Home କେନ୍ଦ୍ରାପଡ଼ା କେନ୍ଦ୍ରାପଡାରେ ଭାଇଚାରା ନଷ୍ଟ ହେବା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ

କେନ୍ଦ୍ରାପଡାରେ ଭାଇଚାରା ନଷ୍ଟ ହେବା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ

72

କେନ୍ଦ୍ରାପଡା ୬/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲାରେ ପ୍ରଶାସନିକ ଦୂରଦୃଷ୍ଟି ଅଭାବରୁ ଭାଇଚାରା ନଷ୍ଟ ହେବା ଆଶଙ୍କା କରି ଜିଲ୍ଲା କଂଗ୍ରେସ ଓବିସି ସେଲର ସଭାପତି ବିଧୁଭୂଷଣ ମହାପାତ୍ର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ପାଇଁ ତାଙ୍କୁ ଭେଟି ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ କେନ୍ଦ୍ରାପଡା ଏକ ଭାଇଚାରାର ଜିଲ୍ଲା ଭାବରେ ଖ୍ୟାତି ରହିଥିବା ବେଳେ ଏଠାରେ କେତେକ ଘଟଣାକୁ ନେଇ ତାହା ବ୍ୟାହାତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ସେହି ଘଟଣା ଗୁଡିକୁ ଗୁରୁତ୍ୱ ସହକାରେ ନେବା ପାଇଁ ସେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଜିଲ୍ଲାର ପ୍ରତ୍ୟେକ ବ୍ଲକର ପ୍ରତି ପଂଚାୟତରେ ବିକାଶର ଧାରା ନାମରେ ଶିଶୁ ଉଦ୍ୟାନ, ପାର୍କ, ଖେଳପଡିଆ, ଷ୍ଟାଡିୟମ ଓ କଲ୍ୟାଣମଣ୍ଡପ ପ୍ରଭୃତି ନିର୍ମାଣ ଚାଲିଛି।

ଏଥିନିମନ୍ତେ ପଂଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆରଡିଏ) ପର୍ଯ୍ୟନ୍ତ କୈାଣସି ଠାରେ ଏଥିନିମନ୍ତେ ନିର୍ଦ୍ଦିଷ୍ଠ ଖସଡା ପ୍ରସ୍ତୁତ ହୋଇନାହିଁ। ବିନା ନକ୍ସା, ଏଷ୍ଟିମେଟ, ମଞ୍ଜୁରୀ ଓ ଯୋଜନାରେ ଏହିସବୁ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଏଥି ପାଇଁ ଗ୍ରାମପଂଚାୟତ ଗୁଡିକରେ କାର୍ଯ୍ୟ ନିର୍ବାହୀ ଚୟନ କରିବା, ସୂଚନା ଫଳକ ମରାଯିବା, ସୂଚନା ଫଳକରେ କାର୍ଯ୍ୟର ନକ୍ସା, ସାରଣୀ ଓ କାର୍ଯ୍ୟର ମାନ ଉଲ୍ଲେଖ ରହିବା କଥା। ମାତ୍ର ଏସବୁ କିଛି ନଥାଇ ନିର୍ମାଣ କାର୍ଯ୍ୟ କରାଯାଉଛି। ଏହାଦ୍ୱରା ସାଧାରଣ ଜନତାଙ୍କ ପକ୍ଷରୁ ଏନେଇ ପରଷ୍ପରକୁ ସନ୍ଦେହ କରିବା ସହ ପଂଚାୟତ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ ଫର୍ଦ୍ଦ ଦାଖଲ ହେବାରେ ଲାଗିଛି। ଏହାଦ୍ୱାରା ଗ୍ରାମାଚଂଳର ଗରୀବ ଖଟିଖିଆ ମୂଲିଆ ଜନତାଙ୍କ ମଧ୍ୟରେ ଅସୂୟା ମନୋଭାବ ସୃଷ୍ଟି ହେଉଛି। ଫଳରେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛି। ଏହାର ସଦ୍ୟତମ ଉଦାହରଣ ହେଉଛି ସୂଚନା ଅଧିକାର କର୍ମୀ ରଞ୍ଜନ ଦାସର ଅକାଳ ବିୟୋଗର ଘଟଣା। ଏଭଳି ହେବା ଦ୍ୱାରା ପରଷ୍ପର ଭିତରେ ଅସୂୟା ଭାବ ବୃଦ୍ଧି ହେବା ସହିତ ଗ୍ରାମର ସରକାରୀ ଗୋଚର ଜମି, ଶ୍ମଶାନ, କାଡାକେନାଲ, ପୋଖରୀ ହୁଡା, ଜଳାଶୟ ଗୁଡିକ ତା’ର ଅସ୍ତିତ୍ୱ ହରାଉଛି।

ତେଣୁ ଏସବୁକୁ ବିଚାରକୁ ନେଇ ଦୂରଦୃଷ୍ଟି ସମ୍ପନ୍ନ ଭାବରେ ପ୍ରଥମେ ନିର୍ମାଣ ପାଇଁ ଭୂମି ଚୟନ କରିବା, ପ୍ରକଳ୍ପର ନକ୍ସା ପ୍ରସ୍ତୁତ କରାଯିବା, ସାଧାରଣ ଲୋକଙ୍କ ଠାରୁ ମତାମତ ଓ ଅଭିଯୋଗ ଗ୍ରହଣ କରିବା, ପ୍ରକଳ୍ପ ଗୁଡିକରେ ଉନ୍ନତମାନର ସାମଗ୍ରୀ ବ୍ୟବହୃତ କରି ସୁଦୃଢ ପ୍ରକଳ୍ପ ସ୍ଥାପନ କଲେ ଏବଂ ସରକାରୀ ନୀତିନିୟମରେ ଅଧରକ ଅର୍ଥ ବ୍ୟୟବରାଦ ହେଉଥିବା ପ୍ରକଳ୍ପ ନିମନ୍ତେ ଟେଣ୍ଡର ବ୍ୟବସ୍ଥା କରାଗଲେ ଜନସାଧାରଣଙ୍କ ମଧ୍ୟରେ ଆଉ ସନ୍ଦେହ ରହିବ ନାହିଁ। ଫଳରେ ତଳସ୍ତରର କର୍ମଚାରୀ ଯଥା କନିଷ୍ଠ ଯନ୍ତ୍ରୀ, ପିଇଓ ଏବଂ ଜିଆରଏସମାନେ ସୁରକ୍ଷିତ ରହିବା ସହିତ ସରପଂଚ, ୱାର୍ଡମେମ୍ବର, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟମାନେ ସାଧାରଣ ଲୋକଙ୍କ ଠାରୁ ଅସୂୟା ପରିବର୍ତ୍ତେ ଯଥେଷ୍ଟ ସମ୍ମାନ ପାଇପାରିବେ। ଭବିଷ୍ୟତରେ ଏଥିପାଇଁ ଘର ଘର ଓ ଗାଁ ଗାଁ ମଧ୍ୟରେ ମାଲିମକ୍କଦ୍ଦମା ନହୋଇ ଭାଇଚାରାର ସୁସ୍ଥ ବାତାବରଣ ସୃଷ୍ଟି ହୋଇପାରିବ ବୋଲି ଜିଲ୍ଲା କଂଗ୍ରେସ ଓବିସି ସେଲର ସଭାପତି ଶ୍ରୀ ମହାପାତ୍ର ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.