Home ଓଡ଼ିଶା କେନ୍ଦୁଝର ପୋଲିସର ଭୋକ ବିକଳରେ ତାଟିଆ କାମୁଡା : ସରକାରଙ୍କ ୫ ଟି କୁ ଫୁ...

କେନ୍ଦୁଝର ପୋଲିସର ଭୋକ ବିକଳରେ ତାଟିଆ କାମୁଡା : ସରକାରଙ୍କ ୫ ଟି କୁ ଫୁ ରେ ଉଡାଇଲା

237

– ବାପା ଛେଉଣ୍ଡ ଛାତ୍ରକୁ ବ୍ୟାଙ୍କରୁ ଉଠାଇ ଆଣି ଥାନାରେ ଦେଲା ସାଂଘାତିକ ମାନସିକ ନିର୍ଯ୍ୟାତନା
– ଦୋଷ ଲୁଚାଇବାକୁ ଯାଇ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ କ୍ୟାମେର ଛଡାଇ ନେଇ କଲା ଦୁର୍ବ୍ୟବହାର

କେନ୍ଦୁଝର, ୨୮ ଅକ୍ଟୋବର ୧୯ (ଓଡ଼ିଆ ପୁଅ) କେନ୍ଦୁଝର ଟାଉନ ପୋଲିସର ଭୋକ ବିକଳରେ ତାଟିଆ କାମୁଡା ଚରିତ୍ର ସାମ୍ନାକୁ ଆସିଛି। ସରକରଙ୍କ ୫ ଟି କାର୍ଯ୍ୟକ୍ରମକୁ ଫୁ ରେ ଉଡାଇଲା କେନ୍ଦୁଝର ଟାଉନ ପୋଲିସ। ଜଣେ ବାପା ଛେଉଣ୍ଡ ନିରୀହ ଛାତ୍ରକୁ ବ୍ୟାଙ୍କରୁ ଉଠାଇ ଆଣି ଥାନା ଭିତରେ ଦୀର୍ଘ ଆଠ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଦେଇଛନ୍ତି ସାଂଘାତିକ ମାନସିକ ନିର୍ଯ୍ୟାତନା। ଥାନା ହତା ଭିତରେ ଛାତ୍ର ଟିର ବିଧବା ମା ଓ ସାହୀର ମହିଳାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବା ସହ ଥାନା ହତା ବାହାରକୁ ତଡିବାକୁ ମଧ୍ୟ ଭୂଲି ନାହିଁ। ଏପରି କି ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ଫଟୋ ଉଠାଉଥିବା ଗଣ ମାଧ୍ୟମର ପ୍ରତିନିଧିଙ୍କ ଠାରୁ କ୍ୟାମେରା ଛଡାଇ ନେଇ ଭିଜୁଆଲକୁ ଡିଲିଟ୍ କରିବା ସହ ଅତି ଅଶାଳୀନ ଦୁର୍ବ୍ୟବହାର କରିବାକୁ ମଧ୍ୟ ପଛାଇଲା ନାହିଁ ଟାଉନ ପୋଲିସ।

କେନ୍ଦୁଝର ସହର ରେ ଏବେ ଦିନ କୁ ଦିନ ଦୋକାନ ଚୋରୀ ଠାରୁ ଆରମ୍ଭ କରି ମନ୍ଦିର ଚୋରୀ, ମୋଟର ସାଇକେଲ ଚୋରୀ, ଡକାୟତି, ଛିନତାଇ, ରୋଡ ରବରୀ, ହାଇେଓ୍ୟ ଲୁଟ ଆଦି ବଢିବାରେ ଲାଗିଛି। ଚୋରମାନେ ସ୍ଫଷ୍ଟ ଦିବା ଲୋକରେ ଟାଉନ ପୋଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ପୋଲିସ କୁ ଖୋଲା ଚ୍ୟାଲେଞ୍ଜ କରି ସ୍ପଷ୍ଟ ଦିବା ଲୋକ ରେ ବିଚ ରାସ୍ତା ଉପରେ ନିରୀହ ଲୋକଙ୍କ ଠାରୁ ଲୁଟ ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା ହେଲେ ବାହାଦୂର ସେମନାଙ୍କର ଟେର ବି ପାଉ ନାହିଁ। ପୋଲିସ ଚୋର ଧରିବାରେ ବିଫଳ ହେବା ସହ କେବଳ ଜଳକା ହୋଇ ଚାହଁ ରହିଛି। ଚଳିତ ମାସ ୫ ତାରିଖ ରେ ଟାଉନ ଥାନା ଠାରୁ ମାତ୍ର ୫୦୦ ମିଟର ଦୂର ରେ ଭାଲୁକିପାତଳା ସାହୀ ରୁ ସ୍ପଷ୍ଟ ଦିବା ଲୋକ ରେ ଜଣେ ମହିଳା ଙ୍କ ଠାରୁ ଲୁଟେରା ମାନେ ୨ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇ ଗଲେ। ହେଲେ ଟାଉନ ପୋଲିସ ଅଦ୍ୟବଧି ଲୁଟେରା ଙ୍କର ଗନ୍ଧ ସୁଦ୍ଧା ପାଇ ପାରି ନାହିଁ। ଆଉ କି ଦିନ କି ରାତି ସବୁ ବେଳେ ଲୁଟେରା ମାନେ ପୋଲସ କୁ ଚକମା ଦେଇ ଲୁଟ କରି ଖସି ଯାଉଥିବାରୁ ପୋଲସ ଏବେ ସାଧାରଣ ରେ କେବଳ ନିନ୍ଦିତ ହୋଇ ନାହିଁ ଅଧିକନ୍ତୁ ପୋଲିସ ଉପରୁ ଲୋକଙ୍କ ଭରସା ତୁଟିବାରେ ଲାଗିଛି। ଫଳରେ ପୋଲିସ ଏବେ ଯେଭଳି ରକ୍ତ ମୁଖା ହୋଇ ଉଠିଛି। ଆଉ ଯାହାକୁ ପାରୁଛି ତାକୁ ରାସ୍ତା ରୁ ଉଠାଇ ଆଣି ଚୋର ସଜାଇ ଦେଇ ନିଜ ର ଡ୍ୟାଜେଜ ହୋଇଥିବା ଇମେଜର ରିପେୟାର କରିବାରେ ଲାଗିପଡିଛି କେନ୍ଦୁଝର ଟାଉନ ପୋଲିସ। ସରକାର ଏବେ ୫ ଟି କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ସରକରାର ଙ୍କର ଏହି ୫ ଟି ଠିକ ଭାବରେ କାମ ହେଉଛି କି ନାହିଁ ବୋଲି ସଚିବ ମାନେ ଜିଲ୍ଲା କୁ ଜିଲ୍ଲା ବୁଲି ତଦାରଖ କରୁଛନ୍ତି। ଏବଂ ଯେଉଁଠି ତୃଟି ଦେଖୁଛନ୍ତି ସେଠାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆ ଯାଉଛି। ନିଜେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ, ପୋଲିସ ଡିଜି, ବିଭିନ୍ନ ଥାନା ବିଷୟ ରେ ଲୋକ ଙ୍କୁ ପଚାରି ବୁଝୁଥିବା ବିଶେଷ ଭାବେ ପ୍ରଚାରିତ ହେଉଛି। ହେଲେ ନିଜର ଅପାରଗତା କୁ ଲୁଚାଇବାକୁ ଯାଇ କେନ୍ଦୁଝର ଟାଉନ ପୋଲିସ ସରକରା ଙ୍କର ୫ ଟି କୁ ଫୁରେ ଉଡାଇ ଦେଇ ଯେଭଳି ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ କରିଥିବା ଦେଖିବାକୁ ମିଳିଛି।

ରାଇସୁଆଁ ଗାଁର ବାପ ଛେଉଣ୍ଡ ଚିନ୍ମୟ ରାଉତ ଯୁକ୍ତ ୩ ପରେ ଏବେ ବ୍ୟାଙ୍କିଙ୍ଗ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଶୁକ୍ରବାର ଦିନ ବୃନ୍ଧାବତୀ ଏସ୍ ଏଚ୍ ଜି ଗ୍ରୁପର ଟଙ୍କା ଡିପୋଜିଟ କରିବାକୁ କେନ୍ଦୁଝର ସହର ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କୁ ଆସିଥିଲେ। ହେଲେ ଚଳିତ ମାସ ୫ ତାରିଖ ରେ ସ୍ପଷ୍ଟ ଦିବାଲୋକ ରେ ହୋଇଥିବା ୨ ଲକ୍ଷ ଟଙ୍କା ଲୁଟ ର ଲୁଟେରା କୁ ଧରି ପାରୁ ନଥିବା ପୋଲିସ ନିଜର ଅପାରଗତା କୁ ଲୁଚାଇବାକୁ ଯାଇ ଚିନ୍ମୟ କୁ ସେହି ଲୁଟ କେଶ ରେ ସଂପୃକ୍ତ ଥିବା ଦର୍ଶାଇ ବ୍ୟାଙ୍କ ରୁ ଦିନ ପ୍ରାୟ ୧୦ ଟା ୩୦ ମିନଟ ସମୟରେ ଟାଉନ ଥାନାକୁ ଉଠାଇ ଆଣିଲା। ଚିନ୍ମୟ ର କହିବା ଅନୁସାରେ ତାଠାରୁ ମୋବାଇଲ ଟି ଛଡାଇ ନିଆଯିବା ସହ ତାକୁ ନିଜ ଘରକୁ ମଧ୍ୟ ଖବର ଦେବାକୁ ଦେଇ ନଥିଲେ ପୋଲିସ। ଆଉ ତାକୁ ଅତି ଦୁର୍ଦ୍ଦାନ୍ତ ଆସାମୀ ଭଳି ବ୍ୟବହାର ମଧ୍ୟ କଲେ। ଆଉ ଯିଏ ଆସିଲା ତାକୁ ଦେଖି ଚୋର ଭଳି ଦିଶୁଥିବା କହି ତକୁ ମାନସିକ ସ୍ତରରେ ସାଂଘାତିକ ଭାବରେ ନିର୍ଯ୍ୟାତନା ଦେଇଥିଲେ। ଏପଟେ ପୁଅ ଘରକୁ ନ ଫେରିବାରୁ ଘର ଲୋକେ ତାକୁ ଅନେକ ଖୋଜା ଖୋଜି ପରେ ସାହୀର ଜଣେ ଲୋକଙ୍କ ଠାରୁ ସୂଚନା ପାଇ ପରିବାର ଲୋକେ, ବୃନ୍ଦାବତୀ ମହିଳା ଗ୍ରୁପର ମହିଳାଙ୍କ ସହ ଥାନାକୁ ଆସି ଘଟଣା ସଂପର୍କରେ ଜାଣିବାକୁ ଚାହିଁଥିଲେ। ହେଲେ ନିଜର ଦୋଷ ଦୁର୍ବଳତା ଲୁଚାଇବାକୁ ଯାଇ ପୋଲିସ ସରକରାର ଙ୍କର ୫ ଟି କଥା ଭୂଲିଗଲା। ଥାନା କୁ ଆସିଥିବା ମହିଳା ମାନଙ୍କୁ ମାନଙ୍କୁ ମଧ୍ୟ ଦୂର ଦୂର ମାର ମାର କରି ଥାନା ହତା ଭିତରୁ ବାହରିଯିବାକୁ ଧମକ ଚମକ ଦେଲା। ପୋଲିସ ବଳ ଲଗାଇ ଥାନା ହତା ଭିତରୁ ତଡିବାକୁ ଚେଷ୍ଟା କଲା। ମହିଳା ମାନେ ଅନ୍ୟ ଉପାୟ ନପାଇ ଗଣମାଧ୍ୟମର ର ସାହାଯ୍ୟ ଲୋଡିଥିଲେ। କାଳ ବିଳମ୍ବ ନକରି ଜଣେ ବୈଦ୍ୟୁତିକ ଗଣମାଧ୍ୟମର କ୍ୟାମେରା ମ୍ୟାନ ଟାଉନ ଥାନା ରେ ଯାଇ ପହଞ୍ଚିଥିଲେ। ପୋଲିସ ସେହି ସମୟରେ ମହିଳା ମାନଙ୍କୁ ଅତି ଖରାପ ବ୍ୟବହାର ପ୍ରଦର୍ଶନ କରୁଥିଲା ଓ ଥାନା ହତା ଭିତରୁ ବାହାରିଯିବାକୁ ଧମକ ଚମକ ଦେଉଥିଲା। କାଳ ବିଳମ୍ବ ନକରି ଗଣମାଧ୍ୟମ କ୍ୟାମେରାମ୍ୟାନ ନିଜ ମୋବାଇଲରେ ପୋଲସ କାର୍ଯ୍ୟ କଳାପର ରେକର୍ଡ କରିବା ଆରମ୍ଭ କରି ଦେଇଥିଲେ। ଥାହା ପୋଲିସକୁ ଅଧିକ ଉତ୍ୟକ୍ତ କରିଥିଲା। ଫଳରେ ପୋଲସ କ୍ୟାମେରାମ୍ୟାନ କୁ ଧମକ ଚମକ ଦେବା ସହ ଜଣେ ମହିଳା ସବ ଇନ୍ସପେକ୍ଟର ଦବଙ୍ଗଗିରୀ ଦେଖାଇ ମୋବାଇଲ ଛଡାଇ ନେବା ସହ ଭିଜୁଆଲ ସବୁ ଡିଲିଟ କରି ଦେଇଥିଲେ। ଯେଉଥିରେ କି ସେହି ଥାନାର ଜଣେ ସବଇନ୍ସପେକ୍ଟଟର ଡ୍ରେସ ରେ ଥାଇ ମଦ ପିଉଥିବାର ସମେତ ଅନେକ ଭିଜୁଆଲ ରହିଥିଲା। ଏହାପରେ କ୍ୟାମେରାମ୍ୟାନକୁ ମଦୁଆ ସଜେଇ ଦେବା ଲକ୍ଷ୍ୟରେ ମଦ ମାପିବା ଯନ୍ତ୍ର ଆଣି ପାଟିରେ ପୁରାଇ ବାରମ୍ବାର ପରୀକ୍ଷା କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲେ। ଯେଉଁଠି ଗଣମାଧ୍ୟମର ପ୍ରତିନିଧି ଙ୍କୁ ପୋଲିସ ଏପରି ବ୍ୟବହାର କରୁଛି ସେଠି ସାଧାରଣ ଲୋକ ଟିଏ ପୋଲିସ ଠାରୁ ନ୍ୟାୟ କିଭଳି ନ୍ୟାୟ ପାଇବ ତାହା ଉପରେ ଏବେ ଉଠିଛି ବଡ ପ୍ରଶ୍ନ। ଗ୍ରୁପର ମହିଳା ମାନେ ଏସ୍ ପି ଙ୍କୁ ମଧ୍ୟ ଗୁହାରି କରିବାକୁ ଏସ୍ ପି ଅଫିସ ଯାଇଥିଲେ ମଧ୍ୟ ଏସ୍ ପି ଙ୍କୁ ନପାଇ ପୁଣି ଥାନାକୁ ଫେରିଥିଲେ। ଏହି ଖବର ପାଇ ଆଉ କିଛି ଗଣମାଧ୍ୟମ ପ୍ରତିନିଧି ଥାନା ରେ ପହଞ୍ଚିଥିଲେ। ପୋଲିସ ର ପାରିବା ପଣିଆ ପଦାରେ ପଡିଯିବା ଭୟରେ ପୋଲିସ ଚିନ୍ମୟ କୁ ଦୀର୍ଘ ୮ ଘଣ୍ଟାରୁ ଅଧିକ ସମୟ ପରେ ଥାନାରୁ ଛାଡି ଦିଆଯାଇଥିଲା।

ଏଠି ସବୁ ଠାରୁ ବଡ କଥା ହେଲା ପାଠଷାଠ ପଢି ଭଲ ଚାକିରୀ କରିବାର ସୁନେଲୀ ସ୍ୱପ୍ନ ଦେଖୁଥିବା ଚିନ୍ମୟ ଏବେ ମାନସିକ ସ୍ଥରରେ ଭାଙ୍ଗି ପଡିଛନ୍ତି। ବିନା ଦୋଷରେ ଥାନା ବାବୁ ମାନେ ତାକୁ ଥାନକୁ ଧରି ଆଣି ଦୀର୍ଘ ଆଠଘଣ୍ଟାରୁ ଅଧିକ ସମୟ ଧରିଆଣି ଅତି ନିର୍ଦ୍ଦୟ ଭାବରେ ସାଂଘାତିକ ମାନସିକ ନିର୍ଯ୍ୟାତନା ଦେଇଥିଲେ। ତାର ସାମାଜିକ ଜୀବନରେ ବଦନାମର ଦାଗ ଲଗାଇ ଦେଇଛି ପୋଲିସ। ଚିନ୍ମକୁ ପୋଲସ ଉଠାଇ ନେବାର ଖବର ସବୁଆଡେ ପ୍ରଚାର ହୋଇଯାଇଥିଲା। ଏବେ ସେ ସମାଜ ରେ କିପରି ମୁଣ୍ଡ ଟେକି ଚାଲିବ ଏବଂ ଗାଁ ଲୋକେ ତାକୁ କିପରି ଦୃଷ୍ଟିରେ ଦେଖିବେ। ସେହି ଚିନ୍ତାରେ ସେ ଏବେ ସେ ଭାଙ୍ଗି ପଡିବା ସହ ମାନସିକ ଭାରସାମ୍ୟ ହରାଇ ବସିଛି। ତାଙ୍କ ବଧବା ମା ଓ ସାହିର ମହିଳା ମାନେ ମଧ୍ୟ ଚିନ୍ତିତ ହୋଇପଡିଛନ୍ତି। ଯଦି ଚିନ୍ମୟ ମାନସିକ ଭାରସାମ୍ୟ ହରାଇ କିଛି ଅଘଟଣ କରି ବସନ୍ତି ସେଥି ପାଇ କିଏ ଦାୟି ରହିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। କେନ୍ଦୁଝର ଜିଲ୍ଲା ପ୍ରେସ କ୍ଳବ ପକ୍ଷରୁ ଘଟଣାର ତୀବ୍ର ନିନ୍ଦା କରାଯିବା ସହ ନ୍ୟାୟ ଦାବି କରାଯାଇଛି। ଏବଂ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏବେ ପୋଲିସ ଉଚ୍ଚ ଅଧିକାରୀଙ୍କ ପଦକ୍ଷେପ ଉପରେ ସ୍ୱଭାବିକ ଭାବେ ସମସ୍ତଙ୍କ ନଜର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.