Home କେନ୍ଦ୍ରାପଡ଼ା କେନ୍ଦ୍ରାପଡାକଲେଜ ଇଂରାଜୀସମ୍ମାନ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

କେନ୍ଦ୍ରାପଡାକଲେଜ ଇଂରାଜୀସମ୍ମାନ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

102

କେନ୍ଦ୍ରାପଡା ୨୩/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ରବିବାର ପୂର୍ବାହ୍ନରେ “ଉପନିବେଶ ଯୁଗରୁ ଜଗତୀକରଣ ପର୍ଯ୍ୟନ୍ତ ଭାରତୀୟ ଇଂରାଜୀ ରଚନା” ଶୀର୍ଷକ ଆଲୋଚନାଚକ୍ର କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ବିଷୟ ବିଶାରଦ ଭାବରେ ଭୁବନେଶ୍ୱରସ୍ଥିତ ବିଜେବି ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ଜାତୀୟ ଉପଦେଷ୍ଟା କମିଟିର ସଦସ୍ୟ ଡଃ.ଶୁଭେନ୍ଦୁ ମୁଣ୍ଡ ଏବଂ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଆସୋସିଏଟ ପ୍ରଫେସର ଡଃ.ଶ୍ରୁତି ଦାଶ ଯୋଗଦେଇ ଭାରତୀୟ ଗଳ୍ପ, ଉପନ୍ୟାସ ଓ ଅନ୍ୟାନ୍ୟ ରଚନା ବିଶ୍ୱ ସାହିତ୍ୟକୁ ପ୍ରଭାବିତ ଓ ସମୃଦ୍ଧ କରିଛି ବୋଲି ମତବ୍ୟକ୍ତ କରିଥିଲେ।

ଇଂରାଜୀ ସାହିତ୍ୟର ଅନେକ ପୂର୍ବରୁ ଓଡିଆ ସାହିତ୍ୟ ତା’ର ବୁନିଆଦ ଶାରଳା ଦାସଙ୍କ ସମୟରୁ ଆରମ୍ଭ ହୋଇସାରିଥିଲା। ଭାରତୀୟ ସାହିତ୍ୟ କେବେବି ଅନ୍ଧାରରେ ନଥିଲା ବରଂ ଇଂରାଜୀ ଭାଷାରେ ଭାରତୀୟ ଲେଖକମାନେ ନିଜର ସ୍ୱତନ୍ତ୍ର ପରିଚୟ ଓ ସ୍ୱାତନ୍ତ୍ର‌୍ୟତା ଜାହିର କରିପାରିଛନ୍ତି। ଏହି କ୍ରମରେ ସେ ରାଜା ରାଓ, ଆର.କେ.ନାରାୟଣ, ସରୋଜିନୀ ନାଇଡୁ, ଜୟନ୍ତ ମହାପାତ୍ର, ଅରବିନ୍ଦ ଆଡିଶା, ଅରୁନ୍ଧତି ରାୟ ଓ ଅମିତଇ ଘୋଷଙ୍କ ଅବଦାନ ସମ୍ପର୍କରେ ସୂଚନା ଦେଇଥିଲେ। ଏବେ ଭାରତୀୟ ଇଂରାଜୀ ଲେଖକମାନେ ସାହିତ୍ୟର ବିଭିନ୍ନ ବିଭାଗରେ ସେମାନଙ୍କ ସାରସ୍ୱତ ସୃଷ୍ଟିର ବଳିଷ୍ଠ ସ୍ୱାକ୍ଷର ରଖିପାରିଛନ୍ତି ଓ ପୃଥିବୀ ପ୍ରେକ୍ଷାପଟରେ ଏକ ସମ୍ମାନ ଜନକ ସ୍ଥିତି ସୃଷ୍ଟି କରିଛନ୍ତି। ବିଭାଗୀୟ ମୁଖ୍ୟ ପ୍ରଫେସର ସେକ ସାହାବୁଦ୍ଦିନ ଅଲ୍ଲୀ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ବେଳେ ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ସଂକ୍ଷିପ୍ତ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଅଧ୍ୟାପିକା ପୂର୍ବାଶା ପ୍ରିୟଦର୍ଶିନୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମେଜର ମନୋରଞ୍ଜନ ମହାନ୍ତି ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ ଓ ଅଧ୍ୟାପିକା ପ୍ରଭାମୟୀ ସାମନ୍ତରାୟ ମଂଚ ସଂଚାଳନ କରିଥିଲେ। ପ୍ରାଧ୍ୟାପକ ତ୍ରିଲୋଚନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନାଚକ୍ରରେ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡଃ.ରାମଚନ୍ଦ୍ର ବେହେରା, ଡଃ. ସେକ ସମସୁର ଓ ବିଭିନ୍ନ ମହାବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପକ, ଅଧ୍ୟାପିକା, ଉଦ୍ୟୋକ୍ତା ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.