Home Top News କେନ୍ଦୁଝର: ନରହନ୍ତା ଦନ୍ତାହାତୀ କଚାଡି ମାରିଲା ମହିଳାଙ୍କୁ:ଗଭୀର ନିଦ୍ରାରେ ବନ ବିଭାଗ

କେନ୍ଦୁଝର: ନରହନ୍ତା ଦନ୍ତାହାତୀ କଚାଡି ମାରିଲା ମହିଳାଙ୍କୁ:ଗଭୀର ନିଦ୍ରାରେ ବନ ବିଭାଗ

59

କେନ୍ଦୁଝର, ୧୭ ଫେବୃୟାରୀ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଂଚଳରେ ବଣୁଆ ହାତୀଙ୍କର ଉପଦ୍ରବ ଲାଗି ରହିଥବା ବେଳେ ଆଜି ଏକ ଗୋଠଛଡା ଦନ୍ତା ହାତୀ ଜଣେ ମହିଳାଙ୍କୁ ଘରୁ ଘୋଷାଡି ଆଣି ତଳେ କଚାଡି ମାରି ଦେଇଛି। ଏହି ଘଟଣାରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ଏହି ଘଟଣା ଜିଲ୍ଲାର ତେଲକୋଇ ଅଂଚଳରେ ଘଟିଛି। ବନ ବିଭାଗ ର ନିଷ୍କ୍ରିୟତା କାରଣରୁ ତେଲକୋଇ ଅଂଚଳରେ ହାତୀଙ୍କର ଉପଦ୍ରବ ଥମିବାର ନାମ ନେଉ ନାହିଁ ବୋଲି ଅଂଚଳବାସୀ ଖୋଲା ଖୋଲା ମତ ବ୍ୟକ୍ତ କରୁଛନ୍ତି। କେନ୍ଦୁଝର ଜିଲ୍ଲାର ତେଲକୋଇ ରେଞ୍ଜ ର ଜଗମୋହନପୁର ଫରେଷ୍ଟ ଅନ୍ତର୍ଗତ ଜଗମୋହନପୁର ଗ୍ରାମର ଜାନକୀ ପ୍ରଧାନଙ୍କ ଗୃହ ପରିସରର ମଧ୍ୟରେ ଏକ କୋଠରୀରେ ଗତ କାଲି ରାତ୍ରୀରେ ଶୋଇଥିବା ବେଳେ ସମ୍ମୁଖରେ ଥିବା ଅନ୍ୟ ଏକ କୋଠରୀରେ ତାଙ୍କ ପିଲାମାନେ ଶୋଇଥିଲେ। ବୁଧବାର ପ୍ରାତଃ ପ୍ରାୟ ସାଢେ ତିନଟାରୁ ଚାରିଟା ସମୟରେ ଗ୍ରାମରେ ହାତୀ ପଶି ଆସିଥିବା ସଂପର୍କରେ ଗ୍ରାମ ଲୋକମାନେ ପାଟିତୁଣ୍ଡ କରୁଥିବା ଶୁଣି ପିଲାମାନଙ୍କୁ ହାତୀ କାଳେ ଆକ୍ରମଣ କରିବ ସେହି ଭୟରେ ଜାନକୀ ନିଜ କୋଠରୀରୁ ବାହିରି ସମ୍ମୁଖ କୋଠରୀରେ ଶୋଇଥିବା ପିଲାମାନଙ୍କ ନିକଟକୁ ଆସିଥିବା ସମୟରେ ଅନ୍ଧକାରରେ ଅଗଣାରେ ଛିଡା ହୋଇଥିବା ଦନ୍ତା ହାତୀଟି ତାଙ୍କ ଘର ଦ୍ୱାର ମୁହଁରୁ ଘୋଷାଡି ନେଇ ତଳେ କଚାଡି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଜାନକୀଙ୍କର ଘର ଅଗଣାର ତିନି ପାର୍ଶ୍ୱ ବନ୍ଦ ରହିଥିବା ବେଳେ ଏକ ପାର୍ଶ୍ୱ ଖୋଲା ରହିଥିବାରୁ ସେହି ବାଟେ ସେ ଘର ଅଗଣାକୁ ଚାଲି ଆସିଥିଲା। ଘଟଣା ପରେ ପରେ ପୁରା ଗ୍ରାମରେ ତୀବ୍ର ଉତେଜନା ପ୍ରକାଶ ପାଇଥିବା ବେଳେ ବନ ବିଭାଗ ଓ ପୋଲିସ ଅଧିକାରୀ ଗ୍ରାମରେ ପହଂଚି ଲୋକଙ୍କ ସହ ଆଲୋଚନା କରିଥିଲେ। ତଥାପି ହାତୀ ଘଉଡାଇବା ଲାଗି ବନ ବିଭାଗ ଉଦ୍ୟମ କରୁ ନଥିବା କାରଣରୁ ଏଭଳି ଅବସ୍ଥା ସୃଷ୍ଟି ହେଉଥିବା ଅଂଚଳବାସୀ କହିବା ସହ ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପୁଞ୍ଜି ବାନ୍ଧିବାରେ ଲାଗିଛି। ବିଭାଗୀ ଉଚ୍ଚ କର୍ତ୍ତୃପକ୍ଷ ଏଦିଗରେ ଦୃଷ୍ଟି ଦେବାର ଆବଶ୍ୟକ ରହିଛି। ମହିଳାଙ୍କୁ କଚାଡି ମାରିବା ପରେ ଦନ୍ତାଟି ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିଲା। ଅନ୍ୟ ପକ୍ଷରେ ସମଗ୍ର ଅଂଚଳରେ ହାତୀଙ୍କର ଉପଦ୍ରବ ଲାଗି ରହିଥିବା ବେଳେ ରାତ୍ରୀ ସମୟରେ ହିଁ ବିଦ୍ୟୁତ ସରବରାହ ବନ୍ଦ କରି ଦିଆଯାଉଅଛି। ଯଦିଓ ବିଦ୍ୟୁତ ଆଲୁଅ ଜଳୁଥିଲେ ହାତୀ ଗ୍ରାମରେ ପ୍ରବେଶ କରୁ ନଥିବା କଥା ଲୋକମାନେ କହିଛନ୍ତି। ରାତ୍ରୀରେ ବିଦ୍ୟୁତ ଆଲୋକ ବନ୍ଦ କରି ଦିଆ ଯାଉଥିବା କାରଣରୁ ଅନ୍ଧକାରର ସୁଯୋଗ ନେଇ ହାତୀ ଗ୍ରାମରେ ପ୍ରବେଶ କରି ଉତ୍ପାତ କରୁଥିବା ବେଳେ ଗଁା ଲୋକମାନଙ୍କୁ ହାତୀର ଅବସ୍ଥିତି ଜାଣିବା କଷ୍ଟକର ହୋଇ ପଡୁଥିବା ସେମାନେ କହୁଛନ୍ତି। ବିଦ୍ୟୁତ ଆଲୋକକୁ ବନ୍ଦ କରି ଉଦ୍ଦେଶ୍ୟମୂଳକ ଭାବେ ଗ୍ରାମାଚଂଳ ଲୋକଙ୍କ ଧନ ଜୀବନକୁ ବିପଦ ମୁହଁକୁ ଠେଲିଦେବା ଲାଗି ଏଭଳି ଷଡଯନ୍ତ୍ରକୁ ବିଭନ୍ନ ମହଲରୁ ତୀବ୍ର ସମାଲୋଚନା କରାଯିବା ସହ ନିନ୍ଦା କରାଯାଇଛି। ଏବଂ ସରକାରଙ୍କ ପକ୍ଷରୁ ଜିଲ୍ଲା କର୍ତ୍ତୃପକ୍ଷ ଲୋକମାନଙ୍କର ଧନ ଜୀବନ ସୁରକ୍ଷିତ ରଖିବାର ଉତର ଦାୟିତ୍ୱ ନିଅନ୍ତୁ ବୋଲି ମତ ପ୍ରକାଶ ପାଇଛି। ପ୍ରକାଶ ଥାଉକି ଯେ ଗତ ଚାରିଦିନ ପୂର୍ବେ ଉକ୍ତ ଦନ୍ତା ହାତୀଟି ବିଳମ୍ବିତ ରାତ୍ରୀରେ ସେହି ଜଗମୋହନପୁର ପଂଚାୟତର ଅଙ୍ଗଦସରୁଆଲି ଗ୍ରାମରେ ପଶି ଲୋକଙ୍କର ଘର ଭାଙ୍ଗି ସଂଚିତ ଧାନ ଖାଇଯିବା ସହ ସାଇକେଲ ଓ ମୋଟର ସାଇକେଲ ଭାଙ୍ଗି ଦେଇଥିଲା। ଏବଂ ବୁଧବାର ପ୍ରାତଃ ସମୟରେ ଜାନକୀଙ୍କୁ କଚାଡି ମାରିବା ସହ ଅନ୍ୟ ଜଣଙ୍କର ଘର ସମ୍ମୁଖ ଗ୍ରିଲ ଭାଙ୍ଗି ଦେବାକୁ ଉଦ୍ୟମ କରିଥିଲା। ତଥାପି ବନ ବିଭାଗର ନିଦ୍ରା ଭଙ୍ଗ ନ ହେବା ଅତୀବ ଦୁର୍ଭାଗ୍ୟପୁର୍ଣ୍ଣ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.