Home ଜିଲ୍ଲା ପରିକ୍ରମା କୂଳଖାଉଛି ସାଳନ୍ଦୀ : ୨୦ ଗ୍ରାମ ଜଳମଗ୍ନ ହେବା ଆଶଙ୍କା

କୂଳଖାଉଛି ସାଳନ୍ଦୀ : ୨୦ ଗ୍ରାମ ଜଳମଗ୍ନ ହେବା ଆଶଙ୍କା

160

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାବାସୀଙ୍କ ଲାଇଫ ଲାଇନ୍ କୁହାଯାଉଥିବା ସାଳନ୍ଦୀ ନଦୀ ଏବେ ନଦୀକୂଳବାସୀଙ୍କ ପାଇଁ ବିପଦର କାରଣ ହେବାକୁ ଯାଉଛି । ବିସ୍ତୃତ ନଦୀ ପଠାରୁ ବେଆଇନ୍ ବାଲି ଏବଂ ମାଟି ଉତ୍ତୋଳନ ଯୋଗୁଁ ନଦୀର କୂଳଖାଇ ସାଳନ୍ଦୀ ନଦୀର ଗତିପଥ ପରିବର୍ତ୍ତନ ନଦୀକୂଳିଆ ଗ୍ରାମବାସୀଙ୍କ ପାଇଁ ଚିନ୍ତା ବଢେଇ ଦେଇଛି । ଆଗକୁ ବର୍ଷାଦିନ ଆସୁଥିବା ବେଳେ ସାଳନ୍ଦୀ ନଦୀରେ ସାମାନ୍ୟ ବନ୍ୟା ନଦୀକୂଳରେ ଅବସ୍ଥିତ ବହୁ ସାହିବସ୍ତିକୁ ଜଳମଗ୍ନ କରିବା ଏକ ପ୍ରକାର ସୁନିଶ୍ଚିତ ହୋଇପଡିଛି । ବିଶେଷକରି ସାଳନ୍ଦୀ ନଦୀର ଉପରମୁଣ୍ଡ ବନ୍ତ ଏବଂ ଆଗରପଡା ଅଂଚଳରେ ନଦୀକୂଳରେ ବସବାସ କରୁଥିବା ପ୍ରାୟ ୨୦ଟି ଗ୍ରାମର ଲକ୍ଷାକ୍ôଷକ ଲୋକ ଏଥିନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ବାରମ୍ବାର ଆପତ୍ତି ଅଭିଯୋଗ ସତ୍ୱେ ଏହି ଅଂଚଳରେ ସାଳନ୍ଦୀ ନଦୀ ପଠାରୁ ଚାଲିଥିବା ବେଆଇନ୍ ବାଲି ଏବଂ ମାଟି ଉତ୍ତୋଳନକୁ ରୋକାଯାଇପାରିନାହିଁ । ମୁଷ୍ଟିମେୟ ଲୋକେ ସାଳନ୍ଦୀ ନଦୀପଠାରୁ ବେଆଇନ୍ ଭାବେ ବାଲି ଏବଂ ମାଟି ଉଠାଇ ବିକ୍ରି କରିଦେଉଥିବା ବେଳେ ଏହି ପଠାରେ ଶହ ଶହ ବେଆଇନ୍ ଇଟାଭାଟି କରି ବ୍ୟବସାୟ ଚଳାଇଛନ୍ତି । ତେଣେ ହଦଗଡ ଜଳ ଭଣ୍ଡାରରେ କ୍ରମାଗତ ଭାବେ ଜଳସଂକଟ ସାଙ୍ଗକୁ ତଳ ମୁଣ୍ଡରେ ନଦୀ ଜଳର ବ୍ୟାପକ ବ୍ୟବସାୟକରଣ ଯୋଗୁଁ ସାଳନ୍ଦୀ ନଦୀରେ ଜଳ ପ୍ରବାହ ମଧ୍ୟ ଦିନକୁ ଦିନ ଉଦଗେବ ଜନକ ଭାବେ ହ୍ରାସ ପାଇବାରେ ଲାଗିଛି । ଗତ ପ୍ରାୟ ୧୫ ବର୍ଷ ତଳେ ସାଳନ୍ଦୀ ନଦୀରେ ବନ୍ୟା ନିୟନ୍ତ୍ରଣ, ଜଳସେଚନ ଏବଂ ଗମନାଗମନ ସୁଦୃଢୀକରଣ ପାଇଁ କେନ୍ଦ୍ରୀୟ ଅନୁଦାନରେ ଆରମ୍ଭ ହୋଇଥିଲା ବୃହତ ସାଳନ୍ଦୀ ସଂସ୍କାର ଯୋଜନା ।

 

 

ଏଥିରେ ପୋତି ହୋଇ ପଡିଥିବା ସାଳନ୍ଦୀ ନଦୀର ଗର୍ଭ ଖନନ, ପାଶ୍ୱର୍ବନ୍ଦ ନିର୍ମାଣ ଏବଂ ଗମନାଗମନ ସକାଶେ ପ୍ରାୟ ୪୦ ରୁ ଉର୍ଦ୍ଧ୍ୱ ସେତୁ ନିର୍ମାଣ କରାଯାଇଥିଲା । ହେଲେ ତୃଟିପୂର୍ଣ୍ଣ ସଂସ୍କାର ଯୋଜନା ଯୋଗୁଁ ଲକ୍ଷ୍ୟ ସାଧିତ ହୋଇପାରିନଥିଲା । ସଂସ୍କାର ଯୋଜନା ନସରୁଣୁ ସାଳନ୍ଦୀ ନଦୀର ଗର୍ଭ ପୁଣି ଦଳ ଏବଂ ପଙ୍କରେ ପୋତି ହୋଇ ପଡିଥିଲା । ଯୋଜନାର ମୂଳ ଅଟକଳ ୯୯ କୋଟି ୧୪ ଲକ୍ଷ ଟଙ୍କା ରଖାଯାଇଥିଲେ ମଧ୍ୟ ଯୋଜନା ସରିବା ବେଳକୁ ତାହା ଦେଢଶହ କୋଟି ଟଙ୍କାକୁ ଟପି ଯାଇଥିଲା । ହେଲେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ସତ୍ୱେ ଗ୍ରାମର ଲୋକେ ବର୍ଷାଦିନରେ ନଦୀରେ ଦେଖାଦେଉଥିବା ବନ୍ୟାକୁ ନେଇ ଆତଙ୍କିତ ହୋଇ ପଡିଛନ୍ତି । ନଦୀପଥ ଅବରୋଧ ଏବଂ ଦିଗ ପରିବର୍ତ୍ତନ ଯୋଗୁଁ ବର୍ଷାଦିନିଆ ବନ୍ୟାଜଳ ନିଷ୍କାସିତ ହୋଇନପାରି ଗାଁ ଗଣ୍ଡା ଭସାଇ ନେବା ଆଶଙ୍କା ବଢିଯାଇଛି । ବିଶେଷକରି ଏହି ଅଂଚଳରେ ନଦୀକୂଳରେ ଅବସ୍ଥିତ ପାଟକନା, ମହାନ୍ତିପଡା, ରାଉତରାପୁର, ହଳଦିପାଟଣା, କାଣ୍ଡବା, ଗୋପୀନାଥପୁର, କୁଆଁସମଢିଆ, ହରିପୁର, ଘଣ୍ଟଗଡିଆ, ନରାଜପୁର, ବଡମହିଷଗୋଠ, ଟିକିରା, ଚାରିଗାଁ, ଶ୍ରୀରାମପୁର, ଯଶୋବନ୍ତପୁର, ରାଜନଗର, ମଙ୍ଗରାଜପୁର, ଅଣିଜୋ ଏବଂ ବିରିଡିହ ଭଳି ବହୁ ନଦୀକୂଳିଆ ଗାଁରେ ବର୍ଷାଦିନ ବନ୍ୟାଭୟ ଦେଖାଦେଇଛି । ସାଳନ୍ଦୀ ବନ୍ୟାରେ ଏହି ନଦୀକୂଳିଆ ଗାଁ ଗୁଡିକୁ ରକ୍ଷା କରିବାକୁ ହେଲେ ଜିଲା ପ୍ରଶାସନ ଏବଂ ଜଳସେଚନ ବିଭାଗକୁ ଏବେଠାରୁ ସତର୍କ ରହିବାକୁ ପଡିବ । ବିଶେଷକରି ନଦୀକୂଳରେ ବେଆଇନ୍ ବାଲି ଏବଂ ମାଟି ଉଠା ଉପରେ ପ୍ରତିବନ୍ଧକ ଜାରି କରାଯିବା ସହିତ ବର୍ଷା ଆସିବା ଆଗରୁ ସାଳନ୍ଦୀ ନଦୀର ଜଳ ନିଷ୍କାସନ କ୍ଷମତାକୁ ନିୟମିତ କରିବାକୁ ପଡିବ । ଅନ୍ୟଥା ସାଳନ୍ଦୀ ବନ୍ୟାରେ ଲୀନ ହୋଇଯିବ ବହୁ ନଦୀକୂଳିଆ ଗାଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.