Home ଜିଲ୍ଲା ପରିକ୍ରମା କୃଷକ ଆନ୍ଦୋଳନ ସମର୍ଥନରେ ମହିଳା ଚାଷୀଙ୍କ ବିକ୍ଷୋଭ

କୃଷକ ଆନ୍ଦୋଳନ ସମର୍ଥନରେ ମହିଳା ଚାଷୀଙ୍କ ବିକ୍ଷୋଭ

26

ବାଲେଶ୍ୱର, ୧୮ା୧ (ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୋଧରେ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ୨ ମାସ ପୂରିବାକୁ ବସିଥିବା ବେଳେ ସମଗ୍ର ଦେଶରେ ଏବେ ମହିଳା ଚାଷୀମାନେ ମଧ୍ୟ ଏହାକୁ ସମର୍ଥନ ଜଣାଇ ସରକାରଙ୍କ କୃଷିନୀତିର ପ୍ରତିବାଦ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱରର ୩ଗୋଟି ମହିଳା ସଂଗଠନର ମିଳିତ ଆନୁକୂଲ୍ୟରେ ସହରର ଫାଣ୍ଡିଛକଠାରେ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନାରୀନେତ୍ରୀ ବନ୍ଦନ ବିଶ୍ୱାସ ଏଥିରେ ସଭାପତିତ୍ୱ କରିବା ସହ କେନ୍ଦ୍ର ସରକାରଙ୍କ କୃଷକ ମାରଣ କଳା ଆଇନର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ। ଉତ୍କଳ ମହିଳା ସମିତିର ରାଜ୍ୟ ଉପଦେଷ୍ଟା ମନଲତା ଜେନା, ଅଖିଳ ଭାରତ ମହିଳା ସମିତିର ରାଜ୍ୟ ସମ୍ପାଦିକା ସଂଧ୍ୟାଦାସ ମଜୁମଦାର, କ୍ଷେତ ମଜଦୁର ୟୁନିୟନର ଜିଲା ସଭାନେତ୍ରୀ ସୁହାଗୀ ମାଝୀଙ୍କ ସମେତ ଶ୍ରମିକ ନେତା ଭାଗବତ ପ୍ରତିହାରୀ, ନିକୁ୍‌ଜ ବସନ୍ତ ରାୟ, ଯତୀନ ପାତ୍ର ପ୍ରମୁଖ ଏଥିରେ ଯୋଗଦେଇ ପୁଞ୍ଜିପତିଙ୍କ ସ୍ୱାର୍ଥରକ୍ଷା ଓ କୃଷକଙ୍କୁ ଶୋଷଣ କରିବା ପାଇଁ କେନ୍ଦ୍ର ସରକାର ଏହି ଆଇନ୍ ପ୍ରଣୟନ କରିଥିବା ସେମାନେ ଆରୋପ ଉଠାଇଥିଲେ। ଏହି ଆଇନ ବଳରେ କୃଷକଠାରୁ ତା’ର ଭୂମି ଅଧିକାର ସରକାର ଛଡ଼ାଇ ନେଉଥିବା ବେଳେ ଏହା କୃଷକଙ୍କ ବିକାଶରେ ପ୍ରଣୟନ ହୋଇଛି ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ବକ୍ତାମାନେ ମତ ଦେଇଥିଲେ। ତୁରନ୍ତ ଏହି କଳା ଆଇନ ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଆଜିର ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ନାରୀନେତ୍ରୀ ଶ୍ରମିକନେତାମାନେ ଚେତାବନୀ ଦେଇଥିଲେ। ତେବେ ଆସନ୍ତା ୨୩ ତାରିଖରେ ଦେଶର ପ୍ରତ୍ୟେକ ରାଜ୍ୟର ରାଜଭବନ ସମ୍ମୁଖରେ ବିକ୍ଷୋଭ ପାଇଁ ନିଷ୍ପତି ନିଆଯାଇଥିବା ବେଳେ ବାଲେଶ୍ୱରରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନୁରୂପ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଆସନ୍ତା ୨୬ ତାରିଖର ସାଧାରଣତନ୍ତ୍ର ଦିବସର ଅପରାହ୍ନରେ କଷକ ଓ ଶ୍ରମିକଙ୍କ ପକ୍ଷରୁ ସରକାରଙ୍କ ବିରୋଧୀ ପ୍ୟାରେଡ଼ ପ୍ରଦର୍ଶନ କରାଯିବ ବୋଲି ଚୁହାଯାଇଛି। ଅନ୍ୟମାନଙ୍କ ମଧ୍ରରେ ଆରତୀ ସୋରେନ୍‌, ଦେବକୀ ଦାସ, ସୁମିତ୍ରା ସୋରେନ୍‌, ରାଜଶ୍ରୀ ମହାନ୍ତି, ଭାନୁମତୀ ନାୟକ, ଇଶାଣୀ ଷଡ଼ଙ୍ଗୀ, ପ୍ରମୁଖ ଏନଏଫଆଇଡବ୍ଲ୍ୟ, ଏନଡିଡବ୍ଲ୍ୟୁଏ ଓ ଏନଆଇସିଡବ୍ଲ୍ୟୁ ପ୍ରମୁଖ ତିନି ମହିଳା ସଂଗଠନର କର୍ମକର୍ତ୍ତା ଯୋଗଦେଇ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ତୀବ୍ର ସମାଲୋଚନା କରିଥିଲେ। ଏହି ଅବସରରେ ସଂଗଠନ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବାଲେଶ୍ୱର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.