Home ଜିଲ୍ଲା ପରିକ୍ରମା କୁକୁଡା ଚାଷୀ ମାଲିକ ସଂଘର ଦାବି, କେନ୍ଦ୍ରୀୟ ମାର୍ଗଦର୍ଶିକା ଆଧାରରେ ଦର ନିର୍ଦ୍ଧାରଣ ହେଉ, ଜିଲାସ୍ତରରେ...

କୁକୁଡା ଚାଷୀ ମାଲିକ ସଂଘର ଦାବି, କେନ୍ଦ୍ରୀୟ ମାର୍ଗଦର୍ଶିକା ଆଧାରରେ ଦର ନିର୍ଦ୍ଧାରଣ ହେଉ, ଜିଲାସ୍ତରରେ ଚାଷୀଙ୍କୁ ରିହାତି ମୂଲ୍ୟରେ କୁକୁଡା ଖାଦ୍ୟ ମିଳୁ

18

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରିହାତି ଦରରେ କୁକୁଡା ଖାଦ୍ୟ ଯୋଗାଣ ଓ କୁକୁଡା ଦର ନିୟନ୍ତ୍ରଣ କ୍ଷେତ୍ରରେ କମ୍ପାନିଗୁଡିକର ମନମୂଖୀ ନୀତି ଉପରେ ଅଙ୍କୁଶ ଲଗାଇବା ଲାଗି ରାଜ୍ୟ ସରକାରଙ୍କ ଠାରେ ଦାବି କରିଛି ଭଦ୍ରକ ଜିଲା କୁକୁଡା ଚାଷୀ ମାଲିିକ ସଂଘ । ସଂଘର ସଭାପତି ନୀଳମଣି ଶୁକ୍ଳାଙ୍କ ନେତୃତ୍ୱରେ ସ୍ଥାନୀୟ ବହୁଦରଡା ଠାରେ ଜିଲାର କୁକୁଡା ଚାଷୀମାନେ ଏକ ବୈଠକରେ ମିଳିତ ହୋଇଥିଲେ । ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନଙ୍କର ସମସ୍ୟା ଉତଥାପନ କରି ସମାଧାନ ଲାଗି ସରକାରଙ୍କୁ ନିବେଦନ କରିଛନ୍ତି । ସଂଘର ଦାବି ହେଲା; ଗତ କେଇବର୍ଷ ହେବ କୁକୁଡା ଖାଦ୍ୟ (ଚଷୁ) ଯଥେଷ୍ଟ ମୂଲ୍ୟବୃଦ୍ଧି ଘଟିଛି । ଏଥିଯୋଗୁ କୁକୁଡା ଚାଷୀମାନେ କ୍ଷତିରେ ପଡୁଛନ୍ତି । ଯଦି ନିଜ ଜିଲାର ଧାନ ମିଲରମାନେ ଉତ୍ପାଦନ କରୁଥିବା ଚଷୁକୁ କୁକୁଡା ଚାଷୀଙ୍କୁ ରିହାତି ଦରରେ ସରକାର ଯୋଗାଇ ଦେବାରେ ବ୍ୟବସ୍ଥା କରନ୍ତେ ତାହାହେଲେ କୁକୁଡା ଚାଷୀ ଉପକୃତ ହୁଅନ୍ତେ । ଏ ଦିଗରେ ସରକାର ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେବାକୁ ସଂଘ ପକ୍ଷରୁ ଦାବି ହୋଇଛି । ଅନୁରୂପ ଭାବେ ସଂଘ ଆରୋପ କରିଛି ଯେ: କୁକୁଡା ଦର ନିର୍ଦ୍ଧାରଣ କ୍ଷେତ୍ରରେ କମ୍ପାନି ଗୁଡିକ ମନମୂଖୀ ନୀତି ଆପଣାଉଛନ୍ତି । କୁକୁଡା ଦର ନିର୍ଦ୍ଧାରଣ ଲାଗି କେନ୍ଦ୍ର ସରକାର ଜାରି କରିଥିବା ଏକ ମାର୍ଗଦର୍ଶକିକାକୁ ରାଜ୍ୟ ସରକାର ଲାଗୁ କରୁନାହାନ୍ତି । କେନ୍ଦ୍ରୀୟ ମାର୍ଗଦର୍ଶିକା ଅନୁଯାୟୀ; କୁକୁଡା ପାଳନ ଲାଗି ଚାଷୀ ଖାଦ୍ୟ ବାବଦ, ଶ୍ରମ ବାବଦ, ଔଷଧ ବାବଦ ତଥା ଅନ୍ୟାନ୍ୟ ଖର୍ଚ୍ଚକୁ ହିସାବକୁ ନେଇ କୁକୁଡାର ଦର ନିର୍ଦ୍ଧାରଣ ହେବା କଥା । ଏହି ଆଧାରରେ କମ୍ପାନିମାନେ ଚାଷୀଙ୍କ ଠାରୁ କୁକୁଡା କ୍ରୟ କରିବା କଥା । ମାତ୍ର ଚାଷୀ କ୍ଷତି ସହୁଥିବା ବେଳେ କମ୍ପାନି ନିଜ ଇଚ୍ଛାରେ ତଥା ମନମୂଖୀ ଭାବେ ଦର ନିର୍ଦ୍ଧାରଣ କରୁଛି । ଏଥିଯୋଗୁ ଚାଷୀମାନେ ବ୍ୟାବସାୟିକ କ୍ଷତି ସହୁଛନ୍ତି । ବର୍ଷକ ତଳୁ ସରକାରଙ୍କୁ ଏବାବଦରେ ରାଜ୍ୟ କୁକୁଡା ଚାଷୀ ମାଲିକ ସଂଘ ଅବଗତ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ ବି ସରକାର କିଛି ପଦକ୍ଷେପ ନେଉନାହାନ୍ତି । ଏଥିଯୋଗୁ ରାଜ୍ୟର ୩୭ହଜାରରୁ ଅଧିକ କୁକୁଡା ଚାଷୀ କ୍ଷତି ସହୁଥିବା ବେଳେ କମ୍ପାନିଗୁଡିକ ଲାଭରେ ଅଛନ୍ତି ବୋଲି ସଂଘ ପକ୍ଷରୁ ଆରୋପ କରାଯାଇଛି । ଯଦି ସରକାର ଏହିସବୁ ସମସ୍ୟାର ସାମାଧାନ ଲାଗି ବ୍ୟବସ୍ଥା ନକରନ୍ତି ତେବେ କୁକୁଡା ଚାଷୀମାନେ ସରକାରଙ୍କୁ ଅସହଯୋଗ କରିବା ସହ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କ଼ୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଜୟାନନ୍ଦ ଦାସ, ବିନୋଦ ବିହାରୀ ନାୟକ, ଅଶୋକ ଖୁଣ୍ଟିଆ, ଲକ୍ଷ୍ମଣ ନାୟକଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.