକରଣ କାର୍ଯ୍ୟ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ସେହି ଲୁଣାବନ୍ଧ ଗୁଡିକୁ ବାତ୍ୟା ପ୍ରତିରୋଧକ ସ୍ତରକୁ ଅଣାଯାଇ ଘଣ୍ଟା ପ୍ରତି ୨୫୦କି.ମି. ବେଗରେ ବହୁଥିବା ବାତ୍ୟା, ଉଚ୍ଚ ଜୁଆର, ଲୁଣାପାଣି ମାଡିଯିବା ତଥା ବାତ୍ୟା ଦାଉରୁ ନିକଟସ୍ଥ ସ୍ଥଳଭାଗ ଓ ଜନବସତିକୁ ସୁରକ୍ଷା ପ୍ରଦାନ କରାଯିବ। ଏହି ଯୋଜନାଟି ଆମ ରାଜ୍ୟର ୪ଟି ବାତ୍ୟା ପ୍ରବଣ ଉପକୂଳବର୍ତ୍ତୀ ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ପୁରୀରେ କାର୍ଯ୍ୟକାରୀ କରାଯିବା ପାଇଁ ୭୬୩କୋଟି ୪୮ଲକ୍ଷ ଟଙ୍କା ବିଜୁ ଜନତା ଦଳ ସଭାପତି ତଥା ଓଡିଶାର ମୁଖ୍ୟମନ୍ତ୍ରୀ “ବାତ୍ୟା ପ୍ରତିରୋଧକ ଲୁଣା ବନ୍ଧ ପ୍ରକଳ୍ପ” ମଞ୍ଜୁର କରିଛନ୍ତି। ଏହା ୨୦୨୨-୨୩ ଆର୍ଥିକ ବର୍ଷରେ ଆରମ୍ଭ କରାଯାଇ ୨୦୨୪-୨୫ ଆର୍ଥିକ ବର୍ଷରେ ସମ୍ପୂର୍ଣ୍ଣ କରାଯିବ। ଏହାଦ୍ୱାରା ବାଲେଶ୍ୱର ଜିଲ୍ଲାର ବାଲେଶ୍ୱର, ଭୋଗରାଇ ଏବଂ ରେମୁଣା ବ୍ଲକ, ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ, କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଏବଂ ମହାକାଳପଡା ବ୍ଲକ ଓ ପୁରୀ ଜିଲ୍ଲାର କାକଟପୁର, ଅସ୍ତରଙ୍ଗ ଏବଂ କୃଷ୍ଣପ୍ରସାଦ ବ୍ଲକର ୨୧ହଜାର ୬୯୦ ହେକ୍ଟର ଚାଷ ଜମିକୁ ବନ୍ୟା ଓ ଲୁଣା ପାଣି ମାଡିଯିବାରୁ ରକ୍ଷା କରାଯିବା ସହିତ ୧୩୬ଟି ଗ୍ରାମରେ ବସବାସ କରୁଥିବା ୩ଲକ୍ଷରୁ ଉର୍ଦ୍ଧ୍ୱ ପରିବାରଙ୍କ ଧନଜୀବନ ସୁରକ୍ଷିତ ରହିବ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, କେନ୍ଦ୍ରାପଡା ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ବରିଷ୍ଠ ବିଜେଡି ନେତା ଦେବଦାସ ମହାନ୍ତି, ଯୁବନେତା ରାଜେଶ ପଣ୍ଡା, ହିରଣ୍ୟ ପଣ୍ଡା, ଆଲୋକ ସାହୁ, ଦେବାଶିଷ କୁବେରଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.