Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ଦାବିରେ ରାଜଭବନ ସମ୍ମୁଖରେ ଗଣଧାରଣା

କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ଦାବିରେ ରାଜଭବନ ସମ୍ମୁଖରେ ଗଣଧାରଣା

14

କେନ୍ଦ୍ରାପଡ଼ା, ୨୮ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଏକ ଆର୍ଥିକ ଅନଗ୍ରସର ଜିଲ୍ଲା। ଏହି ଜିଲ୍ଲାର ଲୋକମାନଙ୍କର ମୁଖ୍ୟ ଜୀବିକା କୃଷି ହୋଇଥିଲେ ମଧ୍ୟ ଜଳସେଚନ, ଜଳନିଷ୍କାସନ, କୃଷି ଉତ୍ପାଦନ ଗୁଡିକର ସଂରକ୍ଷଣ ଓ ପ୍ରକ୍ରିୟାକରଣ ପ୍ରଭୃତି ଆବଶ୍ୟକ କୃଷି ଭିତ୍ତିଭୂମିର ଅଭାବ ସାଙ୍ଗକୁ ଅଭାବୀ ବିକ୍ରୀ ଓ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଆମର କୃଷି ଓ କୃଷକ ଆଜି ବିପନ୍ନ। ଶିଳ୍ପ ବିହୀନ ଏହି ଜିଲ୍ଲାରେ ନିଯୁକ୍ତି ସୁଯୋଗର ଅଭାବରୁ ପ୍ରାୟ ୮୦ପ୍ରତିଶତ ଯୁବକ ଦାଦନ ଖଟିବାକୁ ଦେଶଠାରୁ ବିଦେଶ ଯାଏଁ ଘୁରି ବୁଲୁଛନ୍ତି। ଦାରିଦ୍ର‌୍ୟ ଓ ଅନଗ୍ରସରତା କାରଣରୁ ଏହି ଜିଲ୍ଲା ମୁଣ୍ଡପିଛା ଆୟରେ ରାଜ୍ୟର ୨୯ତମ ଜିଲ୍ଲା ଭାବେ ସ୍ଥାନିିତ। ସବୁଠାରୁ ବିଡମ୍ବନାର କଥା ହେଲା ଶିଳ୍ପ ବିହୀନ ହୋଇ ମଧ୍ୟ ଏହି ଜିଲ୍ଲା ଶିଳ୍ପର ଯାତନା ଭୋଗେ। ଏହାର ଉପକଣ୍ଠରେ ଥିବା ପାରାଦୀପ ଶିଳ୍ପାଞ୍ଚଳ ଓ ରାଜ୍ୟର ଖଣିଜ ଏବଂ ଶିଳ୍ପ ସମୃଦ୍ଧ ଜିଲ୍ଲାକୁ ସଂଯୋଗ କରିବା ନିମିତ୍ତ ଦୈତାରୀ- ପାରାଦୀପ ତ୍ୱରିତ ରାଜପଥ ଓ ବର୍ତ୍ତମାନର ହରିଦାସପୁର-ପାରାଦୀପ ରେଳପଥ ପାଇଁ ଜିଲ୍ଲାବାସୀ ହରାଇଛନ୍ତି ହଜାର ହଜାର ଏକର ଚାଷଜମି ଓ ଭିଟାମାଟି। ସେହି ତ୍ୱରିତ ରାଜପଥ କାରଣରୁ ବାରମ୍ବାର ଦୂର୍ଘଟଣାର ଶିକାର ହେଉଥିବା ଜିଲ୍ଲାବାସୀଙ୍କ ପାଇଁ ଆଶୁ ଚିକିତ୍ସା ଅଭାବ ପ୍ରତିବର୍ଷ ଶତାଧିକ ଲୋକଙ୍କ ଜୀବନ ହାନୀ ବା ବିକଳାଙ୍ଗର କାରଣ ପାଲଟିଛି। ଏଥିସହିତ ପାରାଦୀପର ଶିଳ୍ପ କାରଖାନା ଗୁଡିକରୁ ନିଷ୍କାସିତ ବର୍ଜ୍ୟବସ୍ତୁ ତଥା ବିଷାକ୍ତ ଗ୍ୟାସ ପାଇଁ ଏହି ଜିଲ୍ଲାର ହଜାର ହଜାର ଅଧିବାସୀ ହୃଦରୋଗ, ଚର୍ମରୋଗ ଓ ଯକ୍ଷ୍ମା ଭଳି ଅନେକ ଦୁରାରୋଗ୍ୟରେ ପୀଡିତ ହେଉଥିଲେ ମଧ୍ୟ ଉନ୍ନତ ଚିକିତ୍ସା ଲାଭର ସୁଯୋଗରୁ ବଞ୍ଚିତ। ଜିଲ୍ଲାର ଚିକିତ୍ସା ବ୍ୟବସ୍ଥା ଅତ୍ୟନ୍ତ ଦୟନୀୟ ସ୍ଥିତିରେ। ଜାତୀୟ ସ୍ତରରେ ପ୍ରତି ୧୦୮୫ ଲୋକଙ୍କ ପାଇଁ ଜଣେ ଡାକ୍ତର ଥିବା ସ୍ଥଳେ ଆମ ଜିଲ୍ଲାରେ ସମସ୍ତ ପ୍ରକାର ସରକାରୀ ଡାକ୍ତରଖାନାରେ ଏବେ ମାତ୍ର ୧୩୬ଜଣ ଡାକ୍ତର କାର୍ଯ୍ୟ କରନ୍ତି। ଏହା ଅନୁମୋଦିତ ପଦବୀ ସଂଖ୍ୟା ଠାରୁ ଏକ ତୃତୀୟାଂଶ କମ୍। ଷ୍ଟାଫନର୍ସମାନଙ୍କ ସଂଖ୍ୟା ଅନୁମୋଦିତ ସଂଖ୍ୟାର ଅଧାବି ନୁହେଁ। ୨୯୨ ସ୍ଥାନରେ ମାତ୍ର ଅଛନ୍ତି ୧୨୬ଜଣ। ଅନେକ ପିଏଚସି ଏବଂ ସିଏଚସି ବିନା ଡାକ୍ତରରେ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ହାତରେ ଅର୍ପିତ। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ମୁଖ୍ୟତଃ କ୍ୱାକ୍ ମାନଙ୍କ ଉପରେ ନିର୍ଭରଶୀଳ। ଏପରି ସ୍ଥିତିରେ ଆମ ଲୋକମାନେ ବାଧ୍ୟବାଧକତାରେ ଚିକିତ୍ସା ନିମନ୍ତେ ବାହାର ଜିଲ୍ଲାକୁ ଯାଆନ୍ତି ଏବଂ ସେଠାରେ ଆର୍ଥିକ ଶୋଷଣର ଶିକାର ହୋଇ ସର୍ବସ୍ୱାନ୍ତ ହେଉଛନ୍ତି। ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଏହି ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀମାନେ ସର୍ବ ଭାରତୀୟ ନିଟ ପରୀକ୍ଷାରେ ଉକୃଷ୍ଟତା ପ୍ରତିପାଦନ କରୁଥିଲେ ମଧ୍ୟ ଡାକ୍ତରୀ ଶିକ୍ଷା ପାଇଁ ଏଠାରେ ସୁଯୋଗର ଅଭାବରୁ ବାହାରକୁ ଯାଇ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି ଏବଂ ଅନେକ ଏଥିରୁ ସବୁଦିନ ପାଇଁ ବଞ୍ଚିତ ରହୁଛନ୍ତି। ସମଗ୍ର ରାଜ୍ୟର ବିକାଶ ନିମନ୍ତେ ଆମ ଜିଲ୍ଲାର ଅବଦାନ କୈାଣସି ଗୁଣରେ କମ୍ ନୁହେଁ। ହେଲେ ଏହା ବିକାଶ କ୍ଷେତ୍ରରେ ଅତ୍ୟନ୍ତ ଦୟନୀୟ ଭାବରେ ପଛରେ ପଡିଛି। ବିଗତ ୨୨ବର୍ଷ ମଧ୍ୟରେ ରାଜ୍ୟରେ ସରକାରୀ ମେଡିକାଲ କଲେଜ ସଂଖ୍ୟା ୩ରୁ ବୃଦ୍ଧି ପାଇ ୧୦ରେ ପହଞ୍ଚିଥିଲେ ମଧ୍ୟ ଆମ ଜିଲ୍ଲା ସେଥିରେ ସାମିଲ ନହୋଇ ପାରିବା ଅତ୍ୟନ୍ତ ପରିତାପର ବିଷୟ। ପ୍ରାୟ ୧୫ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଜିଲ୍ଲା ଆଜି ମେଡିକାଲ କଲେଜ ସହ ଉନ୍ନତ ଚିକିତ୍ସା ବ୍ୟବସ୍ଥା ତା’ର ପ୍ରାପ୍ୟ ବୋଲି ବିଚାର କରି ଦୃଢ ଦାବି ଉପସ୍ଥାପନ କରୁଛି। ଏଥିନିମନ୍ତେ କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ମିଳିତ କ୍ରୀୟାନୁଷ୍ଠାନ କମିଟି ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ଓ କର୍ମକର୍ତ୍ତାମାନଙ୍କ ବୈଠକ ବିଭିନ୍ନ ବ୍ଲକ ଅଞ୍ଚଳରେ ସଂଗଠିତ ହୋଇସାରିଛି। ଗ୍ରାମପଞ୍ଚାୟତ ଠାରୁ ଆରମ୍ଭ କରି ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ପ୍ରଭୃତି ନିର୍ବାଚିତ ସ୍ୱାୟତ୍ତ ସଂସ୍ଥା ଗୁଡିକରୁ ଏହି ଦାବିରେ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇ ପ୍ରେରିତ ହୋଇଛି। ଏହା ସତ୍ୱେ ସରକାର ଜିଲ୍ଲାବାସୀଙ୍କର ଏହି ନ୍ୟାୟୋଚିତ ଦାବି ପ୍ରତି ଟାଳଟୁଳ ନୀତି ପ୍ରଦର୍ଶନ କରିବା ଅତ୍ୟନ୍ତ ପରିତାପର ବିଷୟ। ବୁଧବାର ରାଜଭବନ ସମ୍ମୁଖରେ ଗଣଧାରଣା ପ୍ରଦାନ ସହ ରାଜ୍ୟ ଶାସନର ମୁଖ୍ୟ ରାଜ୍ୟପାଳଙ୍କୁ ଦାବିପତ୍ର ମାଧ୍ୟମରେ କେନ୍ଦ୍ରାପଡାବାସୀଙ୍କ ଏହି ନ୍ୟାୟୋଚିତ ଦାବି ସମ୍ପର୍କରେ ଯଥାଶୀଘ୍ର ନିଷ୍ପତ୍ତି ନେବାକୁ ଅନୁରୋଧ କରାଯାଇଛି। ଏହି ଉପଲକ୍ଷେ ରାଜଭବନ ସମ୍ମୁଖରେ ମେଡିକାଲ କଲେଜ ମିଳିତ କ୍ରୀୟାନୁଷ୍ଠାନ କମିଟି ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପ୍ରାକ୍ତନମନ୍ତ୍ରୀ ଗଣେଶ୍ୱର ବେହେରା, ପ୍ରାକ୍ତନ ବିଧାୟକ ରାଧାକାନ୍ତ ସେଠୀ, ଅଂଶୁମାନ ମହାନ୍ତି, ଚିନ୍ମୟ ପ୍ରସାଦ ବେହୁରା, ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ, ରାଜାରାମ ଶତପଥୀ, ଅରବିନ୍ଦ ଦାସ, ବିଜେଡି ନେତା ରବୀନ୍ଦ୍ର ସାମଲ, ବିଜେପି ନେତା ଭୁବନମୋହନ ଜେନା, ଡଃ. ଅଲେଖ ପଢିଆରୀ, ପ୍ରାଧ୍ୟାପକ ଅମୀୟ ମହାନ୍ତି, ଦୁର୍ଯ୍ୟୋଧନ ପରିଡା, ଗନ୍ଧର୍ବ ନାୟକ, ତେଜେଶ୍ୱର ପରିଡାଙ୍କ ସମେତ ସମସ୍ତ ବ୍ଲକର ପ୍ରତିନିଧିମାନେ ବକ୍ତବ୍ୟ ମାଧ୍ୟମରେ ଦ୍ରୁତଗାମୀ ଦାବି ଉପସ୍ଥାପନ କରିଥିଲେ। ଭାଗୀରଥି ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଗଣଧାରଣା ଶେଷ ହେବା ପରେ ଅଧ୍ୟାପକ ଶ୍ରୀ ସାମଲ, ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପ୍ରଫୁଲ୍ଲ ଦାସ, ଅମୀୟ ପାଣ୍ଡବ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳରେ ରାଜଭବନ ଯାଇ ଦାବିପତ୍ର ପ୍ରଦାନ କରିଥିଲେ। ଆଦିକନ୍ଦ ରାଉଳ, ମୁକ୍ତାର ଖାଁ, ସୋହାନା ବେଗମ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.