Home ଓଡ଼ିଶା କେନ୍ଦୁଝର: ତେଲକୋଇ ଅଞ୍ଚଳରେ ଲଗାଣ ବର୍ଷା:ପୋଲ ଉପରେ ପାଣି: ଯୋଗା ଯୋଗ ବିଛିନ୍ନ: ତୁରୁମୁଙ୍ଗା ଠାରେ...

କେନ୍ଦୁଝର: ତେଲକୋଇ ଅଞ୍ଚଳରେ ଲଗାଣ ବର୍ଷା:ପୋଲ ଉପରେ ପାଣି: ଯୋଗା ଯୋଗ ବିଛିନ୍ନ: ତୁରୁମୁଙ୍ଗା ଠାରେ ବନ୍ୟାଜଳ ସ୍ରୋତରେ ଭାସିଗଲା ଟ୍ରକ: ଡ୍ରାଇଭର ମୃତ

155

କେନ୍ଦୁଝର, ୨୬ ଅଗଷ୍ଟ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଗତ କାଲି ତଥା ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଲଘୁଚାପ ଜନିତ ପ୍ରବଳ ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲାର ଆଦିବାସୀ ବହୁଳ ତେଲକୋଇ ଅଞ୍ଚଳ ବିଶେଷ ଭାବେ ପ୍ରଭାବିତ ହୋଇଅଛି। ତେଲକୋଇ ଅଞ୍ଚଳର ବିଭିନ୍ନ ନାଳ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ଦୃଷ୍ଟିରୁ ବିଭିନ୍ନ ଗ୍ରାମକୁ ଯୋଗା ଯୋଗ ବିଛିନ୍ନ ହେବା ସହ ଜନ ଜୀବନ ସଂପୂର୍ଣ୍ଣ ଅସ୍‌ତବ୍ୟସ୍ତ ହୋଇ ପଡିଛି। ବିଭିନ୍ନ ନଦୀରେ ବନ୍ୟା ଜଳ ଆସୁଥିବା ଯୋଗୁଁ କରଦାଙ୍ଗୀ ଗ୍ରାମ ପାଖ ଗୁରୁଡିଆ ନଦୀର ପୋଲ ଉପରେ ପ୍ରାୟ ୩ ଫୁଟ ଉଚ୍ଚରେ ପାଣି ଚାଲୁଛି। ଫଳରେ ନଦୀର ଅପର ପାର୍ଶ୍ୱରେ ରହିଥିବା ୭ ଟି ଗ୍ରାମର ଲୋକ ପ୍ରଭାବିତ ହୋଇଛନ୍ତି। ସରେଇ, ଚକ୍ରଧର, କରଦଙ୍ଗି, ଆମ୍ବତଇଳା, କମଳାବଣୀ, କ୍ଷେତ୍ରମୁଣ୍ଡା, ଖଳିଢିପ, ଆଦି ଗ୍ରାମକୁ ଯୋଗା ଯୋଗ ସଂପୂର୍ଣ୍ଣ ବିଛିନ୍ନ ହୋଇ ପଡିଛି। ଅନୁରୁପ ଭାବେ ରାଇସୁଆଁ ପଞ୍ଚାୟତ ର ଖଣ୍ଡାଧୁଆ ନାଳ ଉପରେ ୩ ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ରାଇସୁଆଁ ପଞ୍ଚାୟତର ୬ ଟି ଗ୍ରାମ ବିଛିନ୍ନ ହୋଇ ପଡିଛି।ପଞ୍ଚାୟତର ପାଲସାହୀ, ମାର୍ଦ୍ଦା, ରୁଢଙ୍ଗ, ଭାଲୁଦରି, ବରବାହଳି ଆଦି ଗ୍ରାମ ଲୋକମାନେ ପ୍ରଭାବିତ ହୋଇଛନ୍ତି। ଅନ୍ୟ ପକ୍ଷରେ ତେଲକୋଇ ବ୍ଳକ ଅନ୍ତର୍ଗତ ନୂଆଗଡ ଗାଁ ପାଟଯୋଡି ନାଳର ପୋଲ ଉପରେ ୩ ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଦୃଷ୍ଟିରୁ ଦୁଇଟି ପଞ୍ଚାୟତ ପ୍ରଭାବିତ ହୋଇଛି। ଏହି ଦୁଇଟି ପଞ୍ଚାୟତର ୧୪ ଟି ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡିଛି। ସମାକୋଇ ନଦୀର ଜଳସ୍ତର ବୃଦ୍ଧି ପାଉଥିବା କାରଣରୁ ଶାଖା ନଦୀ ଗୁଡିକରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି।

ଅନ୍ୟ ପକ୍ଷରେ ଜିଲ୍ଲାର ଉପରମୁଣ୍ଡରେ ପ୍ରବଳ ଲଗାମ ବର୍ଷ ଯୋଗୁଁ ୪୯ ନମ୍ବର ରାଜପଥର ତୁରୁମୁଙ୍ଗା ନିକଟସ୍ଥ ପୋଲ ଉପରେ ଏବେ ବୈତରଣୀ ନଦୀର ବନ୍ୟାଜଳ ୬ ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଥିବା କାରଣରୁ କେନ୍ଦୁଝର ରୁ ବାରିପଦା ଅଞ୍ଚଳକୁ ଯୋଗା ଯୋଗ ସଂମ୍ପୂର୍ଣ୍ଣ ବିଛିନ୍ନ ହୋଇ ପଡିଛି। ପୋଲ ଉପରେ ବନ୍ୟା ଜଳ ପ୍ରଖର ଭାବେ ପ୍ରବାହିତ କାରଣରୁ ପୋଲର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଯାନ ବାହାନ ଅଟକି ରହିଛି। ସେପଟେ କେନ୍ଦୁଝର ମୟୂରଭଞ୍ଜ ସୀମାନ୍ତ ବୈତରଣୀ ନଦୀର ଛୋଟ ଛୋଟ ପୋଲ ଉପରେ ବନ୍ୟାଜଳ ଚାଲୁଥିବା ବେଳେ ଏକ ୧୪ ଚକ ବିଶିଷ୍ଟ ଟ୍ରକ ନଦୀଜଳର ପ୍ରଖର ସ୍ରୋତରେ ମଧ୍ୟରେ ପଶି ପୋଲ ପାର ହେଉଥିବା ବେଳେ ଟ୍ରକଟି ଭାସିଯିବା ସହ ଟ୍ରକର ଡ୍ରାଇଭରର ମୃତ୍ୟୁ ହୋଇଛି। ମୃତ ଡ୍ରାଇଭରର ପରିଚୟ ଜଣା ପଡିନାହିଁ। ଅନୁରୁପ ଭାବେ ପାଟଣା ଢେଙ୍କିକୋଟ ରାସ୍ତାର ସ୍ୱାମ ନାଳ ଉପରେ ଏକ ଧାନ ବୋଝାଇ ଟ୍ରକ ପାଟଣା ଆଡକୁ ଆସୁଥିବା ବେଳେ ପ୍ରଖର ସ୍ରୋତରେ ଟ୍ରକଟି ଭାସି ଯାଇଥିଲା ଏବଂ ଟ୍ରକର ଡ୍ରାଇଭରକୁ ଉଦ୍ଧାର କରିବା ଲାଗି ଅଗ୍ନିଶମ ବିଭାଗର ପ୍ରାୟାସ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.