Home ଓଡ଼ିଶା କେନ୍ଦୁଝର ଜିଲ୍ଲାପାଳଙ୍କ ନାମରେ ଏତଲା : କୋଭିଡ ହସପିଟାଲରେଏକାଧିକ ମୃତ୍ୟୁପାଇଁ କରାଗଲା ଦାୟୀ: ପ୍ରଶାସନର ମୃତ୍ୟୁ...

କେନ୍ଦୁଝର ଜିଲ୍ଲାପାଳଙ୍କ ନାମରେ ଏତଲା : କୋଭିଡ ହସପିଟାଲରେଏକାଧିକ ମୃତ୍ୟୁପାଇଁ କରାଗଲା ଦାୟୀ: ପ୍ରଶାସନର ମୃତ୍ୟୁ ତଥ୍ୟର ସ୍ୱଛତା ଉପରେ ଉଠିଲା ପ୍ରଶ୍ନ

31

କେନ୍ଦୁଝର, ୧୬ ମଇ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାର ରାଙ୍କିସ୍ଥିତ ଏକମାତ୍ର କୋଭିଡ ହସପିଟାଲରେ ବ୍ୟାପକ ଅବ୍ୟବସ୍ଥା ଏବଂ ଏକାଧିକ ରୋଗୀଙ୍କର ମୃତ୍ୟୁ ଘଟଣାରେ କେନ୍ଦୁଝର ଜିଲ୍ଲାପାଳଙ୍କୁ ଦାୟୀ କରି ଟାଉନ ଥାନାରେ ଏତଲା ଦାୟର କରିଛି ବିଜେପି ଏବଂ ଏଥି ନିମନ୍ତେ କେନ୍ଦୁଝର ଜିଲ୍ଲାପାଳ ଓ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରିବାକୁ ସେମାନେ ଏତଲାରେ ଉଲ୍ଲେଖ କରିଛନ୍ତି । ଯାହା କି ପ୍ରଥମ ଘଟଣା। ଏଥି ସହ ସମଗ୍ର ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବୀ କରାଯାଇଛି। ଇତିମଧ୍ୟରେ ରାଙ୍କିସ୍ଥିତ ଏହି କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କର ସ୍ୱାସ୍ଥବସ୍ଥା ସଂପର୍କରେ ପରିବାରବର୍ଗଙ୍କୁ ସୂଚନା ଦିଆନଯିବା କିମ୍ବା ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରୁଥିବା ରୋଗୀର ଦାହ କରୀଯିବା ପରେ ମଧ୍ୟ ସଂପର୍କୀୟମାନଙ୍କୁ ସୂଚନା ଦିଆନଯିବା, ମୃତ୍ୟୁ ବରଣ କରୁଥିବା ରୋଗୀର ମୂଲ୍ୟବାନ ସାମଗ୍ରୀ ପରିବାରକୁ ପେରସ୍ତ କରାଯାଉନଥିବା, ନିମ୍ନ ମାନର ଖାଦ୍ୟ ପରିବେଷଣ ସହ ସଠିକ ଉପଚାର କରାଯାଉନଥିବା ଆଦି ଅବ୍ୟବସ୍ଥା ଲୋକଲୋଚନକୁ ଆସିଥିଲା।

ଗତ ୫ ତାରିଖରେ କୋଭିଡ ହସପିଟାଲ ରେ ଅକ୍ସିଜେନ ଅଭାବରୁ ଏକାଧିକ ରୋଗୀଙ୍କର ମୃତ୍ୟୁ ଏବଂ କୋଭିଡ ହସପିଟାଲ ପରିସର ବାହାରେ ସାଲାଇନ ଲାଗିଥିବା ଅବସ୍ଥାରେ ଅନ୍ୟ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଯାହା ଅତ୍ୟନ୍ତ ଅମାନବୀୟ ଥିଲା। ଏହି ଘଟଣାର ଅନୁସନ୍ଧାନ କରିବାକୁ ବିଜେପି ଦଳର ଏକ ଟିମ କେନ୍ଦୁଝର କୋଭିଡ ହସପିଟାଲ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ପିଡିତ ପରିବାରଙ୍କ ସହ ହସପିଟାଲ କର୍ତୃପକ୍ଷ ଏବଂ ବିଭିନ୍ନ ବର୍ଗଙ୍କ ସହ ଆଲୋଚନା କରିବା ପରେ ଘଟଣାର ସତ୍ୟତାକୁ ହୃଦବୋଧ କରିଥିଲେ। ଆଲୋଚନା ସମୟରେ ହସପିଟାଲ କର୍ତୃପକ୍ଷ ୧୨ ରାଗୀଙ୍କର ମୃତ୍ୟୁକୁ ମଧ୍ୟ ସ୍ୱୀକାର କରିଥିଲେ। ସମଗ୍ର ଘଟଣାରେ ବେପରୁଆ ପରିଚାଳନାକୁ ଟିମ ଦାୟୀ କରିଛି। ଏହି କୋଭିଡ ହସପିଟାଲ ପ୍ରଧାନମନ୍ତ୍ରୀଙ୍କ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନାର ଜିଲ୍ଲା ଖଣିଜ ପାଣ୍ଠି ଦ୍ୱାରା ସ୍ଥାପିତ ହୋଇଅଛି। ଯାହାର ମୁଖ୍ୟ କେନ୍ଦୁଝର ଜିଲ୍ଲାପାଳ ରହିଛନ୍ତି। ଜିଲ୍ଲା ପ୍ରଶାସନର ବେପରୁଆ ମନୋଭାବ ସ୍ଥାନୀୟ ଜନସାଧାରଣଙ୍କ ଜୀବନ ରକ୍ଷା କରିବାରେ ସଂପୁର୍ଣ୍ଣ ଅସଫଳ ହୋଇଛି ଯାହାର ଉତରଦାୟିତ୍ୱ ଜିଲ୍ଲାପାଳଙ୍କୁ ଦିଆଯାଇଛି। କୋଭିଡ ହସପିଟାଲରେ ବ୍ୟାପକ ହେରଫେର ହୋଇଥିବା ସଂପର୍କରେ ସନ୍ଦେହ କରିଛି ଏହି ଟିମ। ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଏତେ ସଂଖ୍ୟକ ରୋଗୀଙ୍କର ମୃତ୍ୟୁ ଘଟଣା, କେବଳ ଗଣ ମୃତ୍ୟୁ ନୁହେଁ ବଂର ଗଣହତ୍ୟା ବୋଲି ଅଭିହିତ କରାଯାଇ ଏଥିପାଇଁ କେନ୍ଦୁଝର ଜିଲ୍ଲାପାଳ ଓ ସଂପୃକ୍ତ ଅଧିକାରୀ ତଥା ହସପିଟାଲ କର୍ତୃପକ୍ଷଙ୍କ ପରୋକ୍ଷ ସଂପୃକ୍ତି ଥିବା ଦୃଷ୍ଟିରୁ ସେମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ଟିମ ପକ୍ଷରୁ ଏତଲାରେ କୁହାଯାଇଛି। ଅନୁରୁପ ଭାବେ ଗତ ବର୍ଷର ପ୍ରଥମ ଲହର ସମୟରେ କ୍ରୟ କରାଯାଇଥିବା ଅକ୍ସିଜେନେଟରକୁ କାହାର କେଉଁ ସ୍ୱାର୍ଥରେ କାର୍ଯକ୍ଷମ କରା ନ ଯାଇ ପକାଇ ରଖାଯାଇଥିଲା ଏବଂ ଏବେ ଅକ୍ସିଜେନ ଅଭାବ ଯୋଗୁଁ ସଂଖ୍ୟାଧିକ ରୋଗୀଙ୍କର ମୃତ୍ୟୁ ହେବାପରେ ହିଁ ତାହାକୁ କାର୍ଯ୍ୟକ୍ଷମ କରାଗଲା ତାହା ଉପରେ ପ୍ରଶ୍ନ ଉଠାଇ ଜିଲ୍ଲା ପ୍ରଶାସନ କର୍ତୃପକ୍ଷଙ୍କୁ କାଠଗଡାରେ ଛିଡା କରିଛି ବିଜେପି। ଏପରି କି କେବଳ ଅକ୍ସିଜେନେରେଟର ନୁହେଁ ବର୍ଷକ ତଳୁ କ୍ରୟ କରାଯାଇଥିବା ଆଇଏଲ୬ ପରୀକ୍ଷଣ ଏବଂ ଅନ୍ୟନ୍ୟ ବହୁମୂଲ୍ୟବାନ ଚିକିତ୍ସା ଯନ୍ତ୍ରପାତି ସଠିକ ଭାବେ ଉପଯୋଗ କରାଯାଉନାହିଁ। ଏପରିକି କ୍ରୟ କରାଯାଇଥିବା ଅନେକ ଯନ୍ତ୍ରପାତି ଏହି ଚିକିତ୍ସାଳୟକୁ ଅଣା ନ ଯାଇ ଅନ୍ୟତ୍ର ପଠାଇ ଦିଆଯାଇଥିବା ଜିଲ୍ଲା ଟିମ ପକ୍ଷରୁ ସିଧାସଳଖ ଆରୋପ କରାଯାଇଛି ।ଏବଂ ଗତ ୫ ତାରିଖ କାଳରାତ୍ରୀ ବିଭିଷିକା ଉପରୁ ରହସ୍ୟର ପର୍ଦ୍ଧା ଉଠାଇବା ସହ କୋଊିଡ କୁପରିଚାଳନାର ଅନ୍ୟାନ୍ୟ ଦିଗ ଉପରେ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଅସଲ ଅପରାଧୀକୁ ଚିହ୍ନଟ କରିବାକୁ ବିଚାର ବିଭାଗୀୟ ତଦନ୍ତ ଦାବୀ କରାଯାଇଛି। ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶରେ ଆସିଥିବା ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ସୁଶ୍ରୀ ଓରାମ, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା , ବରିଷ୍ଠ ନେତା ମୁରଲୀ ଶର୍ମା , ରାଧାକାନ୍ତ ମହାନ୍ତ, ଜିଲ୍ଲା ସଭାପତି ଅଂଶୁମାନ ପ୍ରମୁଖ ସାମିଲ ଥିଲେ। ଅବଶ୍ୟ ବିଜେପିର ଏହି ଗସ୍ତର ପ୍ରଭାବ ପ୍ରଶାସନ ଉପରେ ପଡିଥିବା ଲକ୍ଷ୍ୟ କରାଯାଉଛି। ଯଦ୍ୱାରା ବିଳମ୍ବରେ ହେଲେବି ଗତ୧୫ ତାରିଖ ଦିନ ଜିଲ୍ଲାପାଳ ହଠାତ୍ କୋଭିଡ ହସପିଟାଲ ପରିଦର୍ଶନରେ ଯାଇ ସେଠାର ଚିକିତ୍ସା ବ୍ୟବସ୍ଥା, ଖାଦ୍ୟପେୟ ଅନ୍ୟାନ୍ୟ ଅନୁସଙ୍ଗିକ ବ୍ୟବସ୍ଥାର ତଦାରଖ ସହ ରୋଗୀ, ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। କିନ୍ତୁ ଏହି ୧୨ରୋଗୀଙ୍କର ମୃତ୍ୟୁର ତଥ୍ୟକୁ କେଉଁ କାରଣରୁ ଗୋପନ ରଖାଯାଇଛି ତାଉପରେ ଉଠିଥିବା ପ୍ରଶ୍ନ ସହ ଜିଲ୍ଲାରେ କୋଭିଡରେ ମୃତ୍ୟୁବରଣ ରୋଗୀଙ୍କ ସଂପର୍କରେ ଦିଆଯାଉଥିବା ତଥ୍ୟର ସ୍ୱଛତା ଉପରେ ଉଠିଥିବା ପ୍ରଶ୍ନର ସ୍ପଷ୍ଟିକରଣ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଦେବା ଆବଶ୍ୟକ।

ଅନ୍ୟପକ୍ଷରେ କେନ୍ଦୁଝର ଜିଲ୍ଲାରେ ସୃଷ୍ଟି ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଅନ୍ୟ ରାଜନୈତିକ ଦଳ ନେତୃତ୍ୱର ନୀରବତା ଉପରେ ବଡପ୍ରଶ୍ନ ଛିଡାକରିଛି। ଯଦିଓ ଜିଲ୍ଲା ଆସିଥିବା ୩ଟି ଇସ୍ପାତ କାରଖାନା ସହଯୋଗର ଅଭାବ ଓ ବିରୋଧ ପାଇଁ ଫେରିଯିବା ପରେ ଏବେ ପୁଣି ଏକ ଇସ୍ପାତ କରଖାନା ଲାଗି ଉଠିଥିବା ଦାବୀକୁ ସମର୍ଥନ ଜଣାଇବା ପାଇଁ ଯେଉଁ ରାଜନୈତିକ ଦଳମାନେ ଅଧିକ ତତ୍ପର ହୋଇପଡିଥିଲେ ସେମାନେ ଏବେର କୋଭିଡ ମହାମାରୀ ସମୟରେ ଅବହେଳରୁ ଏକାଧିକ ସଂଖ୍ୟକ ରୋଗୀଙ୍କର ମୃତ୍ୟୁ ଭଳି ହୃଦୟବିଦାରକ, ଅମାନବିୟ ଘଟଣାରେ ନୀରବତା ଜିଲ୍ଲାବାସୀଙ୍କ ପାଇଁ ରହସ୍ୟପୁର୍ଣ୍ଣ ହୋଇପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.