Home ଓଡ଼ିଶା କେନ୍ଦୁଝର: ସମାଜ ଓ ଦେଶର ବିକାଶରେ ବ୍ୟାଙ୍କ ଏବଂ କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ – ଝାରଖଣ୍ଡ...

କେନ୍ଦୁଝର: ସମାଜ ଓ ଦେଶର ବିକାଶରେ ବ୍ୟାଙ୍କ ଏବଂ କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ – ଝାରଖଣ୍ଡ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ

186

ଅଖିଳ ଭାରତୀୟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏସ୍ସି/ଏସ୍ଟି/ଓବିସି କର୍ମଚାରୀ ସଂଘ, ଓଡିଶା ୟୁନିଟର ଦ୍ୱାଦଶ ତ୍ରୈବାର୍ଷିକ ସାଧାରଣ ପରିଷଦ ବୈଠକ :

କେନ୍ଦୁଝର ୧୧.୩.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ସମାଜ ଓ ଦେଶର ବିକାଶରେ ବ୍ୟାଙ୍କ ଏବଂ ବ୍ୟାଙ୍କ କର୍ମଚାରୀମାନଙ୍କର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି ମାନ୍ୟବର ଝାରଖଣ୍ଡ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କହିଛନ୍ତି। ରବିବାର ଦିନ ପୂର୍ବାହ୍ନରେ ଜିଲ୍ଲା ସଦର ମହକୁମାସ୍ଥିତ ଉତ୍ସବ ମଣ୍ଡପଠାରେ ଅଖିଳ ଭାରତୀୟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏସ୍ସି/ଏସ୍ଟି/ଓବିସି କର୍ମଚାରୀ ସଂଘ, ଓଡିଶା ୟୁନିଟର ଦ୍ୱାଦଶ ତ୍ରୈବାର୍ଷିକ ସାଧାରଣ ପରିଷଦ ବୈଠକକୁ ଉଦ୍ଘାଟନ କରି ମାନ୍ୟବର ଝାରଖଣ୍ଡ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହି ମତବ୍ୟକ୍ତ କରିବା ସହିତ ଗାଁ ଗହଳିର ଲୋକମାନଙ୍କୁ ଅଧିକ ସଂଖ୍ୟାରେ ବ୍ୟାଙ୍କ ସହିତ ଯୋଡି ସେମାନଙ୍କର ସାମାଜିକ ଓ ଆର୍ଥିକ ଅଭିବୃଦ୍ଧି ଦିଗରେ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ। ଏହି ଅବସରରେ ସମସ୍ତ କର୍ମକର୍ତା ଓ କର୍ମଚାରୀମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ଉଦବୋଧନ ଛଳରେ କହିଥିଲେ ଯେ, କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ ବ୍ୟାଙ୍କ ଜନସାଧାରଣଙ୍କର ଜୀବନର ଅବିଛେଦ୍ୟ ଅଙ୍ଗ ପାଲଟିଛି। ପ୍ରଥମେ ଜନସାଧାରଣଙ୍କର ଅର୍ଜିତ ଧନସମ୍ପତିର ସୁରକ୍ଷା ପାଇଁ ବ୍ୟାଙ୍କ ପ୍ରତିଷ୍ଠା ହୋଇଥିଲା। କିନ୍ତୁ ଅଧୂନା ବ୍ୟାଙ୍କର କାର୍ଯ୍ୟ ପରିସର ବ୍ୟାପକ ହୋଇଛି। ସରକାରଙ୍କର ବିଭିନ୍ନ ଯୋଜନା ବ୍ୟାଙ୍କ ମାଧ୍ୟମରେ କାର୍ଯ୍ୟକାରୀ ହେବା ଫଳରେ ଅଧିକ ସଂଖ୍ୟାରେ ଲୋକମାନେ ବ୍ୟାଙ୍କ ସହିତ ଯୋଡି ହେଉଛନ୍ତି। ପରିତାପର ବିଷୟ ଯେ ଏପର୍ଯ୍ୟନ୍ତ ସଚେତନତା ଅଭାବରୁ ଗ୍ରାମାଞ୍ଚଳର ଅନେକ ଲୋକ ଏପରି ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଏଣୁ ବ୍ୟାଙ୍କ କର୍ମଚାରୀମାନେ ନିଜର ଦାୟିତ୍ୱବୋଧ ନିର୍ବାହ କରି ଗାଁକୁ ଗାଁ ବୁଲି ସଚେତନତା ସୃଷ୍ଟି କରିବା ସହ ସମସ୍ତ ଲୋକଙ୍କୁ ବ୍ୟାଙ୍କ ସହିତ ଯୋଡି ସରକାରଙ୍କର ବିଭିନ୍ନ ଯୋଜନାର ସୁଫଳ ନେବାକୁ ପ୍ରବର୍ତ୍ତାଇବା ନିମନ୍ତେ ଅଙ୍ଗୀକାରବଦ୍ଧ ହୋଇ କାର୍ଯ୍ୟ କଲେ ସମାଜ ଓ ଦେଶର ଅଶେଷ କଲ୍ୟାଣ ସାଧିତ ହୋଇପାରିବ। ଏସ୍ଟି/ଏସ୍ସି ଓ ପଛୁଆବର୍ଗ ଲୋକମାନଙ୍କର ସାମାଜିକ, ଆର୍ଥିକ ବିକାଶ ନିମନ୍ତେ ମହାପୁରୁଷ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜୀବନବ୍ୟାପୀ ଉଦ୍ୟମକୁ ସ୍ମରଣ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ଏବଂ ଡ଼ଃ ଆମ୍ବେଦକରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବ୍ୟାଙ୍କ କର୍ମଚାରୀମାନେ ଜନସାଧାରଣଙ୍କୁ ମୂଲ୍ୟବୋଧଭିତିକ ସେବା ଯୋଗାଇ ଦେବାକୁ ଆହ୍ୱାନ ଜଣାଇଥିଲେ। କୃଷି ଓ କୃଷକର ଉନ୍ନତି ପାଇଁ ଋଣ ପ୍ରଦାନ ସହ ସମନ୍ୱିତ ବିକାଶ ପାଇଁ ବିଭିନ୍ନ ବିଭାଗ ସହ ଉତମ ସମନ୍ୱୟ ରକ୍ଷା କରିପାରିଲେ କୃଷକମାନେ ଅଧିକ ଲାଭବାନ ହୋଇପାରିବେ। ସ୍ୱାଧିନତାର ସତୁରୀବର୍ଷ ପରେ ମଧ୍ୟ ଅନେକ ଲୋକ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ବ୍ୟାଙ୍କ ସେବା ସଂପର୍କରେ ଜାଣିପାରିନାହାଁନ୍ତି। ଏଣୁ ସେମାନଙ୍କୁ ସଚେତନ କରାଇବା ସହ ବ୍ୟାଙ୍କ ସହ ଜଡିତ କରିବା ନିମନ୍ତେ ସମସ୍ତେ ସାମାଜିକ ଦାୟିତ୍ୱବୋଧ ନିଭାଇବାକୁ ମାନ୍ୟବର ଝାରଖଣ୍ଡ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆହ୍ୱାନ ଜଣାଇଥିଲେ। ମାନ୍ୟବର ଝାରଖଣ୍ଡ ରାଜ୍ୟପାଳଙ୍କୁ ଅଖିଳ ଭାରତୀୟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏସ୍ସି/ଏସ୍ଟି/ଓବିସି କର୍ମଚାରୀ ସଂଘ ତରଫରୁ ଏହି ଅବସରରେ ଉପଢୌକନ ପ୍ରଦାନ କରାଯାଇଥିଲା। ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କମଳିନୀ ପାତ୍ର, ଭୁବନେଶ୍ୱର ଜୋନର ଡିଜିଏମ୍ ତଥା ଜୋନାଲ ମ୍ୟାନେଜର ଅମୀତ ରାୟ, ସଂଘର ଓଡିଶା ୟୁନିଟର ସାଧାରଣ ସଂପାଦକ ମନୋରଞ୍ଜନ ଦାସ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଏମ୍ପ୍ଲୋଇଜ୍ ୟୁନିୟନ ଓଡିଶା ୟୁନିଟର ସାଧାରଣ ସଂପାଦକ ପ୍ରଦୀପ କୁମାର ପଟ୍ଟନାୟକ, ସଂଘର ଓଡିଶା ୟୁନିଟର ସଭାପତି ବିଭୀଷଣ ମଲ୍ଲିକ ଯୋଗ ଦେଇଥିବାବେଳେ କେନ୍ଦୁଝର ଜୋନର ଡିଜିଏମ୍ ତଥା ଜୋନାଲ ମ୍ୟାନେଜର ଈଶ୍ୱର ଚନ୍ଦ୍ର ମିଶ୍ର ବକ୍ତବ୍ୟ ପ୍ରଦାନ କରିଥିଲେ। ସଂଘର ଓଡିଶା ୟୁନିଟର ସାଧାରଣ ସଂପାଦକ ହରିଶଙ୍କର ନାଏକ ସ୍ୱାଗତଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏସ୍ସି/ଏସ୍ଟି/ଓବିସି କର୍ମଚାରୀ ସଂଘର ବିଭିନ୍ନ ରାଜ୍ୟର କର୍ମକର୍ତା ଯୋଗ ଦେଇଥିଲେ। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱ୍ୱାବଧାନରେ ମାନ୍ୟବର ଝାରଖଣ୍ଡ ରାଜ୍ୟପାଳଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ ସଫଳତାର ସହ ସଂପନ୍ନ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.